ପୁରୀ, ୯ ଜୁନ୍ (ହି.ସ.)- ଆଇନମନ୍ତ୍ରୀ ପୃଥିବୀରାଜ ହରିଚନ୍ଦନଙ୍କ ଅଧ୍ୟକ୍ଷତାରେ ଚଳିତବର୍ଷ ରଥଯାତ୍ରା ଦ୍ବିତୀୟ ସମନ୍ବୟ ବୈଠକ ଟାଉନହଲ ଠାରେ ଅନୁଷ୍ଠିତ ହୋଇଯାଇଛି । ସୁରୁଖୁରୁରେ ରଥଯାତ୍ରା ସମାପନ କରିବା ପାଇଁ ମନ୍ତ୍ରୀ ସମସ୍ତଙ୍କ ସହଯୋଗ ଲୋଡିଥିଲେ । ପ୍ରାରମ୍ଭରୁ ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଉପନିର୍ଦ୍ଦେଶକ ସନ୍ତୋଷ କୁମାର ସେଠୀ ଅତିଥି ମାନଙ୍କୁ ମଞ୍ଚକୁ ନିମନ୍ତ୍ରଣ କରିଥିଲେ । ଜିଲ୍ଲାପାଳ ସିଦ୍ଧାର୍ଥ ଶଙ୍କର ସ୍ୱାଇଁ ସ୍ବାଗତ ଭାଷଣ ସହ ଅତିଥିମାନଙ୍କ ପରିଚୟ ପ୍ରଦାନ କରିଥିଲେ । ରଥଯାତ୍ରା ଏଜେଣ୍ଡା ଅନୁଯାଇ ବୈଠକ ପରିଚାଳିତ ହୋଇଥିଲା । ନୟାଗଡ ଓ ଖୋର୍ଦ୍ଧା ବନଖଣ୍ଡ ଅଧିକାରୀ ମାନେ ରଥକାଠ ଯୋଗାଣ ସମ୍ପର୍କରେ ମତାମତ ଦେଇଥିଲେ । ରଥନିର୍ମାଣ ସମ୍ପର୍କରେ ଶ୍ରୀମନ୍ଦିର ମୁଖ୍ଯ ପ୍ରଶାସକ ଡଃ. ଅରବିନ୍ଦ ପାଢୀ କହିଲେ, ରଥ ନିର୍ମାଣ କାର୍ଯ୍ୟ ଆଗେଇ ଚାଲିଛି । ମହାରଣାଙ୍କ ନିଷ୍ଠା ଯୋଗୁ ସ୍ନାନପୂର୍ଣ୍ଣିମା ଚାରିଦିନ ପୂର୍ବରୁ ତିନି ରଥର ଚାରିନାହାକା ଉଠିବା ସମ୍ଭବ ହୋଇଛି । ତାମିଲନାଡୁର ଗ୍ରେଡ ୱାନ ଚନ୍ଦନକାଠ ମହଜୁଦ ଅଛି । ନୀତିକାନ୍ତି ବ୍ଯବସ୍ଥାବଳୀ ସମ୍ପନ୍ନ ହୋଇଛି । ପାଳିଆ ସେବକ ଓ ଅଧିକାରୀ ମାନଙ୍କ ମଧ୍ୟରେ ବିଭିନ୍ନ ପ୍ରସଙ୍ଗ ଆଲୋଚନା ସରିଛି । ଶ୍ରୀଗୁଣ୍ଡିଚା ମନ୍ଦିର ନବୀକରଣ କାର୍ଯ୍ୟ ଶେଷ ପର୍ଯ୍ଯାୟରେ ପହଞ୍ଚିଛି । ରଥଯାତ୍ରା ପାଇଁ ଭକ୍ତ ବୀମା କରାଯାଇଛି । ସ୍ନାନପୂର୍ଣ୍ଣିମା ଠାରୁ ନୀଳାଦ୍ରି ବିଜେ ପର୍ଯ୍ୟନ୍ତ ସେବାୟତଙ୍କ ସହଯୋଗରେ ମହାପ୍ରଭୁଙ୍କ ରଥଯାତ୍ରା ସୁରୁଖୁରୁରେ ସମାପନ ପାଇଁ ଆଶା କରିଥିଲେ ପୁରୀ ବିଧାୟକ ସୁନିଲ କୁମାର ମହାନ୍ତି। ସ୍ଥାନୀୟ ବାସିନ୍ଦା ମାନଙ୍କୁ ପରିଚୟ ପତ୍ର ଦେଖାଇ ଶ୍ରୀମନ୍ଦିର ଭିତରକୁ ପ୍ରବେଶ ଅନୁମତି ଦିଆଯାଉ। ଶ୍ରୀଗୁଣ୍ଡିଚା