ମୁଖ୍ୟମନ୍ତ୍ରୀଙ୍କ ବାସଭବନ ଘେରାଉ କଲା ଯୁବ କଂଗ୍ରେସ
ଭୁବନେଶ୍ୱର, ୨୫ ଜୁନ୍ (ହି.ସ.)- ରାଜ୍ୟ ଯୁବ କଂଗ୍ରେସ ସଭାପତି ରଣଜିତ ପାତ୍ରଙ୍କ ନେତୃତ୍ୱରେ ଯୁବ କଂଗ୍ରେସ କର୍ମକର୍ତାମାନେ ରାଜ୍ୟରେ ଦଳିତଙ୍କ ଉପରେ ଅମାନୁଷିକ ଆକ୍ରମଣ, ମହିଳା ନିର୍ଯାତନା ବୃଦ୍ଧି, ବିପର୍ଯ୍ୟସ୍ତ ଆଇନ ଶୃଙ୍ଖଳା ଏବଂ ଓଡ଼ିଆ ଅସ୍ମିତାର ଦୂରାବସ୍ଥା ପ୍ରସଙ୍ଗରେମୁଖ୍ୟମନ୍ତ୍ରୀ ମୋହନ ଚରଣ ମ
ମୁଖ୍ୟମନ୍ତ୍ରୀଙ୍କ ବାସଭବନ ଘେରାଉ କଲା ଯୁବ କଂଗ୍ରେସ


ଭୁବନେଶ୍ୱର, ୨୫ ଜୁନ୍ (ହି.ସ.)- ରାଜ୍ୟ ଯୁବ କଂଗ୍ରେସ ସଭାପତି ରଣଜିତ ପାତ୍ରଙ୍କ ନେତୃତ୍ୱରେ ଯୁବ କଂଗ୍ରେସ କର୍ମକର୍ତାମାନେ ରାଜ୍ୟରେ ଦଳିତଙ୍କ ଉପରେ ଅମାନୁଷିକ ଆକ୍ରମଣ, ମହିଳା ନିର୍ଯାତନା ବୃଦ୍ଧି, ବିପର୍ଯ୍ୟସ୍ତ ଆଇନ ଶୃଙ୍ଖଳା ଏବଂ ଓଡ଼ିଆ ଅସ୍ମିତାର ଦୂରାବସ୍ଥା ପ୍ରସଙ୍ଗରେମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ସରକାରୀ ବାସଭବନ ଘେରାଉ କରିଥିଲେ। ଯୁବ କଂଗ୍ରେସକର୍ମୀ ମାନେ ରାଜମହଲ ଛକରୁ ଏକ ବିଶାଳ ରାଲିରେ ମୁଖ୍ୟମନ୍ତ୍ରୀଙ୍କ ବାସଭବନ ପର୍ଯ୍ୟନ୍ତ ଯାଇଥିଲେ। ମୁଖ୍ୟମନ୍ତ୍ରୀଙ୍କ ବାସଭବନ ଆଡ଼କୁ ଅଗ୍ରସର ହେଲାବେଳେ ପୋଲିସ ସହ ଧସ୍ତାଧସ୍ତି ହୋଇଥିଲା। ଏହାପରେ ପୋଲିସ ସମସ୍ତ ଯୁବ କଂଗ୍ରେସ ନେତା ଓ କର୍ମୀମାନଙ୍କୁ ଘଟଣାସ୍ଥଳରୁ ଭ୍ୟାନ ଯୋଗେ ଉଠାଇନେଇଥିଲା।

