ଭଦ୍ରକ, ୧୨ ଜୁଲାଇ (ହି.ସ.) - ଫକୀର ମୋହନ ବିଶ୍ୱବିଦ୍ୟାଳୟର ୨୭ତମ ପ୍ରତିଷ୍ଠା ଦିବସ ନୂଆପାଢୀସ୍ଥିତ ନୂତନ କ୍ୟାମ୍ପସ ପରିସରରେ ପାଳିତ ହୋଇଯାଇଛି । ଏହି ଉତ୍ସବରେ ପୂର୍ବତନ କେନ୍ଦ୍ରମନ୍ତ୍ରୀ ତଥା ବାଲେଶ୍ୱର ସାଂସଦ ପ୍ରତାପ ଚନ୍ଦ୍ର ଷଢ଼ଙ୍ଗୀ ମୁଖ୍ୟ ଅତିଥିଭାବେ ଯୋଗଦାନ କରିଥିଲେ । ଏହି ଅବସରରେ ବାଲେଶ୍ୱର ଜିଲ୍ଲା ଓ ଭଦ୍ରକ ଜିଲ୍ଲାରୁ ଜଣେ ଲେଖାଏଁ ସାରସ୍ୱତ ପ୍ରତିଭାଧାରୀ ବ୍ୟକ୍ତିଙ୍କୁ ବିଶ୍ୱ ବିଦ୍ୟାଳୟର ସମ୍ମାନଜନକ ପୁରସ୍କାର “ବ୍ୟାସ ଗୌରବ ସମ୍ମାନ-୨୦୨୫” ପ୍ରଦାନ କରାଯାଇଛି । ଚଳିବ ବର୍ଷ ପାଇଁ ଭଦ୍ରକ ଜିଲ୍ଲାରୁ କୃଷିବିତ୍ ତଥା ଓଡ଼ିଶାର କୃଷିକବି ଅରୁଣ କୁମାର ପାତ୍ରଙ୍କୁ ତାଙ୍କ ଜୀବନ ବ୍ୟାପୀ କୃଷି ସାହିତ୍ୟ ସାଧନା ଓ ସମାଜସେବା ପାଇଁ ଏହି ବ୍ୟାସ ଗୌରବ ସମ୍ମାନ-୨୦୨୫ ପ୍ରଦାନ କରାଯାଇଛି । ଏଥିରେ ତାଙ୍କୁ ଫକୀର ମୋହନଙ୍କର ଧାତବ ମୂର୍ତି, ମାନପତ୍ର, ଉତରୀୟ ଏବଂ ପୁରସ୍କାର ଅର୍ଥରାଶି ପ୍ରଦାନ କରାଯାଇଛି । ଉଲ୍ଲେଖନୀୟ ଯେ ଶ୍ରୀ ପାତ୍ର ‘ଭାଗବତ ଛନ୍ଦେ କୃଷିବିଜ୍ଞାନ” ସମେତ ପ୍ରାୟ ୩୦ ଗୋଟିରୁ ଉର୍ଦ୍ଧ୍ୱ ପଦ୍ୟ ଓ ଗଦ୍ୟଧର୍ମୀ କୃଷି ପୁସ୍ତକ ରଚନା କରିଛନ୍ତି । ଏହା ବ୍ୟତୀତ ବିଶ୍ୱକବି ରବୀନ୍ଦ୍ର ନାଥ ଠାକୁରଙ୍କ ନୋବେଲ ପୁରସ୍କାର ପ୍ରାପ୍ତ ପୁସ୍ତକ ‘ଗୀତାଞ୍ଜଳି’କୁ ଉଭୟ ଇଂରାଜୀ ଓ ବଙ୍ଗଳାରୁ ଓଡ଼ିଆରେ ଅନୁବାଦ କରିଛନ୍ତି । ସେ ୧୯୯୩ ମସିହାରୁ ଆକାଶବାଣୀ ଓ ଦୂରଦର୍ଶନରେ ଗୀତିକାର ଭାବେ ସ୍ୱୀକୃତୀ ପ୍ରାପ୍ତ ହୋଇଛନ୍ତି । “ଓଡ଼ିଆ ସାହିତ୍ୟରେ ନୂତନ ଢଗଢମାଳି” ପୁସ୍ତକ ରଚନା କରିବା ସହିତ ସେ ଓଡ଼ିଆ ବର୍ଣ୍ଣ କ୍ରମରେ ପ୍ରାୟ ୧୦ ହଜାର ଢଗଢମାଳି ସଂଗ୍ରହ କରି ପ୍ରକାଶ କରିବାକୁ ଯାଉଛନ୍ତି । ଓଡ଼ିଶାର ଗଦ୍ୟଭିତିକ କୃଷି ସମ୍ପ୍ରସାରଣ ଧାରାରେ ସେ ପରିବର୍ତନ ଆଣି ଏହାକୁ ପଦ୍ୟଧର୍ମୀ କରିଛନ୍ତି । ଏହାଦ୍ୱାରା ରାଜ୍ୟର ବହୁ କୃଷିଜୀବୀ ଏହାକୁ କୃଷି କାର୍ଯ୍ୟରେ ବିନିଯୋଗ କରି ଉପକୃତ ହୋଇପାରୁଛନ୍ତି । “କୃଷକଙ୍କ ଭାଷାରେ କୃଷି ବିଜ୍ଞାନ” ପୁସ୍ତକ ପାଇଁ ୨୦୨୪ ବର୍ଷରେ ସେ “ଓଡ଼ିଶା ବିଜ୍ଞାନ ଏକାଡ଼େମୀ” ପୁରସ୍କାରପ୍ରାପ୍ତ ହୋଇଛନ୍ତି । ରାଜ୍ୟରେ ବିଭିନ୍ନ ସ୍ଥାନରେ ‘କୃଷିଟୁଙ୍ଗୀ’ ଗଠନ କରି କୃଷକମାନଙ୍କ ପାଇଁ କୃଷି ପାଠାଗାର ସ୍ଥାପନ କରୁଛନ୍ତି । ଏହି ଉତ୍ସବରେ ବିଶ୍ୱ ବିଦ୍ୟାଳୟର କୁଳପତି ପ୍ରଫେସର ସନ୍ତୋଷ କୁମାର ତ୍ରିପାଠୀ ଅଧ୍ୟକ୍ଷତା କରିଥିଲେ । କୁଳସଚିବ, ସ୍ନାତକୋତର ପରିଷଦର ଅଧ୍ୟକ୍ଷ ଓ ବିକାଶ ଅଧିକାରୀଙ୍କ ଉପସ୍ଥିତିରେ ଏହି ସମାରୋହ ଅନୁଷ୍ଠିତ ହୋଇଥିଲା ।ହିନ୍ଦୁସ୍ଥାନ ସମାଚାର/ପ୍ରମୋଦ/ଭାନୁ
ହିନ୍ଦୁସ୍ଥାନ ସମାଚାର / ପ୍ରମୋଦ କୁମାର ରାୟ