ମାଲକାନଗିରି, ୨୬ ଜୁନ୍ (ହି.ସ.)- ଜିଲ୍ଲା ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ଓ ଜିଲ୍ଲା ଅବକାରୀ ବିଭାଗର ମିଳିତ ଆନୁକୁଲ୍ୟରେ ଅନ୍ତର୍ଜାତୀୟ ନିଷିଦ୍ଧ ନିଶ୍ଚେତକ ନିଶାଦ୍ରବ୍ୟର ଅପବ୍ୟବହାର ଓ ଚୋରା ଚାଲାଣ ବିରୁଦ୍ଧ ଦିବସ ପାଳନ କରାଯାଇଛି । ଏହି ଅବସରରେ ପୂର୍ବାହ୍ନରେ ସ୍ଥାନୀୟ ଷ୍ଟାଡିୟମ୍ ଠାରୁ ଡିଏନକେ ପର୍ଯ୍ୟନ୍ତ ଏକ ସଚେତନତା ଗଣଦୌଡର ଆୟୋଜନ କରାଯାଇଥିଲା । ଏହାପରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଠାରୁ ଅବକାରୀ କାର୍ଯ୍ୟାଳୟ ପର୍ଯ୍ୟନ୍ତ ଏକ ସଚେତନତା ପଦଯାତ୍ରା କରାଯାଇଥିଲା। ଏହା ପରେ ଜିଲ୍ଲା ଅବକାରୀ କାର୍ଯ୍ୟାଳୟ ଠାରେ ଏକ କର୍ମଶାଳା ମଧ୍ୟ ଆୟୋଜନ କରାଯାଇଥିଲା। ଏହି କାର୍ଯ୍ୟକ୍ରମକୁ ବିଚାରପତି ସଂଗୀତା ପାତ୍ର ଓ ଅତିରିକ୍ତ ଜିଲ୍ଲାପାଳ ରାଜସ୍ୱ ବେଦବର ପ୍ରଧାନ ଅନୁଷ୍ଠାନିକ ଭାବେ ଉଦଘାଟନ କରିଥିଲେ। କାର୍ଯ୍ୟକ୍ରମରେ ଜିଲ୍ଲା ନିଶା ନିବାରଣ କେନ୍ଦ୍ର ଦ୍ଵାରା ନିଶା ମୁକ୍ତ ହୋଇଥିବା ଚାରି ଜଣ ଅନ୍ତେବାସୀଙ୍କୁ ସମ୍ବର୍ଦ୍ଧନା କରାଯାଇଥିଲା ଓ ଦୁର୍ଗା କିନ୍ନରଙ୍କୁ ନିଶା ବିରୁଦ୍ଧ ପଦକ୍ଷେପ ନିମନ୍ତେ ମଧ୍ୟ ସମ୍ବର୍ଦ୍ଧନା କରାଯାଇଥିଲା। ଏହି କାର୍ଯ୍ୟକ୍ରମରେ ସମ୍ମାନିତ ଅତିଥିଭାବେ ଜିଲ୍ଲା ସିଭିଲ କୋର୍ଟ ରେଜିଷ୍ଟ୍ରାର କୈଳାଶ ସାହୁ, ଅଶୋକ ପଟ୍ଟନାୟକ, ସାଗର ପାଣିଗ୍ରାହୀ ପ୍ରମୁଖ ଯୋଗ ଦେଇଥିଲେ।
କାର୍ଯ୍ୟକ୍ରମକୁ ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ ନିର୍ମଳ ଧରୁଆ, ଅବକାରୀ ଅଧିକ୍ଷକ, ବିମ୍ବାଧର ପଣ୍ଡା ପରିଚାଳନା କରିଥିବା ବେଳେ ଜ଼ିଲ୍ଲା ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ଏବଂ ଜିଲ୍ଲା ଅବକାରୀ ବିଭାଗର ସମସ୍ତ କର୍ମଚାରୀ ସହଯୋଗ କରିଥିଲେ।
ହିନ୍ଦୁସ୍ଥାନ ସମାଚାର / ଶିବବ୍ରତ