ସୁବର୍ଣ୍ଣପୁର, ୯ ଜୁନ୍ (ହି.ସ.)- ବିଗତ ୧୯୯୨ ମସିହାରୁ ରାଜ୍ୟର ଯୋଗ୍ୟ ବିବେଚିତ ବହୁ ପୁରାତନ ୧୧୦ ବାଳିକା ଉଚ୍ଚ ବିଦ୍ୟାଳୟକୁ ସରକାରୀ ମାନ୍ୟତା ପ୍ରଦାନ ପାଇଁ ସୁବର୍ଣ୍ଣପୁର ଜିଲ୍ଲା ଗସ୍ତରେ ଥିବା ମୁଖ୍ୟମନ୍ତ୍ରୀଙ୍କୁ ସଂଗଠନ ଦାବିପତ୍ର ପ୍ରଦାନ କରିଛି l ରାଜ୍ୟରେ ନାରୀ ଶିକ୍ଷାର ଉନ୍ନତି ଓ ନାରୀ ସଶକ୍ତିକରଣର କଥା କହୁଥିବା ସରକାର ପାଇଁ ଏହା ଏକ ଆହ୍ୱାନ । ନାରୀ ଶିକ୍ଷାର ବିକାଶ ପାଇଁ ୧୯୮୭ ମସିହାରେ ରାଜ୍ୟର ବିଭିନ୍ନ ଜିଲ୍ଲାରେ ପ୍ରତିଷ୍ଠା କରାଯାଇଥିଲା ୧୧୦ ବାଳିକା ବିଦ୍ୟାଳୟ l ଯେଉଁ ବିଦ୍ୟାଳୟ ଗୁଡିକ କି ୧୯୯୨ ମସିହାରୁ ପୂର୍ଣ୍ଣ ଅନୁଦାନ ପାଇବା ପାଇଁ ଯୋଗ୍ୟ କିନ୍ତୁ ସେମାନେ ଆଜି ପର୍ଯ୍ୟନ୍ତ ଅବହେଳିତ ରହିଛନ୍ତି l ଏ ସମସ୍ତ ବିଦ୍ୟାଳୟର ଶିକ୍ଷକ ଜୁନିଅର ଟିଚର୍ ଠାରୁ ମଧ୍ୟ କମ ବେତନ ପାଉଛନ୍ତି । ଆହୁରି ଦୁଃଖ ଓ ପରିତାପର ବିଷୟ ଯେ ଏହି କର୍ମଚାରୀ ମାନେ ୩୩ ବର୍ଷ କାଳ କାର୍ଯ୍ୟ କରି ଅବସର ନେଲା ପରେ ଟଙ୍କାଟିଏ ମଧ୍ୟ ପାଉଣା ପାଉନାହାନ୍ତି l ଯାହାଫଳରେ କି ସାମାଜିକ, ଆର୍ଥିକ ଓ ମାନସିକ ସ୍ତରରେ ଏମାନେ ପ୍ରତାରଣାର ଶିକାର ହେଉଛନ୍ତି । ସେଥିପାଇଁ ମୁଖ୍ୟମନ୍ତ୍ରୀ ଗତ ୭ ତାରିଖ ସୁବର୍ଣପୁର ଗସ୍ତ ସମୟରେ ୧୧୦ ବାଳିକା ଉଚ୍ଚ ବିଦ୍ୟାଳୟର ଆବାହକ କେଶବ ପୂଜାହାରୀ, ସୁନିଲ କୁମାର ହୋତା ଓ ସଂଗଠନର ଅନ୍ୟ କର୍ମଚାରୀଙ୍କ ଉପସ୍ଥିତିରେ ଏକ ଦାବିପତ୍ର ମୁଖ୍ୟମନ୍ତ୍ରୀଙ୍କୁ ପ୍ରଦାନ କରିଛନ୍ତି । ଏବଂ ୧୧୦ ବାଳିକା ଉଚ୍ଚ ବିଦ୍ୟାଳୟ ମଧ୍ୟରୁ ସରକାରୀରୁ ବଞ୍ଚିତ ହୋଇଥିବା ୮୦ ବାଳିକା ବିଦ୍ୟାଳୟକୁ ତୁରନ୍ତ ସରକାରୀ କରିବା ପାଇଁ ବିହିତ ପଦକ୍ଷେପ ନେବାକୁ ସରକାରଙ୍କ ପାଖରେ ଦାଵୀ ଉପସ୍ଥାପନ କରିଛନ୍ତି।
ହିନ୍ଦୁସ୍ଥାନ ସମାଚାର / ଗୋପବନ୍ଧୁ