ଜୟପୁର, ୨୬ ଜୁନ୍ (ହି.ସ.) - କୋରାପୁଟ ଦକ୍ଷତା ବୃଦ୍ଧି ତାଲିମ କେନ୍ଦ୍ର ସଭାଗୃହ ଠାରେ ଅନ୍ତର୍ଜାତୀୟ ନିଶାଦ୍ରବ୍ୟ ସେବନ ଏବଂ ଅବୈଧ ଚାଲାଣ ବିରୋଧ ଦିବସ ପାଳିତ ହୋଇଯାଇଛି।ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗ ଏବଂ ଅବକାରୀ ବିଭାଗର ମିଳିତ ଉଦ୍ୟମରେ ଦିବସ ପାଳନ କରାଯାଇଛି। ବିଭିନ୍ନ ବିଦ୍ୟାଳୟର ଛାତ୍ର ଛାତ୍ରୀ, ଦୁଇ ବିଭାଗର କର୍ମଚାରୀ ଏବଂ ନିଶା ନିବାରଣ କେନ୍ଦ୍ରର ଅନ୍ତେବାସୀ ଓ କର୍ମଚାରୀଙ୍କୁ ନେଇ ଏକ ବିଶାଳ ସଚେତନତା ଶୋଭାଯାତ୍ରା ଆୟୋଜନ କରାଯାଇଥିଲା। କୋରାପୁଟ ଜିଲ୍ଲାପାଳ ଭି କୀର୍ତି ୱାସନ ମୁଖ୍ୟ ଅତିଥି ଭାବେ ଯୋଗଦେଇ ପତାକା ଦେଖାଇ ଶୁଭାରମ୍ଭ କରିଥିଲେ। ଜିଲ୍ଲାପାଳଙ୍କ କାର୍ଯ୍ୟାଳୟଠାରୁ ଶୋଭାଯାତ୍ରା ବାହାରି ଦକ୍ଷତା ବିକାଶ ତାଲିମ କେନ୍ଦ୍ର ଠାରେ ପହଂଚିବା ପରେ ଦକ୍ଷତା ବୃଦ୍ଧି ତାଲିମ କେନ୍ଦ୍ର ସଭାଗୃହ ଠାରେ କର୍ମଶାଳା, ନିଶା ସେବନ ବିରୋଧରେ ନାଟକ ପର୍ଯ୍ୟବେଷଣ ଏବଂ ପ୍ରଜାପିତା ବ୍ରହ୍ମକୁମାରୀଙ୍କ ଦ୍ୱାରା ଏକ ଆଧ୍ୟାତ୍ମିକ ସଭା ଆୟୋଜନ କରାଯାଇଥିଲା।ଯେଉଁଥିରେ କୋରାପୁଟ ବିଧାୟକ ରଘୁରାମ ମାଛ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିବା ବେଳେ ଜିଲ୍ଲା ପରିଷଦ ସଭାପତି ସସ୍ମିତା ମେଲେକା ସମ୍ମାନିତ ଅତିଥି ଭାବେ ଯୋଗଦେଇ ଥିଲେ। ଅନ୍ୟ ମାନଙ୍କ ମଧ୍ୟରେ ଏଡିପିଏଚଓ ଡାକ୍ତର ଶିବ ସାଇ ସ୍ୱରୂପ, ପ୍ରଜାପିତା ବ୍ରହ୍ମକୁମାରୀ ଜିଲ୍ଲା ମୁଖ୍ୟ ସୁଶ୍ରୀ ସ୍ୱର୍ଣ୍ଣ, ଅବକାରୀ ଅଧିକ୍ଷକ ଅରୁଣ କୁମାର ପାଢ଼ୀ, ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ ତରୁଣ ତପନ ପ୍ରହରାଜ ପ୍ରମୁଖ ଉପସ୍ଥିତ ଥିଲେ। ଏହି ଦିବସ ଉପଲକ୍ଷେ ଗତ ୨୪ ତାରିଖରେ ଆୟୋଜିତ ପ୍ରବନ୍ଧ ଏବଂ ବକ୍ତୃତା ପ୍ରତିଯୋଗିତାରେ କୃତକାର୍ଯ୍ୟ ହୋଇଥିବା ୧୨ ଜଣ ଛାତ୍ରଛାତ୍ରୀଙ୍କୁ ମୁଖ୍ୟ ଅତିଥିଙ୍କ ଦ୍ୱାରା ପୁରସ୍କାର ପ୍ରଦାନ କରାଯାଇଥିଲା।ଏହାର ପରିଚାଳନା ଅବକାରୀ ଅଧିକ୍ଷକ ଏବଂ ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀଙ୍କ ତତ୍ୱାବଧାନରେ ସାମାଜିକ ସୁରକ୍ଷା ଓ ଅବକାରୀ ବିଭାଗର କର୍ମଚାରୀ ସୁପରିଚାଳନା କରିଥିଲେ।
ହିନ୍ଦୁସ୍ଥାନ ସମାଚାର / ପିକେପି