ପୁରୀ, ୯ ଜୁନ୍ (ହି.ସ.) - ଜୁନ ୨୭ ତାରିଖ ମହାପ୍ରଭୁଙ୍କ ବିଶ୍ୱପ୍ରସିଦ୍ଧ ରଥଯାତ୍ରା । ଏଥିପାଇଁ ସମସ୍ତ ପ୍ରସ୍ତୁତି ଚୁଡାନ୍ତ ପର୍ଯ୍ୟାୟରେ ପହଂଚିଛି । ଆଇନମନ୍ତ୍ରୀ ପୃଥିବୀରାଜ ହରିଚନ୍ଦନଙ୍କ ଅଧ୍ୟକ୍ଷତାରେ ଆଜି ଟାଉନହଲ ଠାରେ ଦ୍ୱିତୀୟ ସମନ୍ୱୟ ବୈଠକ ଅନୁଷ୍ଠିତ ହୋଇଯାଇଛି । ରାସ୍ତାଘାଟ, ପାନୀୟଜଳ, ବିଦ୍ୟୁତ ଯୋଗାଣ, ସ୍ୱାସ୍ଥ୍ୟ ସେବା ଓ ପୂର୍ତବିଭାଗ କାର୍ଯ୍ୟକୁ ନେଇ ଗୃହରେ ପ୍ରବଳ ହଟ୍ଟଗୋଳ ଦେଖାଯାଇଥିଲା । ରାତି ପାହିଲେ ରଥଯାତ୍ରା । ଏବେ ରାସ୍ତାଘାଟ କାମ ତରବରିଆ ଭାବେ କରାଯାଉଛି । ବୈଠକରେ ଅନେକ ପ୍ରସଙ୍ଗକୁ ନେଇ ଯୁକ୍ତିତର୍କ ଚାଲିଥିଲା । ବୈଠକର ନର୍ଥ, ଇଷ୍ଟ, ୱେଷ୍ଟ ଓ ସାଉଥ (ନ୍ୟୁଜ) ଚାରିପଟର ଖବର କିଛି କଥା ଓ ବ୍ୟଥା ।
ଦାମ ଦେଖାଇଲେ ଦମ୍ - ସମନ୍ୱୟ ବୈଠକରେ ଏଜେଣ୍ଡା ଅନୁଯାଇ ଆଲୋଚନା ଚାଲିଥିଲା । ଏହି ସମୟରେ ଶ୍ରୀମନ୍ଦିରର ବରିଷ୍ଠ ସେବକ ଦାମୋଦର ମହାସୁଆର ଚିହିଙ୍କି ଉଠିଥିଲେ । ଶ୍ରୀମନ୍ଦିର ପରିଚାଳନା କମିଟି ଗଠିତ ହୋଇପାରୁ ନାହିଁ । ଆଇନମନ୍ତ୍ରୀ କରୁଛନ୍ତି ସମୀକ୍ଷା । ନିୟମ ଅନୁଯାଇ ପରିଚଳନା କମିଟି ବିନା ଟଙ୍କାଟିଏ ଖର୍ଚ୍ଚ ହୋଇପାରିବ ନାହିଁ । ଆଗକୁ ଯଦି ଅଘଟଣ ଘଟେ ତେବେ କୋଟି କୋଟି ଟଙ୍କାର ହିସାବ ଦେବ କିଏ ବୋଲି ପ୍ରଶ୍ନ କରିଥିଲେ । ଛତିଶା ନିଯୋଗ ଓ ପୁରୁଣା ପରିଚାଳନା କମିଟିକୁ ନେଇ କେଉଁ ଆଇନ ବଳରେ ବୈଠକ ହେଉଛି । ସେବାୟତ ବିଶୃଙ୍ଖଳା ପାଇଁ ଜଣେ ସେବକଙ୍କୁ ଆଠମାସ ବାସନ୍ଦ କରାଯାଇଥିବା ବେଳେ ଅନ୍ୟଜଣେ ସେବକଙ୍କୁ ଏକମାସ ବାସନ୍ଦ କରାଯାଇଛି କେଉଁ ଆଇନ ବଳରେ ବୋଲି ପ୍ରଶ୍ନ କରିଥିଲେ ।