ଶ୍ରୀ ପାତ୍ର ଆଜି ତାଙ୍କ ବକ୍ତବ୍ୟରେ କହିଥିଲେ ଯେ ରାଜ୍ୟରେ ଆଇନ ଶୃଙ୍ଖଳା ସଂପୂର୍ଣ୍ଣ ଭାବରେ ଭୁଷୁଡ଼ି ପଡ଼ିଛି। ମୁଖ୍ୟମନ୍ତ୍ରୀ ନିଜେ ଆଦିବାସୀ ସମ୍ପ୍ରଦାୟର କିନ୍ତୁ ଆଜିର ଦିନରେ ରାଜ୍ୟରେ ଦଳିତ ଏବଂ ଆଦିବାସୀମାନେ ସଂପୂର୍ଣ୍ଣ ଭାବରେ ଅସୁରକ୍ଷିତ। ଗୋପାଳପୁର ଠାରେ ଯେଉଁଭଳି ଭାବରେ ଗଣଦୁଷ୍କର୍ମ ଘଟିଲା ଏହା ରାଜ୍ୟର ମହିଳା ସୁରକ୍ଷା ଉପରେ ପ୍ରଶ୍ନବାଚୀ ସୃଷ୍ଟି କରିଛି। ମୁଖ୍ୟମନ୍ତ୍ରୀଙ୍କ ନିଜସ୍ୱ ଜିଲ୍ଲା କେନ୍ଦୁଝରରେ ଦୁଷ୍କର୍ମକରି ଜଣେ ମହିଳାଙ୍କୁ ଗଛରେ ଟାଙ୍ଗି ଦିଆଗଲା। ଯଦି ଖୋଦ ମୁଖ୍ୟମନ୍ତ୍ରୀଙ୍କ ଜିଲ୍ଳାରେ ନାରୀମାନେ ଅସୁରକ୍ଷିତ ତାହାଲେ ମୁଖ୍ୟମନ୍ତ୍ରୀ ସୁଭଦ୍ରା ଯୋଜନାର ନାମକରଣ କ’ଣ ପାଇଁ କରିଥିଲେ। ଗଞ୍ଜାମ ଜିଲ୍ଲାର ଧରାକୋଟ ଥାନା ଅନ୍ତର୍ଗତ ସିଙ୍ଗପୁର ଗ୍ରାମରେ ଦଳିତ ବ୍ୟକ୍ତିମାନଙ୍କୁ ଯେଉଁଭଳି ଭାବରେ ଅମାନୁଷିକ ଭାବେ ନିର୍ଯାତନା ଦେଇ ସେମାନଙ୍କୁ ଦୁଇ କିଲୋମିଟର ପର୍ଯ୍ୟନ୍ତଆଣ୍ଢେଇକି ଯିବାକୁ ବାଧ୍ୟ କରାଗଲା ଏହା ଦୁର୍ଭାଗ୍ୟଜନକ। ସେମାନେ ତାଙ୍କର ଝିଅ ବିବାହରେ ଯୌତୁକ ଦେବାପାଇଁ ଗାଈ କିଣି ନେଉଥିଲା ବେଳେ କଥାକଥିତ ଗୋରକ୍ଷକ ସଂଗଠନ ସେମାନଙ୍କୁ ଗୋଚାଲାଣକାରୀ ଆଖ୍ୟା ଦେଇ ବଟି ମାଗିଦେଇଥିଲେ। ସେମାନେ ବଟି ଦେବାପାଇଁ ମନା କରିଦେବାରୁ ସେମାନଙ୍କୁ କଥାକଥିତ ଗୋ ରକ୍ଷକ ସଂଗଠନର ସଭ୍ୟମାନେ ମରଣାନ୍ତକ ଆକ୍ରମଣ କରିଥିଲେ। ମାତ୍ର ପୋଲିସ ଏତଲା ଗ୍ରହଣ କରି ମଧ୍ୟ ଅପରାଧିଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିନଥିଲା।

ଏହି କାର୍ଯ୍ୟକ୍ରମରେ ପିସିସି ସାଧାରଣ ସମ୍ପାଦକ ୟାସିର ନୱାଜ ଯୋଗଦେଇ କହିଥିଲେ ଯେ ରାଜ୍ୟରେ ଆଇନ ଶୃଙ୍ଖଳା ବିପର୍ଯ୍ୟସ୍ତ ସହ ଓଡ଼ିଆ ଅସ୍ମିତା ସଂକଟରେ ପଡ଼ିଛି। ପାଖାପାଖି ୯୦ ଶତକଡ଼ାରୁ ଅଧିକ ଅଣଓଡ଼ିଆ ଠିକାଦାରମାନେ ରାଜ୍ୟ ସରକାରଙ୍କର ବିଭିନ୍ନ ଯୋଜନା କାର୍ଯ୍ୟରେ ନିୟୋଜିତ ଅଛନ୍ତି। ଅଣଓଡ଼ିଆ ମାନେ ଆଜି ଓଡ଼ିଶାକୁ ଲୁଟ କରିବାରେ ବ୍ୟସ୍ତ। ମାତ୍ର ଓଡ଼ିଆ ଠିକାଦାର ମାନେ ହାତବାନ୍ଧି ବସିଛନ୍ତି। ଏହି ସରକାରକୁ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଚଲାଉ ନାହାନ୍ତି। ଦିଲ୍ଲୀରୁ ରିମୋଟକ୍ରଣ୍ଟୋଲରେ ଏ ସରକାର ଚାଲିଛି। ଏଥିରୁ ସ୍ପଷ୍ଟ ଯେ ବିଜେପିର ଓଡ଼ିଆ ଅସ୍ମିତାର ଆହ୍ୱାନ ଏକ ପ୍ରହସନରେ ପରିଣତ ହୋଇଛି।ଗୃହ ବିଭାଗକୁ ଚଳାଇବାପାଇଁ ଅକ୍ଷମ ମୁଖ୍ୟମନ୍ତ୍ରୀଙ୍କର ଇସ୍ତଫା ଯୁବ କଂଗ୍ରେସ ଦାବି କରିଛି। ଯଦି ସେ ଇସ୍ତଫା ନଦିଅନ୍ତି ତେବେ ତାଙ୍କର ଗସ୍ତ କାର୍ଯ୍ୟକ୍ରମରେ ରାଜ୍ୟର ବିଭିନ୍ନ ସ୍ଥାନରେ ଯୁବ କଂଗ୍ରେସ ପକ୍ଷରୁ ବିକ୍ଷୋଭ କରାଯିବ।

---------------

ହିନ୍ଦୁସ୍ଥାନ ସମାଚାର / ବନ୍ଦନା


 rajesh pande