ଭୁବନେଶ୍ୱର,୧୦ ଜୁଲାଇ (ହି.ସ.) - ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ ଚିକିତ୍ସା ପରେ ଆସନ୍ତା ୧୨ ତାରିଖରେ ଓଡ଼ିଶା ଫେରିବେ। ସେ ମୁମ୍ବାଇରୁ ଭୁବନେଶ୍ୱର ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରରେ ଅପରାହ୍ଣ ୧ଟାରେ ପହଂଚିବେ। ନବୀନଙ୍କ ରାଜନୈତିକ ସଚିବ ସନ୍ତୃପ୍ତ ମିଶ୍ର ଗଣମାଧ୍ୟମକୁ ଏହି ସୂଚନା ଦେଇଛନ୍ତି।
ଅସ୍ତ୍ରୋପଚାର ପରେ ସମ୍ପୂର୍ଣ୍ଣ ସୁସ୍ଥ ହୋଇ ବିଜେଡି ସଭାପତି ନବୀନ ପଟ୍ଟନାୟକ ଗତ ୭ ତାରିଖ ଦିନ ହସ୍ପିଟାଲରୁ ଡିସଚାର୍ଜ ହୋଇଛନ୍ତି। ଚିକିତ୍ସାରେ ଉତ୍ସର୍ଗୀକୃତ ସେବା ପାଇଁ ସେ ହସ୍ପିଟାଲର ସମସ୍ତ ଡାକ୍ତରୀ ଟିମ୍ ଙ୍କୁ ଧନ୍ୟବାଦ ଜଣାଇଛନ୍ତି। ଏଥିସହ ଓଡ଼ିଶାବାସୀ, ଶୁଭେଚ୍ଛୁଙ୍କ ସମେତ ସଭିଙ୍କ ଶୁଭେଚ୍ଛା ବାର୍ତା ଓ ମଙ୍ଗଳ କାମନା ପାଇଁ ସେ କୃତଜ୍ଞତା ଜଣାଇଛନ୍ତି।
ସୂଚନାଯୋଗ୍ୟ, ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ ସର୍ଭିକାଲ ଆର୍ଥ୍ରାଇଟିସ୍ ର ଚିକିତ୍ସା ପାଇଁ ଗତମାସ ୨୦ ତାରିଖ ଦିନ ମୁମ୍ବାଇ ଯାଇଥିଲେ। ମୁମ୍ବାଇସ୍ଥିତ କୋକିଲାବେନ୍ ଧୀରୁଭାଇ ଅମ୍ବାନୀ ହସ୍ପିଟାଲରେ ତାଙ୍କର ଚିକିତ୍ସା ହୋଇଥିଲା।
---------------
ହିନ୍ଦୁସ୍ଥାନ ସମାଚାର / ବନ୍ଦନା