ମନ୍ଦିରରେ ମହାପ୍ରଭୁ ଅବସ୍ଥାନ କରୁଥିବା ସମୟରେ ଏକ ନିର୍ଦ୍ଦିଷ୍ଟ ସମୟ ଟାଇମ ସ୍ଲଟ କରି ଦର୍ଶନ ବ୍ଯବସ୍ଥା ପାଇଁ ଶ୍ରୀ ମହାନ୍ତି ଦାବି କରିଥିଲେ । ସ୍ବାସ୍ଥ୍ୟ ସେବା ସମ୍ପର୍କରେ ସ୍ବାସ୍ଥ୍ୟ ମନ୍ତ୍ରୀ ଓ ସିଡିଏମଓ ରଥଯାତ୍ରା ସମୟରେ ସ୍ବାସ୍ଥ୍ୟ ସେବାକୁ ତ୍ବରାନ୍ବିତ କରିବା ପାଇଁ ଆଲୋକପାତ କରିଥିଲେ । ଅଧିକ ଡାକ୍ତର, ନର୍ସ, ପାରାମେଡ଼ିକାଲ ଷ୍ଟାଫ୍ ନିୟୋଜିତ ହେବେ । ଖାଦ୍ଯ ଯାଞ୍ଚ ପାଇଁ ସ୍ବତନ୍ତ୍ର ଟିମ ଯାଞ୍ଚ କରିବେ । କୋଭିଡ ପାଇଁ ସଚେତନ ରହିବା ସହ ଗୁରୁତର ଅସୁସ୍ଥ ରୋଗୀ ରଥଯାତ୍ରା ଗହଳିରେ ପ୍ରବେଶ ନକରିବା ପାଇଁ ପରାମର୍ଶ ଦେଇଥିଲେ । ଅଂଶୁଘାତ ଚିକିତ୍ସା ପାଇଁ ସ୍ବତନ୍ତ୍ର ବ୍ଯବସ୍ଥା କରାଯିବ । ଏହି ଆଲୋଚନାରେ ଲୋକସଭା ସାଂସଦ ଡା. ସମ୍ବିତ ପାତ୍ର ହାର୍ଟ ଆଟାକ ରୋଗୀଙ୍କ ପାଇଁ ଏନଜିଓଗ୍ରାମ ଓ ଅଭିଜ୍ଞ ଡାକ୍ତର ନିୟୋଜିତ କରିବା ଓ ବର୍ଣ ୟୁନିଟ ପାଇଁ ସୁପର ସ୍ପେସିଆଲିଷ୍ଟ ହସପିଟାଲ ପାଇଁ ଦାବି କରିଥିଲେ । ଆଇଡିଏଚରେ ଥିବା ୨୦ଟି ଆୟୁସିୟୁ ବେଡ ସବୁଦିନିଆ କରିବା ପାଇଁ ଗୃହରେ ଦାବି ହୋଇଥିଲା । ରଥଯାତ୍ରା ସମୟରେ ନିରବଛିନ୍ନ ଜଳ ଯୋଗାଣ ପାଇଁ ସମସ୍ତ ବ୍ଯବସ୍ଥା କରାଯାଇଛି ବୋଲି ୱାଡୋକୋ ଅଧିକାରୀ କହିଥିଲେ । ସମସ୍ତ ସ୍ବରେଜ ଓ ମ୍ଯାନ ହୋଲକୁ ତନଖି କରିବା ପାଇଁ ଆଇନମନ୍ତ୍ରୀ ପରାମର୍ଶ ଦେଇଥିଲେ । ପୌରସଂସ୍ଥା ପକ୍ଷରୁ ସମସ୍ତ ସାହି ନାଳ ଗୁଡିକ ସଫା କରାଯାଇଛି । ପୌରସଂସ୍ଥା ଅଧିନ ରାସ୍ତା ଗୁଡିକ ମରାମତି କରାଯିବ । ମଶା ତେଲ ଓ ବ୍ଲିଚିଙ୍ଗ ପକାଯିବ । ରଥ ଗଡିବା ପରେ ପୋଡା ଦୀପ, ଛିଣ୍ଡା ଚପଲ, ପଇଡ ଓ ପ୍ଲାଷ୍ଟିକ ବୋତଲ ସଫା କରାଯିବ । ବଡଦାଣ୍ଡରେ ବୁଲୁଥିବା ଗାଈ ଗୋରୁଙ୍କୁ କାଞ୍ଜିଆଗୋଦାରେ ରଖାଯିବ । ୧୪୩ ହାଇମାକ୍ସ ଲାଇଟ ଲଗାଯାଇଛି । ସମୁଦ୍ରକୂଳ ରାସ୍ତାରେ ୨୬୫ଟି ଲାଇଟ ଜଳିବ । ପୌରାଞ୍ଚଳରେ ୯ ହଜାର