କେନ୍ଦ୍ରାପଡ଼ା, ୧୦ ଜୁଲାଇ(ହି.ସ.) – ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ଏବଂ ଜିଲ୍ଲା ସଂସ୍କୃତି ବିଭାଗର ମିଳିତ ଆନୁକୁଲ୍ୟରେ ଓଡିଶା ସାହିତ୍ୟ ଏକାଡେମୀର ସ୍ୱନକ୍ଷତ୍ର ଦିବସ ଉପଲକ୍ଷେ ଏକ ଜିଲ୍ଲାସ୍ତରୀୟ ସାହିତ୍ୟ ସମ୍ପର୍କିତ ପ୍ରତିଯୋଗିତା ବିଦ୍ୟାଳୟରେ ଅଧ୍ୟୟନରତ ଛାତ୍ରଛାତ୍ରୀମାନଙ୍କ ମଧ୍ୟରେ କେନ୍ଦ୍ରାପଡ଼ା ସଦର ମହକୁମାସ୍ଥିତ କେନ୍ଦ୍ରାପଡ଼ା ସରକାରୀ ଉଚ୍ଚ ବିଦ୍ୟାଳୟଠାରେ ଅୟୋଜିତ ହୋଇଯାଇଛି। ୪ ଗୋଟି ବିଭାଗ ଯଥା ବକ୍ତୃତା, ପ୍ରବନ୍ଧ ଲିଖନ, କବିତା ଆବୃତି ଏବଂ ସାହିତ୍ୟ ସମ୍ପର୍କିତ ସାଧାରଣ ଜ୍ଞାନରେ ଉଭୟ କନିଷ୍ଠ ଓ ବରିଷ୍ଠ ବର୍ଗରେ ଉକ୍ତ ପ୍ରତିଯୋଗିତା ସମ୍ପାଦନ ହୋଇଥିଲା। ଜିଲ୍ଲାର ପ୍ରତ୍ୟେକ ବ୍ଲକରୁ କୃତକାର୍ଯ୍ୟ ହୋଇ ଜିଲ୍ଲାସ୍ତରୀୟ ପ୍ରତିଯୋଗିତା ପାଇଁ ମନୋନୀତ ହୋଇଥିବା ପ୍ରତିଯୋଗୀ ଏହି ପ୍ରତିଯୋଗିତାରେ ଭାଗ ନେଇ ନିଜର ସାହିତ୍ୟିକ ପ୍ରତିଭାକୁ ପ୍ରଦର୍ଶନ କରାଇଥିଲେ। କେନ୍ଦ୍ରାପଡ଼ା ଜିଲ୍ଲାର ମାନ୍ୟଗଣ୍ୟ ସାହିତ୍ୟିକ ତଥା କବିମାନଙ୍କର ମଧ୍ୟରୁ ସର୍ବେଶ୍ୱର ସେଣ, ନୃସିଂହ ଚରଣ ତ୍ରିପାଠୀ, ରବି ନାରାୟଣ ପତି, ଅକ୍ଷୟ ନାୟକ, ହୃଷୀକେଶ ପଣ୍ଡା, ଅକ୍ଷୟ କୁମାର ପାଣି, ଶୈଳଜା ଶଙ୍କର ସାମଲ, ଅମର ପ୍ରସାଦ ରାଉତ ପ୍ରମୁଖ ବିଚାରକ ହିସାବରେ ଯୋଗଦାନ କରି କୃତି ପ୍ରତିଯୋଗୀଙ୍କୁ ଚୟନ କରିବା ସହିତ ଭବିଷ୍ୟତରେ କିପରି ନିଜର ସୃଜନଶୀଳତାକୁ ଆହୁରି ଦୃଢ କରିପାରିବେ ସେ ଉପରେ ବକ୍ତବ୍ୟ ରଖିଥିଲେ। ୮ ଗୋଟି ବର୍ଗରେ ମୋଟ ୨୪ ଜଣ କୃତି ପ୍ରତିଯୋଗୀଙ୍କୁ ପ୍ରମାଣପତ୍ର ଏବଂ ଟ୍ରଫି ପ୍ରଦାନ କରାଯାଇଥିଲା। ସୂଚନାଯୋଗ୍ୟ, ଜିଲ୍ଲାସ୍ତରୀୟ ପ୍ରତିଯୋଗିତାରେ ସମସ୍ତ ବିଭାଗରେ ପ୍ରଥମ ସ୍ଥାନ ଅଧିକାର କରିଥିବା ଛାତ୍ରଛାତ୍ରୀମାନେ ପରବର୍ତୀ ସମୟରେ ୧୩ ଜୁଲାଇ ଏବଂ ୨୦ ଜୁଲାଇରେ ଭୁବନେଶ୍ୱରସ୍ଥିତ ସଙ୍ଗୀତ ମହାବିଦ୍ୟାଳୟଠାରେ ଅୟୋଜିତ ହେବାକୁ ଥିବା ରାଜ୍ୟସ୍ତରୀୟ ପ୍ରତିଯୋଗିତାରେ ଭାଗ ନେବେ ଏବଂ ସେଠାରେ କୃତି ପ୍ରତିଯୋଗୀଙ୍କୁ ଆସନ୍ତା ୨୫ ଜୁଲାଇରେ ଅୟୋଜିତ ହେବାକୁ ଥିବା ଓଡିଶା ସାହିତ୍ୟ ଏକାଡେମୀର ସ୍ୱନକ୍ଷତ୍ର ଦିବସରେ ପୁରସ୍କୃତ କରାଯିବ। ଜିଲ୍ଲା ସଂସ୍କୃତି ଅଧିକାରୀ ତ୍ରିଭୁବନ ଜୟସିଂହ ଏବଂ ରାଜ କିଶୋର ରାଉତଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ଉକ୍ତ ପ୍ରତିଯୋଗିତା ଆୟୋଜନ କରାଯାଇଥିବା ବେଳେ ଉପଖଣ୍ଡ ସୂଚନା ଓ ଲୋକସମ୍ପର୍କ ଅଧିକାରୀ ଅଶୋକ ବଳିଆରସିଂହ ଏବଂ ଜିଲ୍ଲା କାର୍ଯ୍ୟାଳୟର କର୍ମଚାରୀମାନେ ସହଯୋଗ କରିଥିଲେ।
ହିନ୍ଦୁସ୍ଥାନ ସମାଚାର/ରବି/ବୀଣାପାଣି
.......................................
ହିନ୍ଦୁସ୍ଥାନ ସମାଚାର / ରବି