ନୂଆଦିଲ୍ଲୀ, ୩୦ ଜୁନ୍ (ହି.ସ.)- ରାଷ୍ଟ୍ରିୟ ରାଜଧାନୀ ଦିଲ୍ଲୀ ସମେତ ଦେଶର ଅନେକ ସ୍ଥାନରେ ରବିବାର ରାତିରୁ ଆରମ୍ଭ ହୋଇଥିବା ପ୍ରବଳ ବର୍ଷା ରହି ରହି ସୋମବାର ମଧ୍ୟ ଜାରି ରହିଛି । ରବିବାର ସକାଳ ୮ଟା ୩୦ ରୁ ସୋମବାର ସକାଳ ୮ଟା ୩୦ ପର୍ଯ୍ୟନ୍ତ ଦିଲ୍ଲୀରେ ହାରାହାରି ୧୪ ମି.ମି. ବର୍ଷା ରେକର୍ଡ କରାଯାଇଛି ।
ଭାରତ ପାଣିପାଗ ବିଜ୍ଞାନ ବିଭାଗ (ଆଇଏମଡି) ସୋମବାର ଏନସିଆର ପାଇଁ ୟେଲୋ ୱାର୍ଣ୍ଣିଂ ଜାରି କରିଛି ଏବଂ କହିଛି ଯେ, ଆଗାମୀ ଛଅ ଦିନ ପାଇଁ ରାଜଧାନୀରେ ହାଲୁକା ବର୍ଷାର ସମ୍ଭାବନା ରହିଛି । ଦିଲ୍ଲୀର ଅନେକ ଅଂଚଳରେ ବର୍ଷା ସହିତ ଦୃତ ଗତିରେ ପବନ ବହିବାର ସମ୍ଭାବନା ରହିଛି । ଗତ ୨୪ ଘଂଟା ମଧ୍ୟରେ, ଜାତୀୟ ରାଜଧାନୀର ଭାରତ ମଣ୍ଡପମ ନିକଟରେ ସର୍ବାଧିକ ୨୩.୭ ମି.ମି. ବର୍ଷା ରେକର୍ଡ କରାଯାଇଛି । ଲୋଧି ରୋଡରେ ୧୭.୩ ମି.ମି., ପାଲମରେ ୧୬.୨ ମି.ମି. ଏବଂ ମୟୂର ବିହାରରେ ୧୦ ମି.ମି. ବର୍ଷା ରେକର୍ଡ କରାଯାଇଛି । ବର୍ଷା ଯୋଗୁଁ ଦିଲ୍ଲୀର ତାପମାତ୍ରା ହ୍ରାସ ପାଇଛି ଏବଂ ଲୋକଙ୍କୁ ଗରମରୁ ଆଶ୍ୱସ୍ତି ମିଳିଛି ।
ହିନ୍ଦୁସ୍ଥାନ ସମାଚାର / ପ୍ରଦୀପ୍ତ