ବଲାଣୀ 5 ଜୁନ୍ (ହି.ସ.)- ଆସନ୍ତା ୭ ତାରିଖ ଇଦ ଉଲ ଜୁହା ପର୍ବକୁ ସୌହାର୍ଦ୍ଦ୍ୟପୂର୍ଣ୍ଣ ବାତାବରଣ ରେ ପାଳନ କରିବା ଉଦ୍ଦେଶ୍ୟରେ ବଲାଣି ଥାନା ପକ୍ଷରୁ ଥାନା ପରିସରରେ ଗୁରୁବାର ଏକ ଶାନ୍ତି ବୈଠକ ଅନୁଷ୍ଠିତ ହୋଇଯାଇଛି । ବଲାଣି ଥାନା ଅଧିକାରୀ ଲବ ବୋଡାଙ୍କ ଅଧ୍ୟକ୍ଷତାରେ ଏହି ବୈଠକ ଅନୁଷ୍ଠିତ ହୋଇଥିଲା । ବୈଠକରେ ବଲାଣି ଅଞ୍ଚଳର ଦୁଇ ମୁଖ୍ୟ ସାମ୍ପ୍ରଦାୟିକ ଗୋଷ୍ଠୀ — ମୁସଲିମ ଓ ହିନ୍ଦୁ ସମ୍ପ୍ରଦାୟର ବିଭିନ୍ନ ଅନୁଷ୍ଠାନ ଓ ବ୍ୟକ୍ତି ବିଶେଷ ଉପସ୍ଥିତ ଥିଲେ । ସମସ୍ତଙ୍କ ସହଭାଗିତାରେ ଏକ ସୌହାର୍ଦ୍ଦ୍ୟପୂର୍ଣ୍ଣ ପରିବେଶରେ ବୈଠକ ଅନୁଷ୍ଠିତ ହୋଇଥିଲା ।
ବୈଠକରେ ଉପସ୍ଥିତ ବ୍ୟକ୍ତିମାନେ ଅନ୍ୟୋନ୍ୟ ସମ୍ପ୍ରଦାୟ ପ୍ରତି ସମ୍ମାନ ଓ ସହଯୋଗ ଜଣେଇ, ପର୍ବକୁ ଶାନ୍ତି ଓ ସୌହାର୍ଦ୍ଦ ପୂର୍ଣ୍ଣ ଭାବେ ପାଳନ କରିବା ଉପରେ ଜୋର ଦେଇଥିଲେ । ଥାନା ଅଧିକାରୀ ଲବ ବୋଡା ମଧ୍ୟ ଏହି ଅବସରରେ ଏହି ପର୍ବକୁ ଶାନ୍ତି ଓ ଏକତାର ପ୍ରତୀକ ବୋଲି ବର୍ଣ୍ଣନା କରି, ମାନବୀୟ ସମ୍ପର୍କ ଓ ଭାଇଚାରା ବୃଦ୍ଧି ପାଇଁ ସମସ୍ତଙ୍କ ସହଯୋଗ ଆବଶ୍ୟକ ବୋଲି କହିଥିଲେ । ବୈଠକରେ ମୁସଲମାନ ସମ୍ପ୍ରଦାୟର ହାଇଦର ଅଲ୍ଲୀ, ସାହ ଆଲାମ, ଏମ୍ ଡି ଇମତ୍ୟାଜ, ଏମ୍ ଡି ମୁଜ୍ଜାଫର,ଅହସାନ ଆନସାରି ପ୍ରମୁଖ ବ୍ୟକ୍ତିବିଶେଷ ଉପସ୍ଥିତ ଥିବା ବେଳେ ହିନ୍ଦୁ ସମ୍ପ୍ରଦାୟର ବିନୟ ଚୌଧୁରୀ, ରାଜ କୁମାର ଚୌଧୁରୀ, ଦୁର୍ଯ୍ୟୋଧନ ସାଣ୍ଡିଲ ପ୍ରମୁଖ ଉପସ୍ଥିତ ଥିଲେ ।
---------------
ହିନ୍ଦୁସ୍ଥାନ ସମାଚାର / ଶିବାଶିଷ୍ ନନ୍ଦ