ସମ୍ବଲପୁର, ୧୦ ଜୁଲାଇ (ହି.ସ.) - ସମ୍ବଲପୁର ଜିଲ୍ଲା ଜମନକିରା ବ୍ଲକ ଅନ୍ତର୍ଗତ ଫାଶୀମାଲ ଡାକ୍ତରଖାନା ଛକ ରାସ୍ତାରେ ଖୋଲା ବିଦ୍ୟୁତ୍ ତାର ଉପରେ ଏକ ବଡ଼ ଶୁଖିଲା ଗଛ ପଡିବା ଅବସ୍ଥାରେ ଝୁଲି ରହିଛି । ଯଦି ଏହି ଗଛଟି ବିଦ୍ୟୁତ୍ ତାର ଉପରେ ପଡେ ତେବେ ଫାଶୀମାଲ ଓ ଲାଇଡା ମୁଖ୍ୟ ରାସ୍ତା ଉପରେ ବିଦ୍ୟୁତ୍ ତାର ଛିଣ୍ଡି ପଡିବ । ଫଳରେ ସେହି ସମୟରେ ରାସ୍ତାରେ ଯାଉଥିବା ଲୋକଙ୍କ ପାଇଁ ବଡ଼ ବିପଦ ସୃଷ୍ଟି କରିବାର ଆଶଙ୍କା ସୃଷ୍ଟି ହୋଇଛି । ସବୁଠାରୁ ଉଦବେଗର ବିଷୟ ବିପଦ ସଙ୍କୁଳ ଅବସ୍ଥାରେ ମୁଖ୍ୟ ବିଦ୍ୟୁତ ତାରଟି ରହିଥିବା ବେଳେ ବିଭାଗୀୟ କର୍ମଚାରୀମାନେ ସେଇ ଗଛ ତଳ ଦେଇ ଯିବାଆସିବା କରୁଥିବା ସହ ଉକ୍ତ ତାର ଠାରୁ ମାତ୍ର ୩୦ ମିଟର ଦୂରରେ ବିଦ୍ୟୁତ୍ ବିଭାଗର କାର୍ଯ୍ୟାଳୟ ରହିଛି । ବର୍ତମାନର ସ୍ଥିତି ଅନୁଯାୟୀ ପ୍ରବଳ ବର୍ଷା ହେଉଥିବା ବେଳେ ଗଛଟି ନଇଁ ତାର ପାଖରୁ ମାତ୍ର ଏକ ଫୁଟ ଉପରେ ଅଛି। ନିକଟରେ ରହୁଥିବା ବିଦ୍ୟୁତ୍ କର୍ମଚାରୀଙ୍କୁ ସ୍ଥାନୀୟ ଲୋକେ ଗତ ୮ ଦିନ ଧରି ଅଭିଯୋଗ କରି ଆସୁଥିଲେ ମ ଧ୍ୟ କେହି କର୍ଣ୍ଣପାତ କରୁନଥିବା ଅଭିଯୋଗ ହେଉଛି । ବିପଦଜନକ ଅବସ୍ଥାରେ ତଳେ ଝୁଲୁଛି ବିଦ୍ୟୁତ୍ ତାର ଓ କେଉଁ ମୁହୂର୍ତରେ ଶୁଖିଲା ଗଛ ପଡ଼ି ବଡ଼ ଧରଣର ଅଘଟଣ ଘଟିବା ଆଶଙ୍କା ଦେଖି ତୁରନ୍ତ ଏ ଦିଗରେ ବିଦ୍ୟୁତ୍ ବିଭାଗ ଆବଶ୍ୟକ ପଦକ୍ଷେପ ନେବା ପାଇଁ ବୁଦ୍ଧିଜୀବୀ ମହଲରୁ ଦାବି ହେଉଛି । ଏବେ ଦେଖିବାକୁ ଅପେକ୍ଷା ବିଦ୍ୟୁତ୍ ବିଭାଗ ବଡ଼ ଧରଣର ଅଘଟଣକୁ ଅପେକ୍ଷା କରିବ ନା ବିପଦ ସଙ୍କୁଳ ଅବସ୍ଥାରେ ଥିବା ଗଛଟିକୁ କାଟି ଅଂଚଳକୁ ବିପଦମୁକ୍ତ କରିବ ।
ହିନ୍ଦୁସ୍ଥାନ ସମାଚାର/ଶୈଳେଶ/ଭାନୁ
ହିନ୍ଦୁସ୍ଥାନ ସମାଚାର / ଶୈଳେଶ