ବଲାଙ୍ଗିର, ୨୬ ଜୁନ୍(ହି.ସ.) – ଗତ ଜୁନ୍ ୫ ତାରିଖ ବିଶ୍ୱ ପରିବେଶ ଦିବସ ଅବସରରେ ଭୁବନେଶ୍ୱର ସ୍ଥିତ କୃଷି ଶିକ୍ଷାସଦନ ଠାରେ ବଲାଙ୍ଗୀର ଜିଲ୍ଲା ଯୁବ କୁଲୁତା ସମାଜକୁ ରାଜ୍ୟ ସରକାର ପ୍ରକୃତି ମିତ୍ର ପୁରସ୍କାରରେ ସମ୍ମାନିତ କରିଥିଲେ। ଏହି ଖବରଟି ଜାଣିବା ପରେ ବଲାଙ୍ଗୀର ଜିଲ୍ଲା ପ୍ରଶାସନ ତରଫରୁ ବଲାଙ୍ଗୀର ଉପ-ଜିଲ୍ଲାପାଳ ଆଲୋକ ପଟେଲ ବଲାଙ୍ଗୀର ଜିଲ୍ଲା ଯୁବ କୁଲୁତା ସମାଜକୁ ପ୍ରଶଂସାପତ୍ର ପ୍ରଦାନ କରିଛନ୍ତି। ଜିଲ୍ଲା ଯୁବ କୁଲୁତା ସମାଜ ସଭାପତି ଅସୀମ କୁମାର ଭୋଇ ଉପ-ଜିଲ୍ଲାପାଳଙ୍କ ଠାରୁ ଏହି ପ୍ରଶଂସା ପତ୍ର ଗ୍ରହଣ କରିଛନ୍ତି। ଯୁବ କୁଲୁତା ସମାଜର ଏଭଳି ପ୍ରାରମ୍ଭିକ ପଦକ୍ଷେପ ସମାଜ ଏବଂ ପରିବେଶ ଉପରେ ଭଲ ପ୍ରଭାବ ପକାଇବ ଓ ଏଭଳି ଉଦ୍ୟମ ଜାରି ରଖନ୍ତୁ ବୋଲି ଉପ-ଜିଲ୍ଲାପାଳ ମତ ପ୍ରକାଶ କରିଛନ୍ତି। ଜିଲ୍ଲା ପ୍ରଶାସନର ଏଭଳି ପ୍ରଶଂସା ଆଗାମୀ ଦିନରେ ଆମ ଯୁବ କୁଲୁତା ସମାଜର ସଦସ୍ୟମାନଙ୍କୁ କାମ କରିବାକୁ ଅଧିକ ପ୍ରେରଣା ପ୍ରଦାନ କରିବ ବୋଲି ସଭାପତି ଅସୀମ ଭୋଇ ମତ ପ୍ରକାଶ କରିଛନ୍ତି।
ହିନ୍ଦୁସ୍ଥାନ ସମାଚାର/ଗୋପବନ୍ଧୁ/ବୀଣାପାଣି
.......................................
ହିନ୍ଦୁସ୍ଥାନ ସମାଚାର / ଗୋପବନ୍ଧୁ