ସାମ୍ବାଦିକ ତାତିଲେ ହୋହଲ୍ଲାରେ ମାତିଲେ -ଏଜେଣ୍ଡା ଅନୁଯାଇ ବୈଠକ ଚାଲିଥିଲା । ଏହି ସମୟରେ ଜଣେ ସାମ୍ବାଦିକ ଗୋଟିଏ ପ୍ରସଙ୍ଗ ଉପରେ ପ୍ରଶ୍ନ କରିବା ସମୟରେ ଜଣେ ସେବାୟତ ଏହାକ କଣ ପ୍ରେସ ମିଟ୍ ବୋଲି ପ୍ରଶ୍ନ କରିବାରୁ ସାମ୍ବାଦିକ ମାନେ ତାତିଲେ ଓ ହୋହଲ୍ଲାରେ ମାତିଲେ । ବୈଠକକୁ ବର୍ଜନ କରିବା ପାଇଁ ଉଦ୍ୟମ କରୁଥିବା ବେଳେ ପ୍ରଶାସନିକ ଅଧିକାରୀ ଓ ପୋଲିସ ବୁଝାସୁଝା କରିବାରୁ ପରିସ୍ଥିତି ଶାନ୍ତ ପଡିଥିଲା । ଆଇନମନ୍ତ୍ରୀ ଅଧ୍ୟକ୍ଷତା କରୁଥିବା ବେଳେ ସେବାୟତ ମାନେ ଉପରେ ପଡି ଆଦେଶ ଦେବା ଠିକ୍ ନୁହେଁ ବୋଲି କେତେକ ସାମ୍ବାଦିକ କହିଥିଲେ ।
ତାଳି ମାରନ୍ତୁ ନାହିଁ ଏହା ତାଳି ମାରିବା ଯାଗାନୁହେଁ- ଭକ୍ତ ଓ ସହରବାସୀଙ୍କ ପାଇଁ ସାମ୍ବାଦିକ ମାନେ ସହରର ବିଭିନ୍ନ ସମସ୍ୟା ଓ ଅସୁବିଧା ସମୟରେ ମନ୍ତ୍ରୀଙ୍କୁ ଅବଗତ କରାଉଥିବା ବେଳେ ସତ୍ୟ ଅନୁଭୂତିକୁ ନେଇ ଗୃହରେ ପ୍ରବଳ ତାଳି ମାଡ ହୋଇଥିଲା । ଏହା ଦେଖି ଗୃହରେ ଅଧ୍ୟକ୍ଷତା କରୁଥିବା ଆଇନମନ୍ତ୍ରୀ କହିଲେ ଏହା ତାଳି ମାରିବା ଯାଗା ନୁହେଁ । ମହାପ୍ରଭୁଙ୍କ କାମ ପାଇଁ ଆମେ ସମସ୍ତେ ଏକାଠି ହୋଇଛେ । ଅଭାବ ଅସୁବିଧା ସଂପର୍କରେ କୁହନ୍ତୁ । ତାଳି ମାରନ୍ତୁ ନାହିଁ ବୋଲି ମନ୍ତ୍ରୀ ନିବେଦନ କରିଥିଲେ ।
ଆସୁଛି କୋଭିଡ-ତୁଣ୍ଡି ଭିଡି ! - ଚଳିତବର୍ଷ କୋଭିଡ ଯଦିଓ ମାରାତ୍ମକ ନୁହେଁ ତଥାପି ଜନଗହଳିରେ ସଚେତନତାର ଆବଶ୍ୟକତା ରହିଛି ବୋଲି ସ୍ୱାସ୍ଥ୍ୟମନ୍ତ୍ରୀ ଓ ସ୍ୱାସ୍ଥ୍ୟ ସଚିବ କହିଥିଲେ । ଯେଉଁ ବ୍ୟକ୍ତିଙ୍କର କୋଭିଡ ଲକ୍ଷଣ ଥିବ, ପ୍ରବଳ ଜ୍ୱର ହେଉଥିବ, ହାର୍ଟ ଆଟାକ ଥିବ ସେମାନେ ରଥ ଗହଳିକୁ ନାସିବା ପାଇଁ ମନ୍ତ୍ରୀ ପରାମର୍ଶ ଦେଇଥିଲେ । ଆସୁଥିବା ଭକ୍ତ ମାନେ ତୁଣ୍ଡରେ ମାକ୍ସ ବାନ୍ଧିବା ପାଇଁ ପରାମର୍ଶ ଦିଆଯାଇଥିଲା।
