ନୂଆଦିଲ୍ଲୀ, ୩୦ ଜୁନ୍(ହି.ସ.) – ଦେଶସାରା ମୌସୁମୀ ସକ୍ରିୟ ହୋଇଛି। ଦିଲ୍ଲୀ ଏନ୍ସିଆର୍ ସମେତ ଦେଶର କେତେକ ଅଂଚଳରେ ରବିବାର ରାତିରୁ ଆରମ୍ଭ ହୋଇଥିବା ବର୍ଷା ରହି ରହି ସୋମବାର ଦିନ ମଧ୍ୟ ଜାରି ରହିଛି। ଭାରତୀୟ ପାଣିପାଗ ବିଭାଗ(ଆଇଏମ୍ଡି) ଆସନ୍ତା ଛଅ-ସାତ ଦିନ ପର୍ଯ୍ୟନ୍ତ ଦେଶର ବିଭିନ୍ନ ଅଂଚଳରେ ମଧ୍ୟମରୁ ପ୍ରବଳ ବର୍ଷାର ଚେତାବନୀ ଜାରି କରିଛି।
ଆଇଏମ୍ଡି ଅନୁଯାୟୀ, ଝାରଖଣ୍ଡ, ବିହାର, ଓଡ଼ିଶା, ପଶ୍ଚିମବଙ୍ଗ, ମଧ୍ୟପ୍ରଦେଶ, ତେଲେଙ୍ଗାନା, କେରଳ ଏବଂ ପୂର୍ବୋତର ରାଜ୍ୟରେ ପ୍ରବଳରୁ ଅତି ପ୍ରବଳ ବର୍ଷା ସହିତ ବିଜୁଳି ଚମକିବା ଏବଂ ତୀବ୍ର ପବନର ସମ୍ଭାବନା ଅଛି। ପୂର୍ବୋତର ଭାରତର ଅଧିକାଂଶ ଅଂଚଳରେ ଲଗାତାର ବର୍ଷାର ଚେତାବନୀ ଜାରି କରାଯାଇଥିବାବେଳେ ଦକ୍ଷିଣ ଭାରତର କିଛି ଅଂଚଳରେ ପ୍ରବଳ ବର୍ଷା ସହିତ ଗରମ ଏବଂ ଉସୁମ ପାଗ ରହିବ।
ଦିଲ୍ଲୀରେ ରବିବାର ସକାଳ ସାଢ଼େ ଆଠଟାରୁ ସୋମବାର ସକାଳ ସାଢ଼େ ଆଠଟା ପର୍ଯ୍ୟନ୍ତ ଔସତନ ୧୪ ମିଲିମିଟର ବର୍ଷା ରେକର୍ଡ଼ କରାଯାଇଛି। ବର୍ଷା କାରଣରୁ ପାଗ ଭଲ ରହିଛି ଏବଂ ତାପମାତ୍ରାରେ ହ୍ରାସ ହୋଇଛି। ଆସନ୍ତା କିଛି ଦିନ ପର୍ଯ୍ୟନ୍ତ ଦିଲ୍ଲୀ ଏନ୍ସିଆର୍ରେ ଘଡ଼ଘଡ଼ି ସହିତ ବର୍ଷା ଏବଂ ୩୦ରୁ ୪୦ କିଲୋମିଟର ପ୍ରତି ଘଂଟାର ତୀବ୍ରତାରେ ପବନ ବହିବାର ସମ୍ଭାବନା କରାଯାଇଛି।
ଆଇଏମ୍ଡି ଅନୁଯାୟୀ, ଝାରଖଣ୍ଡ, ପଶ୍ଚିମବଙ୍ଗ, ସିକିମ୍, ମଧ୍ୟପ୍ରଦେଶ ଏବଂ ଛତିଶଗଡ଼ରେ ୬ ଜୁଲାଇ ପର୍ଯ୍ୟନ୍ତ କେତେକ ସ୍ଥାନରେ ପ୍ରବଳ ବର୍ଷା ହୋଇପାରେ। ଉତରାଖଣ୍ଡ ଏବଂ ପଶ୍ଚିମ ଉତର ପ୍ରଦେଶରେ ୩୦ ଜୁନ୍ ଏବଂ ୧ ଜୁଲାଇକୁ ବହୁତ ବର୍ଷାର ସମ୍ଭାବନା ରହିଛି। ମହାରାଷ୍ଟ୍ର, କୋଙ୍କଣ, ଗୋଆ, ଗୁଜରାଟ ଏବଂ ପୂର୍ବୋତର ରାଜ୍ୟରେ ମଧ୍ୟ ପ୍ରବଳ ବର୍ଷା ଜାରି ରହିବ। ଦକ୍ଷିଣ ଭାରତର କର୍ଣ୍ଣାଟକ, କେରଳ, ଆନ୍ଧ୍ରପ୍ରଦେଶ ଏବଂ ତେଲେଙ୍ଗାନାରେ ମଧ୍ୟ କେତେକ ସ୍ଥାନରେ ବର୍ଷା ହେବାର ସମ୍ଭାବନା ରହିଛି। ପାଣିପାଗ ବିଭାଗ ସମ୍ବନ୍ଧିତ ରାଜ୍ୟର ପ୍ରଶାସନକୁ ସତର୍କ ରହିବା ଏବଂ ଆବଶ୍ୟକ ସତର୍କ ରହିବାକୁ ନିର୍ଦ୍ଦେଶ ଦେଇଛନ୍ତି।
ହିନ୍ଦୁସ୍ଥାନ ସମାଚାର/ବୀଣାପାଣି
.......................................
ହିନ୍ଦୁସ୍ଥାନ ସମାଚାର / ବୀଣାପାଣି