ଭୁବନେଶ୍ୱରରେ କଂଗ୍ରେସର ସମ୍ବିଧାନ ବଂଚାଅ ସମାବେଶ ସଫଳ : ଭକ୍ତ
ଭୁବନେଶ୍ୱର,୧୨ ଜୁଲାଇ (ହି.ସ.) - ସମ୍ବିଧାନ ବଂଚାଅ ମହାସମାବେଶର ଅଦ୍ଭୂତପୂର୍ବ ସଫଳତାରେ ବିଜେପି-ବିଜେଡି ଚକିତ ହୋଇଥିବା ସ୍ପଷ୍ଟ ହୋଇଛି। ବରମୁଣ୍ଡା ପଡିଆ ଭିତରେ ଯେତେ ଲୋକ ଥିଲେ ବାହାରେ ମଧ୍ୟ ସେତିକି ଲୋକ ରାହୁଲ ଗାନ୍ଧିଙ୍କୁ ଦେଖିବା ପାଇଁ ଘଂଟା ଘଂଟା ଧରି ଅପେକ୍ଷାରତ ଥିଲେ। ଡ୍ରାଇଭର ଧର୍ମଘଟ ନେଇ
ଭୁବନେଶ୍ୱରରେ କଂଗ୍ରେସର ସମ୍ବିଧାନ ବଂଚାଅ ସମାବେଶ ସଫଳ : ଭକ୍ତ


ଭୁବନେଶ୍ୱର,୧୨ ଜୁଲାଇ (ହି.ସ.) - ସମ୍ବିଧାନ ବଂଚାଅ ମହାସମାବେଶର ଅଦ୍ଭୂତପୂର୍ବ ସଫଳତାରେ ବିଜେପି-ବିଜେଡି ଚକିତ ହୋଇଥିବା ସ୍ପଷ୍ଟ ହୋଇଛି। ବରମୁଣ୍ଡା ପଡିଆ ଭିତରେ ଯେତେ ଲୋକ ଥିଲେ ବାହାରେ ମଧ୍ୟ ସେତିକି ଲୋକ ରାହୁଲ ଗାନ୍ଧିଙ୍କୁ ଦେଖିବା ପାଇଁ ଘଂଟା ଘଂଟା ଧରି ଅପେକ୍ଷାରତ ଥିଲେ। ଡ୍ରାଇଭର ଧର୍ମଘଟ ନେଇ ପ୍ରଥମରୁ ଅନିଶ୍ଚିତତା ନଥିଲେ ଆହୁରି ମଧ୍ୟ ଅଧିକ ଜନସମାଗମ ହୋଇଥାନ୍ତା। ଏହା ରାହୁଲ ଗାନ୍ଧୀ, ମଲ୍ଲିକାର୍ଜୁନ ଖଡ଼ଗେଜୀ ପ୍ରମୁଖଙ୍କ ନେତୃତ୍ୱାଧୀନ କଂଗ୍ରେସ ଦଳ ସପକ୍ଷରେ ଅନ୍ତଃସ୍ରୋତକୁ ଦର୍ଶାଉଛି ବୋଲି ଶନିବାର ମଧ୍ୟାହ୍ନରେ କଂଗ୍ରେସ ଭବନରେ ଆହୂତ ସାମ୍ବାଦିକ ସମ୍ମିଳନୀରେ ପିସିସି ସଭାପତି ଭକ୍ତ ଚରଣ ଦାସ ପ୍ରକାଶ କରିଛନ୍ତି।