ଶ୍ରୀମନ୍ଦିର କାର୍ଯ୍ୟାଳୟ କମଳଯାକ......- ଜଣେ ସେବକ ଗୃହରେ ହଠାତ ଉଠିପଡି ମାଇକ୍ରୋଫୋନ ଧରି କହିଲେ ପରିକ୍ରମା ମାର୍ଗ ଯୋଗୁ କେତେକ ନେତା, ଅଧିକାରୀ,ଯନ୍ତ୍ରୀ କୋଟିପତି ହୋଇଛନ୍ତି । ଶ୍ରୀମନ୍ଦିର କାର୍ଯ୍ୟାଳୟରେ ଅନେକ ଖାଉ କର୍ମଚାରୀ ରହିଛନ୍ତି । ପରିକ୍ରମା ମାର୍ଗରେ ଯେତିକି ଦୁର୍ନୀତି ହୋଇଛି ସମସ୍ତେ ବନ୍ଧା ହୋଇଥିଲେ ଝାରପଡା ଜେଲ ପୂର୍ଣ୍ଣ ହୋଇଯାଇଥାନ୍ତା । ହାସ୍ୟରୋଳ ଛଳରେ କହିଲେ ଶ୍ରୀମନ୍ଦିର କାର୍ଯ୍ୟାଳୟ କମଳଯାକ ....
ଭୋଳାନାଥରେ ହେଉ ପଲ୍ଲିଶ୍ରୀ ମେଳା- ଦୁଇଜଣ ମହିଳା ଉଦ୍ଦ୍ୟୋଗୀ ରଥ ବୈଠକରେ କହିଲେ ଭୋଳାନାଥ ବିଦ୍ୟାପୀଠରେ ପଲ୍ଲିଶ୍ରୀ ମେଳା କରାଯାଉ । ସମୁଦ୍ରକୂଳ ଲାଇଟହାଉସ ନିକଟରେ ପଲ୍ଲିଶ୍ରୀ ମେଳା ଆୟୋଜନ କରାଗଲେ ଯେତିକି ଟଙ୍କା ଷ୍ଟଲ, ଜିନିଷ ବୋହିବା, ରହିବା ଖାଇବାରେ ଖର୍ଚ୍ଚ ହେବ ସେତିକି ଟଙ୍କାର ବେପାର ହେବ ନାହିଁ । ଅଗ୍ନି ନିରାପତା ପାଇଁ ଭୋଳାନାଥରେ ମେଳା ଆୟୋଜନ ଅନୁମତି ମିଳୁନାହିଁ ବୋଲି ମନ୍ତ୍ରୀ କହିଥିଲେ । କେତେକ ସଭ୍ୟ ଏହି ମେଳାକୁ ସରକାରୀ ବସଷ୍ଟାଣ୍ଡ ଭିତରେ,ଅର୍ବାନ ହାଟ କିମ୍ବା ଜିଲ୍ଲା ସ୍କୁଲରେ ଆୟୋଜନ କରିବାକୁ ମତ ଦେଇଥିଲେ ।
