ଅଧ୍ୟାପକ ଦୁର୍ବ୍ୟବହାର କରୁଥିବା ଅଭିଯୋଗ
ଗୁରୁତର ଅବସ୍ଥାରେ ଭୁବନେଶ୍ୱର ଏମ୍ସରେ ଭର୍ତି
- ପ୍ରିନ୍ସିପାଲ ସସପେଣ୍ଡ , ଅଭିଯୁକ୍ତ ଗିରଫ
ଭୁବନେଶ୍ୱର, ୧୨ ଜୁଲାଇ (ହି.ସ.) – ବାଲେଶ୍ୱର ଅବସ୍ଥିତ ଫକୀର ମୋହନ ଅଟୋନୋମସ୍ କଲେଜ୍ ର ଜଣେ ଛାତ୍ରୀ, ଜଣେ ବରିଷ୍ଠ ଅଧ୍ୟାପକଙ୍କ ଦ୍ୱାରା ଦୀର୍ଘଦିନ ଧରି ଦୁର୍ବ୍ୟବହାର ଓ ଏଥି ପ୍ରତି ସଂସ୍ଥାଗତ ଅବହେଳାରେ ଅତିଷ୍ଠ ହୋଇ ଶନିବାର କଲେଜ୍ ଗେଟ୍ ସାମ୍ନାରେ ଆତ୍ମଦାହ ଉଦ୍ୟମ କରିଛନ୍ତି । ଆତ୍ମଦାହ ପରେ ଛାତ୍ରୀଙ୍କ ସ୍ଥିତି ଗୁରୁତର ରହିଛି ଏବଂ ସେ ଭୁବନେଶ୍ୱର ଏମ୍ସରେ ଚିକିତ୍ସିତ ହେଉଛନ୍ତି ।
ଅନ୍ୟପକ୍ଷରେ ଏହି ଘଟଣାରେ ଉଚ୍ଚଶିକ୍ଷା ବିଭାଗ କଡ଼ା କାର୍ଯ୍ୟାନୁଷ୍ଠାନ ନେଇଛି। ଫକୀର ମୋହନ କଲେଜର୍ ଅଧ୍ୟକ୍ଷ ଦିଲୀପ ଘୋଷ ସସ୍ପେଣ୍ଡ ହୋଇଥିବା ବେଳେ ଆସିଷ୍ଟା ପ୍ରଫେସର ସମୀର ସାହୁ ମଧ୍ୟ ସସ୍ପେଣ୍ଡ ହୋଇଛନ୍ତି। ଅଭିଯୁକ୍ତ ସମୀର ସାହୁଙ୍କୁ ପୋଲିସ ଗିରଫ କରିଛି।
ପ୍ରତ୍ୟକ୍ଷଦର୍ଶୀ ଏବଂ ସହପାଠୀମାନଙ୍କ ଅନୁସାରେ, ପୀଡ଼ିତା କଲେଜ୍ ବାହାରେ ବିରୋଧ ପ୍ରଦର୍ଶନ କରୁଥିବା ବେଳେ ନିଜ ଉପରେ ପେଟ୍ରୋଲ୍ ଢାଳି ନିଆଁ ଲଗାଇଦେଇଥିଲେ। ସେ କଲେଜ୍ ର ଶିକ୍ଷା ବିଭାଗର ମୁଖ୍ୟ ସମୀର ରଞ୍ଜନ ସାହୁଙ୍କ ଦ୍ୱାରା ମାନସିକ ନିର୍ଯ୍ୟାତନା ନେଇ ଅତିଷ୍ଠ ହୋଇ ପଡିଥିଲେ ।
ଦେହରେ ନିଆଁ ଲାଗିବା ପରେ ଛାତ୍ରୀଜଣକ ଗୁରୁତର ଅବସ୍ଥାରେ ଛଟପଟ ହେଉଥିବା ବେଳେ ତାଙ୍କୁ ସ୍ଥାନୀୟ ଲୋକେ ଉଦ୍ଧାର କରିଥିଲେ। ପ୍ରାଥମିକ ଚିକିତ୍ସା ପାଇଁ ତାଙ୍କୁ ପ୍ରଥମେ ବାଲେଶ୍ୱର ଜିଲ୍ଲା ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ସେଠାରେ ସ୍ୱାସ୍ଥ୍ୟବସ୍ଥା ସଂକଟାପନ୍ନ ହେବାରୁ ଭୁବନେଶ୍ୱର ଏମ୍ସକୁ ସ୍ଥାନାନ୍ତର କରାଯାଇଛି। ଅନ୍ୟପଟେ ଛାତ୍ରୀଙ୍କୁ ବଞ୍ଚାଇବାକୁ ଯାଇ ଅନ୍ୟ ମାନେ ମଧ୍ୟ ଆହତ ହୋଇଛନ୍ତି। ସେମାନେ ବାଲେଶ୍ୱର ମେଡିକାଲ କଲେଜରେ ଚିକିତ୍ସିତ ହେଉଛନ୍ତି।
କଲେଜ ଅଧ୍ୟାପକ ଛାତ୍ରୀଙ୍କୁ ଦୁର୍ବ୍ୟବହାର କରୁଥିବା ନେଇ ସେ କଲେଜ ଅଧ୍ୟକ୍ଷକଙ୍କ ପାଖରେ ଅଭିଯୋଗ କରିଥିଲେ। ଅଭିଯୋଗର ତଦନ୍ତ ପାଇଁ କଲେଜ କର୍ତ୍ତୃପକ୍ଷ ଏକ ଇଣ୍ଟରନାଲ କମିଟି ଗଠନ କରିଥିଲେ। ଅନ୍ୟପଟେ ଛାତ୍ରୀ ଜଣକ ଅଧ୍ୟାପକ ଅସଦାଚରଣ କରୁଥିବା ନେଇ ଥାନାର ମଧ୍ୟ ଦ୍ୱାରସ୍ଥ ହୋଇଥିଲେ। ପୁଲିସ ଛାତ୍ରୀଙ୍କ ବୟାନ ମଧ୍ୟ ରେକର୍ଡ କରିଥିଲା । ଆଜି କଲେଜ ଅଧ୍ୟକ୍ଷ ପୀଡିତା ଛାତ୍ରୀଙ୍କୁ କଥା ହେବା ପାଇଁ ଡାକିଥିଲେ। ପ୍ରିନ୍ସିପାଲଙ୍କ ପ୍ରକୋଷ୍ଠରୁ ବାହାରିବା ପରେ ଛାତ୍ରୀ ଜଣକ ନିଜ ଦେହରେ ପେଟ୍ରୋଲ ଢାଳି ହୋଇ ଆତ୍ମହତ୍ୟା ଉଦ୍ୟମ କରିଥିବା ଜଣାପଡ଼ିଛି। ଅଭିଯୁକ୍ତ ଅଧ୍ୟାପକଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେବା ବଦଳରେ ଘଟଣାକୁ ଚାପି ଦେବାକୁ ଉଦ୍ୟମ ହେଉଥିବା ଅନୁଭବ କରିବା ପରେ ପୀଡିତା ଚରମ ପଦକ୍ଷେପ ନେଇଥିବା ଅନୁମାନ କରାଯାଉଛି ।
---------------
ହିନ୍ଦୁସ୍ଥାନ ସମାଚାର / ବନ୍ଦନା