ଭୁବନେଶ୍ୱର, ୧୨ ଜୁଲାଇ (ହି.ସ.) - ସୁସ୍ଥ ହୋଇ ଓଡ଼ିଶା ଫେରିଛନ୍ତି ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ। ସେ ଶନିବାର ଅପରାହ୍ନ ୧ଟାରେ ଭୁବନେଶ୍ୱର ବିମାନ ବନ୍ଦରରେ ପହଂଚିଛନ୍ତି । ଭୁବନେଶ୍ୱରରେ ପହଂଚିବା ପରେ ନବୀନଙ୍କୁ ଦଳର ସଦସ୍ୟମାନେ ସ୍ୱାଗତ ଜଣାଇଛନ୍ତି।
ଗତ ଜୁନ୍ ୨୦ ତାରିଖରେ ଚିକିତ୍ସା ପାଇଁ ନବୀନ ମୁମ୍ବାଇ ଯାଇଥିଲେ। ସର୍ଭିକାଲ ଆର୍ଥ୍ରାଇଟିସ୍ ସମସ୍ୟା ନେଇ ମୁମ୍ବାଇ ସ୍ଥିତ କୋକିଲାବେନ୍ ଧୀରୁଭାଇ ଅମ୍ବାନୀ ହସ୍ପିଟାଲରେ ଜୁନ୍ ୨୨ ତାରିଖରେ ନବୀନଙ୍କର ଅସ୍ତ୍ରୋପଚାର ହୋଇଥିଲା। ଜୁଲାଇ ୭ ତାରିଖରେ ସେ ହସ୍ପିଟାଲରୁ ଡିସଚାର୍ଜ ହୋଇଥିଲେ।
ମୁମ୍ବାଇ ଯିବା ପୂର୍ବରୁ ସାମାଜିକ ଗଣମାଧ୍ୟମ ‘ଏକ୍ସ’ରେ ପୋଷ୍ଟ କରି ନବୀନ ପଟ୍ଟନାୟକ କହିଥିଲେ, ସର୍ଭିକାଲ ଆର୍ଥ୍ରାଇଟିସ୍ ସମସ୍ୟା ନେଇ ମୋର ଚିକିତ୍ସା ହେବ। ମୁମ୍ବାଇସ୍ଥିତ କୋକିଲାବେନ୍ ଧୀରୁଭାଇ ଅମ୍ବାନୀ ହସ୍ପିଟାଲରେ ଏହି ଚିକିତ୍ସା ହେବ। ମୋର ବ୍ୟକ୍ତିଗତ ଡାକ୍ତର ରମାକାନ୍ତ ପଣ୍ଡାଙ୍କ ତ୍ୱାବଧାନରେ ଏହି ଚିକିତ୍ସା ହେବ।ଏଥି ପାଇଁ ପ୍ରଭୁ ଜଗନ୍ନାଥଙ୍କ ଆଶୀର୍ବାଦ ମାଗୁଛି। ଓଡ଼ିଆ ଭାଇଭଉଣୀଙ୍କର ଶୁଭକାମନା ଚାହୁଛି। ମୁଁ ଶୀଘ୍ର ସୁସ୍ଥ ହୋଇ ଫେରି ଆସିବି। ଓଡ଼ିଶାର ସମସ୍ତଙ୍କ ସେବା ଜାରି ରଖିବାକୁ ଅପେକ୍ଷା କରିଛି।
---------------
ହିନ୍ଦୁସ୍ଥାନ ସମାଚାର / ବନ୍ଦନା