କନ୍ଧମାଳ, ୧୦ ଜୁଲାଇ(ହି.ସ.) – କନ୍ଧମାଳ ଜିଲ୍ଲା ପରିଷଦ ସମ୍ମିଳନୀ କକ୍ଷରେ ଜିଲ୍ଲା ମତ୍ସ୍ୟ ବିଭାଗ ପକ୍ଷରୁ ଜାତୀୟ ମତ୍ସ୍ୟଚାଷୀ ଦିବସ ପାଳିତ ହୋଇଯାଇଛି। ଜିଲ୍ଲା ମତ୍ସ୍ୟ ଅଧିକାରୀ, କନ୍ଧମାଳ ଶ୍ରୀ ପ୍ରଫୁଲ୍ଲ କହଁରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ସମ୍ମାନିତ ଅତିଥି ଭାବରେ ଅତିରିକ୍ତ ଜିଲ୍ଲା ମାଜିଷ୍ଟ୍ରେଟ(ସାଧାରଣ), କନ୍ଧମାଳ ଶ୍ରୀ କୁଶଳ ଚନ୍ଦ୍ର ନାୟକ ଯୋଗଦେଇ ଚାଷୀମାନଙ୍କୁ ମତ୍ସ୍ୟଚାଷ ସମ୍ବନ୍ଧୀୟ ବିଭିନ୍ନ ଯୋଜନାରୁ ଫାଇଦା ଉଠାଇବା ପାଇଁ ପ୍ରବର୍ତାଇଥିଲେ। ଏହି ଅବସରରେ ଅତିରିକ୍ତ ଜିଲ୍ଲା ପ୍ରାଣୀ ଚିକିତ୍ସା ଅଧିକାରୀ, କନ୍ଧମାଳ ଶ୍ରୀ ପ୍ରଣବ ପଟ୍ଟନାୟକ ମଂଚାସୀନ ଥାଇ ନିଜ ନିଜର ବିଭାଗୀୟ ଯୋଜନାଗୁଡ଼ିକ ସମ୍ବନ୍ଧରେ ଅବଗତ କରାଇଥିଲେ। ଜିଲ୍ଲା ମତ୍ସ୍ୟ ଅଧିକାରୀ ଶ୍ରୀ କହଁର ସ୍ୱାଗତ ଅଭିଭାଷଣ ପ୍ରଦାନ କରିବା ସହିତ ଏହି ଦିବସର ଉଦ୍ଦେଶ୍ୟ ସମ୍ପର୍କରେ କହିଥିଲେ। ଜିଲ୍ଲାର ୬ ଗୋଟି ବ୍ଲକରୁ ୫୦ ଜଣ ମତ୍ସ୍ୟ ଚାଷୀ, ମତ୍ସ୍ୟ ଉଦ୍ୟୋଗୀ, ମାଛ ଯାଆଁଳ ଉତ୍ପାଦନକାରୀ,ପ୍ରାଥମିକ ମତ୍ସ୍ୟ ସମବାୟ ସମିତିର ସଦସ୍ୟ ଏବଂ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀର ସଦସ୍ୟାମାନଙ୍କ ସମେତ ବ୍ଲକର ସମସ୍ତ ସହକାରୀ ମତ୍ସ୍ୟ ଅଧିକାରୀର ମାନେ ଯୋଗ ଦେଇଥିଲେ। ଏହି ଦିବସରେ ସଫଳ ମତ୍ସ୍ୟ ଚାଷୀ ଭାବରେ ଶ୍ରୀମତୀ ଅଞ୍ଜନା ପ୍ରଧାନ, ଟିକାବାଲି, ସଫଳ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ ଭାବରେ ବରଡା ବାଲୁଙ୍କେଶ୍ୱର, ଫୁଲବାଣୀ ଏବଂ ସଫଳ ମତ୍ସ୍ୟ ଉଦ୍ୟୋଗୀ ଭାବରେ ଶ୍ରୀମତୀ ସୁନୀତା ନାୟକ, ଚକାପାଦଙ୍କୁ ପୁରସ୍କୃତ କରାଯାଇଥିଲା। ସହକାରୀ ମତ୍ସ୍ୟ ଅଧିକାରୀ, ଫୁଲବାଣୀ ଶ୍ରୀ କାହୁଁ ଚରଣ ମୁଖି ସଭାକାର୍ଯ୍ୟ ପରିଚାଳନା କରିଥିବାବେଳେ ଶେଷରେ ସହକାରୀ ମତ୍ସ୍ୟ ଅଧିକାରୀ, ଖଜୁରୀପଡ଼ା ଅରୋଶ୍ରୀ ଅର୍ପିତା ମିଶ୍ର ଧନ୍ୟବାଦ ଅର୍ପଣ କରିଥିଲେ।
ହିନ୍ଦୁସ୍ଥାନ ସମାଚାର/ଗୋପବନ୍ଧୁ/ବୀଣାପାଣି
.......................................
ହିନ୍ଦୁସ୍ଥାନ ସମାଚାର / ପ୍ରଶାନ୍ତ