କୋରେଇ, ୯ ଜୁନ୍ (ହି.ସ.) - ଭୁବନେଶ୍ୱରପୁର ଶେଷଦେବ ବାସନ୍ତୀ ଉଚ୍ଚ ବିଦ୍ୟାଳୟର ଅନ୍ୟତମ ପ୍ରତିଷ୍ଠାତା ସଦସ୍ୟ ଏବଂ ବିଦ୍ୟାଳୟର ପ୍ରଥମ ପ୍ରଧାନଶିକ୍ଷକ ସ୍ୱର୍ଗତ ଅଶୋକ କୁମାର ବିହାରୀଙ୍କ ୨୯ ତମ ଶ୍ରାଦ୍ଧ ବାର୍ଷିକ ବିଦ୍ୟାଳୟ ପରିସରରେ ଆଜି ପାଳିତ ହୋଇଯାଇଛି । ଶ୍ରୀ ବିହାରୀ ଜଣେ ମାନବବାଦୀ, ଛାତ୍ର ବତ୍ସଳ, ଅତିଥି ପରାୟଣ ବ୍ୟକ୍ତି ଭାବେ ପରିଚିତ ଥିଲେ । ଏହି ଅନୁଷ୍ଠାନ ଗଠନର ସେ ଥିଲେ ଅନ୍ୟତମ ବିନ୍ଧାଣୀ, ତାଙ୍କର ନିଷ୍ଠା, କର୍ତବ୍ୟ ପରାୟଣତା, ସାଧୁତା ଓ ସଚ୍ଚୋଟତା ଆଦି ଅନେକ ଭଲଗୁଣ ପାଇଁ ସେ ଜଣେ ଆଦର୍ଶ ଶିକ୍ଷକ ପାଲଟିବା ସହ ଜନସାଧାରଣଙ୍କର ଅତି ପ୍ରୀୟ ଅଶୋକ ସାର ଭାବେ ପରିଚିତ ଥିଲେ । ଏକ ଶିକ୍ଷିତ ତଥା ସଂଗଠିତ ଯୁବଗୋଷ୍ଠୀ କିପରି ସେମାନଙ୍କ ନିରଚ୍ଛିନ୍ନ ପ୍ରୟାସ ମାଧ୍ୟମରେ ଏକ ଅପହଂଚ ଅଂଚଳରେ ଶିକ୍ଷାର ପ୍ରସାର ପାଇଁ ସଂଘର୍ଷ ଦ୍ୱାରା ସଫଳ ହୋଇଛନ୍ତି ତାର ଉଦାହରଣ ହେଉଛି ଏହି ଅନୁଷ୍ଠାନ । ଯାହା ଆଗାମୀ ପିଢି ପାଇଁ ଏକ ପ୍ରେରଣା । ବିଦ୍ୟାଳୟର ପ୍ରଧାନ ଶିକ୍ଷକ ରମେଶ ଚନ୍ଦ୍ର ପଣ୍ଡାଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି ସ୍ମୃତି ସଭାରେ ଅତିଥିଭାବେ ଶିକ୍ଷାବିତ୍ ସୁରେନ୍ଦ୍ର କୁମାର ରାୟ, ମିର୍ଜ୍ଜା ଆଲାଉଦ୍ଦିନ, ରବି ନାରାୟଣ ସାହୁ, ପୁରାତନ ଛାତ୍ର ଡା. ନିର୍ମଳ ରଥ, ସୁରେଶ ସାହୁ, ନରେନ୍ଦ୍ର ସାହୁ, ପରିଚାଳନା କମିଟିର ସଭାପତି ସୁରେଶ କୁମାର ସାହୁ, ଶିକ୍ଷୟତ୍ରୀ ଗୀତାରାଣୀ ପଣ୍ଡା ପ୍ରମୁଖଯୋଗେଦଇ ଅଶୋକ ସାରଙ୍କ ଆଦର୍ଶ ଜିବନୀ ଉପରେ ଆଲୋକପାତ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ଗଣେଷ ସାହୁ, ଶିକ୍ଷକ ଅବିନାଶ ତରାଇ, ସୁରେନ୍ଦ୍ର ବେହେରା, ସୁସ୍ମିତା ସେଠୀ, ସ୍କୁଲ ଅନେକ ଛାତ୍ର ଛାତ୍ରୀ ଯଥା ଉନ୍ମେଷା, ସୁପ୍ରିୟା, ସୋନି ସ୍ମିତା, ଅନୁସୟା, ପ୍ରିୟଙ୍କା, ହର୍ଷିତା, ଶୁଭଳକ୍ଷ୍ମୀ, ସତ୍ୟଜିତ, ଗୋବିନ୍ଦ, ବିକ୍ରମ, ରଶ୍ମୀରଂଜନ ପ୍ରମୁଖ ସ୍ମୃତି ଚାରଣ କରିଥିଲେ । ଶେଷରେ ବିଦ୍ୟାଳୟର ଶିକ୍ଷକ ରତିକାନ୍ତ ରାୟ ଧନ୍ୟବାଦ ଅର୍ପଣ କରିଥିଲେ ।
ହିନ୍ଦୁସ୍ଥାନ ସମାଚାର/ଭାସ୍କର/ଭାନୁ
ହିନ୍ଦୁସ୍ଥାନ ସମାଚାର / ଭାନୁ ଚରଣ