ଭୁବନେଶ୍ୱର, ୯ ଜୁନ୍ (ହି.ସ.)- ଆଗାମୀ ୫ ଦିନ ମଧ୍ୟରେ ଝଡ଼ କିମ୍ବା ବଜ୍ରପାତ, ପବନ ଓ ବର୍ଷା ନେଇ ରାଜ୍ୟର କେତେକ ଜିଲ୍ଲାକୁ ଚେତାବନୀ ଜାରି କରିଛି ପାଣିପାଗ ବିଭାଗ । ଏହାର ପରବର୍ତୀ ୨ ଦିନ କେତେକ ଜିଲ୍ଲାରେ ଭୀଷଣ ବର୍ଷା ନେଇ ଚେତାବନୀ ଜାରି ହୋଇଛି ।
ଆଗାମୀ ୨୪ ଘଂଟା ମଧ୍ୟରେ ଝଡ଼ କିମ୍ବା ବଜ୍ରପାତ ଓ ପବନ ନେଇ ୫ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ ଜାରି ହୋଇଥିବା ବେଳେ ଅନ୍ୟ ୨୫ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି ହୋଇଛି । ଅରେଞ୍ଜ ୱାର୍ଣ୍ଣିଂ ଜାରି ହୋଇଥିବା ଜିଲ୍ଲା ଗୁଡିକ ହେଲା ମୟୂରଭଞ୍ଜ, ବାଲେଶ୍ୱର, ଭଦ୍ରକ, କେନ୍ଦୁଝର, ଅନୁଗୁଳ । ଏହି ସମୟରେ ତନ୍ମଧ୍ୟରୁ କେତେକ ସ୍ଥାନରେ ପବନର ବେଗ ଘଂଟା ପ୍ରତି ୩୦ରୁ ୪୦ କି.ମି., ଅନ୍ୟ କେତେକ ସ୍ଥାନରେ ୪୦ରୁ ୫୦ କି.ମି. ଏବଂ ଆଉ କେତେକ ସ୍ଥାନରେ ପବନର ବେଗ ଘଂଟା ପ୍ରତି ୫୦ରୁ ୬୦ କି.ମି. ପର୍ଯ୍ୟନ୍ତ ପହଂଚିପାରେ ।
ସେହିପରି ୧୦ ତାରିଖରେ ଝଡ଼ କିମ୍ବା ବଜ୍ରପାତ, ପବନ ଓ ଭୀଷଣ ବର୍ଷା ନେଇ ୪ ଜିଲ୍ଲା (ମୟୂରଭଞ୍ଜ, ଗଞ୍ଜାମ, ଗଜପତି, କନ୍ଧମାଳ)କୁ ୟେଲୋ ୱାର୍ଣ୍ଣିଂ ଜାରି ହୋଇଥିବା ବେଳେ ଝଡ଼ କିମ୍ବା ବଜ୍ରପାତ ଓ ପବନ ନେଇ ୧୭ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି ହୋଇଛି ।
ଅନୁରୂପ ଭାବେ ଝଡ଼ କିମ୍ବା ବଜ୍ରପାତ ଓ ପବନ ନେଇ ୧୧ ତାରିଖରେ୧୬ ଜିଲ୍ଲା, ୧୨ ତାରିଖରେ ୧୧ ଜିଲ୍ଲା ଓ ୧୩ ତାରିଖରେ୧୫ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି ହୋଇଛି । ୧୪ ତାରିଖରେ ଭୀଷଣ ବର୍ଷା ନେଇ ମୟୂରଭଞ୍ଜ ଓ କେନ୍ଦୁଝର ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି ହୋଇଥିବା ବେଳେ ୧୫ ତାରିଖରେ ଭୀଷଣ ବର୍ଷା ନେଇ ନୟାଗଡ଼ ଓ କଟକ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି ହୋଇଛି । ଭୁବନେଶ୍ୱର ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ଜାରି ହୋଇଥିବା ଟ୍ୱିଟ୍ ରୁ ଏହି ସୂଚନା ମିଳିଛି ।
ହିନ୍ଦୁସ୍ଥାନ ସମାଚାର / ପ୍ରଦୀପ୍ତ