ରଥଯାତ୍ରୀଙ୍କ ପାଇଁ ଆଶ୍ରୟସ୍ଥଳୀ କରାଯାଉ-ବୈଠକ ଚାଲି ଥିବା ସମୟରେ ରାଜ୍ୟସଭା ସାଂସଦ ଶୁଭାଶିଷ ଖୁଂଟିଆ କହିଲେ ପ୍ରବଳ ଭକ୍ତ ଓ ରଥଯାତ୍ରୀ ଆଶ୍ରୟ ସ୍ଥଳ ଅଭାବରୁ ବଡଦାଣ୍ଡ ସାରା ସାହିଗଳିକନ୍ଦିରେ ଓ ସମୁଦ୍ରକୂଳ ବାଲିରେ ଶୋଉଛନ୍ତି । ବର୍ଷା ହେଲେ ସେମାନେ ଓଦା ହୋଇଯାଉଛନ୍ତି । ଏଣୁ ଅଧିକ ସଂଖ୍ୟକ ଅସ୍ଥାୟୀ ଭକ୍ତ ଆଶ୍ରୟ ସ୍ଥଳୀ ନିର୍ମାଣ କରିବା ପାଇଁ ଆଇନମନ୍ତ୍ରୀଙ୍କ ନିକଟରେ ଦାବି କରିଥିଲେ ଏହାସହ ଖାଦ୍ୟ, ପାନୀୟଜଳ ଓ ଶୌଚାଳୟର ସୁବିଧା ଦିଆଯାଉ । ସ୍ୱେଚ୍ଛାସେବୀ ଅନୁଷ୍ଠାନ ମାନେ ପାସ ପାଇ ବଡଦାଣ୍ଡରେ ଏପଟସେପଟ ନହୋଇ ଆଶ୍ରୟ ସ୍ଥଳରେ କାମ କରନ୍ତୁ । ସାହିବାସିନ୍ଦା ମାନେ ଗୁଣ୍ଡିଚା, ବାହୁଡା ଓ ସୁନାବେଶ ଦିନ ନିଜ ଘରକୁ ଯିବା ପାଇଁ ପୋଲିସ ଛାଡ଼ୁନାହିଁ । ସାହି ଛକରେ ପୋଲିସଙ୍କ ସହ ଦୁଇତିନି ଜଣ ସ୍ଥାନୀୟ ବ୍ୟକ୍ତିଙ୍କୁ ଚିହ୍ନଟ ପାଇଁ ରଖାଯାଉ । ପୁରୀବାସିନ୍ଦାଙ୍କ ପାଇଁ ଦୁଇତିନି ଘଣ୍ଟା ଦର୍ଶନ ବ୍ୟବସ୍ଥା ରଖାଯାଉ । ଗୁଣ୍ଡିଚା ମନ୍ଦିର ନିକଟରେ ଦ୍ୱାର ବନ୍ଦ ପର୍ଯ୍ୟନ୍ତ ହଜିବା ଖୋଜିବା ଭକ୍ତ ମାନଙ୍କ ପାଇଁ ସୂଚନା କେନ୍ଦ୍ର ଖୋଲାରହୁ ।
ଅଟୋ ଉତ୍ପାତ ବନ୍ଦ କରାଯାଉ- ପୁରୀରେ ୩୦ ହଜାର ଅଟୋ ସହରର ବିଭିନ୍ନ ଆଡେ ବୁଲୁଛି । ଅଟୋରେ କମ ବାଟ ଗଲେ ମଧ୍ୟ ୧୦୦ ଟଙ୍କା ମାଗୁଛନ୍ତି । ଡିଜେଲ ଅଟୋ ଓ ଇ ଅଟୋଙ୍କ ଉତ୍ପାତ ବଢିଗଲାଣି । ଚାରି ସିଟ ଥିଲେ ମଧ୍ୟ ୮ ଜଣ ବସୁଛନ୍ତି । ଆରଟିଓ ପକ୍ଷରୁ ଏମାନଙ୍କୁ ଧରାଯାଇ ଫାଇନ କରାଯାଉନାହିଁ । ପୁରୀକୁ ପ୍ରଭୁଙ୍କ ଦର୍ଶନ ପାଇଁ ଆସୁଥିବା ଭକ୍ତ ଶୋଷଣର ଶିକାର ହୋଇ ଦୁଖିତ ମନରେ ଫେରୁଛି । ଏହା ପୁରୀର ମାନସମ୍ମାନକୁ ଖୀର୍ଣ୍ଣ କରୁଛି । ଏମାନଙ୍କୁ ନିଅନ୍ତ୍ରଣ କରିବା ପାଇଁ ବିଷ୍ଣୁ ଭାଇ କହିଥିଲେ ।
ହିନ୍ଦୁସ୍ଥାନ ସମାଚାର/ବିଜୟ/ଭାନୁ
ହିନ୍ଦୁସ୍ଥାନ ସମାଚାର / ବିଜୟ