ପିସିସି ମିଡ଼ିଆ ସେଲ୍ ଅଧ୍ୟକ୍ଷ ଅରବିନ୍ଦ ଦାସଙ୍କ ପୌରହିତରେ ଆୟୋଜିତ ଉକ୍ତ ସାମ୍ବାଦିକ ସମ୍ମିଳନୀରେ ପିସିସି ସଭାପତି ଶ୍ରୀ ଦାସ ମହାସମାବେଶ ପ୍ରତି ରାଜ୍ୟ ବାସୀଙ୍କ ଅକୁଣ୍ଠ ସହଯୋଗ ପାଇଁ ଧନ୍ୟବାଦ ଅର୍ପଣ କରିଥିଲେ। ଶ୍ରୀ ଦାସ ସ୍ୱତନ୍ତ୍ର ଭାବେ ଡ୍ରାଇଭର ମହାସଂଘକୁ କୃତଜ୍ଞତା ଜଣାଇ କହିଥିଲେ, କେବଳ ମହାସମାବେଶ ପାଇଁ ହିଁ ମହାସଂଘ ଧର୍ମଘଟକୁ କୋହଳ କରିବା ଦ୍ୱାରା ସରକାର ଓ ବିଜେପିର ଚକ୍ରାନ୍ତ ଭଣ୍ଡୁର ହୋଇଥିଲା। ଏଥିସହିତ ସମଗ୍ର ରାଜ୍ୟରେ ଡ୍ରାଇଭର ମହାସଂଘର ଆନ୍ଦୋଳନକୁ ସମର୍ଥନ କରିବା ପାଇଁ ଶ୍ରୀ ଦାସ ସମସ୍ତ କଂଗ୍ରେସ ସଂଗଠନ ଓ କର୍ମୀଙ୍କୁ ଆହ୍ୱାନ ଦେଇଥିଲେ। ରାଷ୍ଟ୍ରପତିଙ୍କ ବିଷୟରେ ଏଆଇସିସି ଅଧ୍ୟକ୍ଷ ଅଶାଳୀନ ଟିପ୍ପଣୀ ଦେଇଥିବା ନେଇ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କରିଥିବା ଅଭିଯୋଗକୁ ସେ ଖଣ୍ଡନ କରିଥିଲେ। ସେହିପରି, ରାହୁଲ ଗାନ୍ଧୀଙ୍କୁ 'ସାମନ୍ତବାଦୀ' ଆଖ୍ୟା ଦେଇଥିବା ଶ୍ରୀ ପ୍ରଧାନଙ୍କ ଟିପ୍ପଣୀ ନେଇ ସେ ପାଲଟା ପ୍ରଶ୍ନ କରିଥିଲେ, ଯିଏ ଦେଶର ବଡବଡ ପୁଞ୍ଜିପତିଙ୍କ ବିରୁଦ୍ଧରେ ଲଢ଼ୁଛନ୍ତି ସିଏ ସାମନ୍ତବାଦୀ ଅଥଚ ଯେଉଁମାନେ ମଧ୍ୟଯୁଗୀୟ ବିଚାରର ଅଧିକାରୀ ସେମାନେ କିପରି ଏପରି ଆକ୍ଷେପ କରିପାରିବେ? ଏହି ଅବସରରେ ଶ୍ରୀ ଦାସ ମହାସମାବେଶର ସୁପରିଚାଳନା ପାଇଁ ନିୟୋଜିତ ପୋଲିସ ପ୍ରଶାସନ ଓ ସହଯୋଗୀ ସରକାରୀ ସଂସ୍ଥାର ନିୟୋଜିତ ଅଧିକାରୀ ମାନଙ୍କୁ ଧନ୍ୟବାଦ ଜଣାଇ ଥିଲେ। ଅନୁରୁପ ଭାବେ ଶ୍ରୀଯୁକ୍ତ ଦାସ ରାଜ୍ୟର ସମସ୍ତ ଜିଲ୍ଲା ସଂଯୋଜକ, ସମସ୍ତ ଛାମୁଆ ସଂଗଠନର ମୁଖ୍ୟ ଓ କର୍ମକର୍ତା, ସମସ୍ତ ବିଭାଗ ପ୍ରକୋଷ୍ଠର ମୁଖ୍ୟ ଓ କର୍ମକର୍ତ୍ତା, କଂଗ୍ରେସ ଶୁଭେଚ୍ଛୁଙ୍କୁ ଧନ୍ୟବାଦ ଦେବାସହ କୃତଜ୍ଞତା ଜ୍ଞାପନ କରିଛନ୍ତି।

ଆଜିର ସାମ୍ବାଦିକ ସମ୍ମିଳନୀରେ ଅନ୍ୟମାନଙ୍କ ମଧ୍ୟରେ ପିସିସି କୋଷାଧ୍ୟକ୍ଷ ସିଦ୍ଧାର୍ଥ ସ୍ୱରୂପ ଦାସ, ଉପସଭାପତି ତାରାପ୍ରସାଦ ବାହିନୀପତି, ରମେଶ ଜେନା, ସିଏସ୍ ରାଜେନ୍ ଏକ୍କା, ସନ୍ତୋଷ ସିଂହ ସାଲୁଜା, ଦେବାଶିଷ ପଟ୍ଟନାୟକ, ଲଲାଟନ୍ଦୁ ମହାପାତ୍ର, ସସ୍ମିତା ବେହେରା ପ୍ରମୁଖ ଉପସ୍ଥିତ ଥିଲେ।

---------------

ହିନ୍ଦୁସ୍ଥାନ ସମାଚାର / ବନ୍ଦନା


 rajesh pande