ଷ୍ଟ୍ରିଟ ଲାଇଟ ଲଗାଯାଇଛି । ବର୍ଷା ହେଲେ ଜଳ ନିଷ୍କାସନ ପାଇଁ ୩୦ଟି ମୋଟର ପମ୍ପ ସେଟ ରଖାଯାଇଛି । ବିଦ୍ୟୁତ ବ୍ଯବସ୍ଥା ଉପରେ ଟିପିସିଓଡିଏଲ ଅଧିକାରୀ ରଥଯାତ୍ରା ପାଇଁ ନିଆଯାଇଥିବା ବିଭିନ୍ନ ପଦକ୍ଷେପ ସଂପର୍କରେ ମତ ଦେଇଥିଲେ । ନିରବଛିନ୍ନ ବିଦ୍ୟୁତ ଯୋଗାଣ, ବିପଦସଙ୍କୁଳ ବିଦ୍ୟୁତ ଖୁଣ୍ଟ ଅପସାରଣ, ଆଶ୍ରୟସ୍ଥଳ, ବସଷ୍ଟାଣ୍ଡ, ପାର୍କିଂ ସ୍ଥାନ, ପୋଲିସ ଶିବିର, ଡାକ୍ତରଖାନା, ଶ୍ରୀମନ୍ଦିର ଓ ଶ୍ରୀଗୁଣ୍ଡିଚା ମନ୍ଦିରକୁ ନିରବଛିନ୍ନ ବିଦ୍ୟୁତ ସେବା ଯୋଗାଇ ଦିଆଯିବ । ପରିବହନ ବିଭାଗ ପକ୍ଷରୁ ବସ ଚଳାଚଳ, ଦୁର୍ଘଟଣା ସ୍ଥଳରୁ ଗାଡି ଅପସାରଣ ଓ ମାଗଣା ଅଟୋରେ ରଥଯାତ୍ରୀଙ୍କୁ ନେବା ପାଇଁ ବ୍ଯବସ୍ଥା କରାଯାଇଛି । ରେଲବାଇ ପକ୍ଷରୁ ଯାତ୍ରୀମାନଙ୍କ ପାଇଁ ରହିବା ଓ ଖାଇବା ପାଇଁ ବ୍ଯବସ୍ଥା କରାଯାଇଛି । ଅଧିକ ଟିକେଟ କାଉଣ୍ଟର ଏବଂ ଅଧିକ ସୂଚନା ପ୍ରଦାନ କରାଯିବ । ଜାତୀୟ ରାଜପଥ ମରାମତି, ବଡଦାଣ୍ଡରେ ପିଚୁ ପଡିବା, କାଠପୋଲ ଠିକଠାକ କରିବା ଉପରେ ଆଲୋଚନା ହୋଇଥିଲା । ଅଗ୍ନିଶମ ବିଭାଗ ଉଦ୍ଧାର କାର୍ଯ୍ଯରେ ନିୟୋଜିତ ହେବେ । ଏହାସହ ଆଇନଶୃଙ୍ଖଳା, ଅତ୍ଯାବଶ୍ଯକ ସାମଗ୍ରୀ ଯୋଗାଣ, ସୂଚନା ଓ ପ୍ରସାରଣ, ସାସ୍କୃତିକ କାର୍ଯ୍ୟକ୍ରମ ସମ୍ପର୍କରେ ଆଲୋଚନା କରାଯାଇଥିଲା ।
ଏହି ବୈଠକରେ ସଂସ୍କୃତି ମନ୍ତ୍ରୀ ସୂର୍ଯ୍ଯବଂଶୀ ସ୍ବରଜ, ଜିଲ୍ଲା ପରିଷଦ ଅଧ୍ୟକ୍ଷା ସ୍ବପ୍ନାରାଣୀ ସ୍ବାଇଁ, ବ୍ରହ୍ମଗିରି ବିଧାୟିକା ଉପାସନା ମହାପାତ୍ର, ପିପିଲି ବିଧାୟକ ଆଶ୍ରିତ ପଟ୍ଟନାୟକ, ସତ୍ଯବାଦୀ ବିଧାୟକ ଓମପ୍ରକାଶ ମିଶ୍ର, ରାଜ୍ଯସଭା ସାଂସଦ ଶୁଭାଶିଷ ଖୁଣ୍ଟିଆ, କାକଟପୁର ବିଧାୟକ ତୁଷାରକାନ୍ତି ବେହେରା, ମନ୍ତ୍ରୀ, ସଚିବ ଓ ବିଭିନ୍ନ ବିଭାଗର ଅଧିକାରୀ, ସେବାୟତ, ମଠାଧୀଶ, ସାମ୍ବାଦିକ, ବୁଦ୍ଧିଜୀବୀମାନେ ଯୋଗଦେଇଥିଲେ ।
ହିନ୍ଦୁସ୍ଥାନ ସମାଚାର / ବିଜୟ