ଧର୍ମଶାଳା,୧୨ଜୁଲାଇ(ହି.ସ.) - ରାଜ୍ୟ ସରକାର ଗୋପାଳନ ପାଇଁ ପ୍ରୋସାହ୍ନ ଦେଉଛନ୍ତି । ଏ ନେଇ ବହୁ ଯୋଜନା ମଧ୍ୟ କରୁନ୍ତି । ଅନ୍ୟ ପକ୍ଷେ ଗୋଧନ ପାଇଁ ଆବଶ୍ୟକୀୟ ସହାୟକ କେନ୍ଦ୍ର ନ ଥିବାରୁ ଅଂଚଳରେ ଗୋପାଳ ସଂଖ୍ୟା ଦିନକୁ ଦିନ କମିବାରେ ଲାଗୁଛି । ପୂର୍ବ ସରକାର ସମୟରେ ବହୁ ପ୍ରାଣୀଧନ ସହାୟକ କେନ୍ଦ୍ର କରିବାକୁ ବହୁ ଦାବି କରାଯାଇଥିଲେ ମଧ୍ୟ କେହି ଏହାକୁ ଗୁରୁତ୍ୱ ଦେଇ ନ ଥିଲେ । ଏବେ ସରକାର ପରିବର୍ତନ ପରେ ଆବଶ୍ୟକ ସ୍ଥାନରେ ସହାୟକ କେନ୍ଦ୍ର କରିବାକୁ ଅଂଚଳବାସୀଙ୍କ ପକ୍ଷରୁ ଦୃଢ ଦାବି ହେଉଛି । ଯାଜପୁର ଜିଲା ରସୁଲପୁର ବ୍ଲକ ମଙ୍ଗରାଜପୁର ପଂଚାୟତରେ ଥିବା ଏକ ଅଧପନ୍ତରିଆ ହୋଇ ପଡିଥିବା ଗୃହକୁ ପ୍ରାଣୀଧନ ସହାୟକ କେନ୍ଦ୍ର କରିବାକୁ ଅଂଚଳବାସୀ ଦାବି କରିଛନ୍ତି । ରସୁଲପୁର ବ୍ଲକର ମଙ୍ଗରାଜପୁର ପଂଚାୟତର ୧୮ ଗୋଟିୱାର୍ଡ,ଅର୍ଥଙ୍ଗା ପଂଚାୟତର ୧୭ଗୋଟି ୱାର୍ଡ,ସାମନ୍ତରାପୁର ପଂଚାୟତର ୧୬ଗୋଟି ୱାର୍ଡ ଓ ଯାଜପୁର ବ୍ଲକ ଝାଲପଡା ପଂଚାୟତର ୧୬ ଗୋଟି ୱାର୍ଡର ଶହଶହ ସଂଖ୍ୟାରେ ଗୋପାଳକାରୀମାନେ ୪ରୁ ୫ କିମି ବ୍ରହ୍ମବରଦା ଏବଂ ଅତି ଆବଶ୍ୟକସ୍ଥଳେ ୫କିମି ଦେଇ ନୀଳକଣ୍ଠପୁର ପ୍ରାଣୀଧନ ସହାୟକ କେନ୍ଦ୍ରକୁ ଯିବାକୁ ପଡିଥାଏ । ରାତି ସମୟରେ କୌଣସି ଅଘଟଣା ଘଟିଲେ ବହୁ ଖର୍ଚ୍ଚା ହେବାକୁ ପଡିଥାଏ । ଏହାକୁ ଦୃଷ୍ଟିରେ ରଖି ମଙ୍ଗରାଜପୁର ପଂଚାୟତର ତତ୍କାଳୀନ ସରପଂଚ ଭାଷ୍କର ମିଶ୍ରଙ୍କ ଉଦ୍ୟମ ଓ ଗ୍ରାମବାସୀଙ୍କ ସହଯୋଗରେ ୧୯୯୧-୯୨ମସିହାରେ ବାଲିଗୁଡା(ଦେଉଳି)ଠାରେ କଂକ୍ରିଟ ଘର ନିର୍ମାଣ ହୋଇଥିଲା । ହେଲେ ସରକାରୀ ସହାୟତାକୁ ଅପେକ୍ଷା କରି ଏବେ ଏହି ଗୃହ ଅଧପନ୍ତରିଆ ହୋଇପଡିଛି । ପୂର୍ବ ସରକାର ଓ ସ୍ଥାନୀୟ ଲୋକ ପ୍ରତିନିଧିଙ୍କ ନିକଟରେ ବାରମ୍ବାର ଅଭିଯୋଗ କଲେ ମଧ୍ୟ କିଛି ସୁଫଳ ମିଳି ନ ଥିଲା । ଏବେ ସରକାର ପରିବର୍ତନ ହେବା ପରେ ଗୋପାଳନକୁ ଗୁରୁତ୍ୱ ଦିଆ ଯାଉଛି । ତେବେ ଅଂଚଳର ସ୍ୱାର୍ଥ ଦୃଷ୍ଟିରୁ ମଙ୍ଗରାଜପୁରଠାରେ ଏକ ନୂତନ ପ୍ରାଣୀଧନ ସହାୟକ କେନ୍ଦ୍ର ପ୍ରତିଷ୍ଠା କରିବାକୁ ଅଂଚଳବାସୀ ଦାବି କରିଛନ୍ତି । ଏନେଇ ନିକଟ ଭବିଷ୍ୟତରେ ଅଂଚଳର ଭୈରବା ନନ୍ଦ ମିଶ୍ର,ନୃସିଂହ ଚନ୍ଦ୍ର ମିଶ୍ର,ମଧୁସୂଦନ ମିଶ୍ର,ଦାଶରଥୀ ମିଶ୍ର,ବଳରାମ ସର, ପ୍ରଭାକର ସାହୁ,ତନୁ ରାଉତ ଓ କୃଷ୍ଣ ଚନ୍ଦ୍ର ପାଢୀ ପ୍ରମୁଖ ଯାଜପୁର ସାଂସଦ ଡ. ରବିନ୍ଦ୍ର ନାରାୟଣ ବେହେରା ଓ ପ୍ରଶୁ ସମ୍ପଦ ମନ୍ତ୍ରୀଙ୍କୁ ଭେଟି ଦାବି ପତ୍ର ପ୍ରଦାନ କରାଯିବ ବୋଲି କହିଛନ୍ତି । ଏଠାରେ ପଶୁଧନ ସହାୟକ କନ୍ଦ୍ରେ ପ୍ରତିଷ୍ଠା ହେଲେ ପାଖାପାଖି ୫ହଜାରରୁ ଉର୍ଦ୍ଧ ଗୋପାଳକ ଉପକୃତ ହୋଇପାରିବେ ।
ହିନ୍ଦୁସ୍ଥାନ ସମାଚାର/ଚିନ୍ମୟ/ଭାନୁ
ହିନ୍ଦୁସ୍ଥାନ ସମାଚାର / ଚିନ୍ମୟ