କେରଳ ଇଂରାଜୀ ମିଡ଼ିଅମ ସ୍କୁଲରେ ଛାତ୍ର ମୃତ୍ୟୁ ଘଟଣା - ୧୧ଘଣ୍ଟା ପରେ ବ୍ୟବଛେଦ କରି ପରିବାର ଲୋକଙ୍କୁ ହସ୍ତାନ୍ତର କଲା ପୋଲିସ
ଚମ୍ପୁଆ, 13 ଜୁଲାଇ (ହି.ସ.) ଚମ୍ପୁଆ ସ୍ଥିତ କେରଳା ଇଂରାଜୀ ମିଡିୟମ ସ୍କୁଲରେ ଏକ ଦୁଃଖଦ ଘଟଣା ଘଟିଛି । ସ୍କୁଲ ପରିସରରେ ଥିବା ଚାରି ମହଲା ହଷ୍ଟେଲ କୋଠା ରୁ ଡେଇଁ ଜଣେ ଅନ୍ତେବାସୀ ଦଶମ ଶ୍ରେଣୀ ଛାତ୍ର ଆତ୍ମହତ୍ୟା କରିଥିବା ନେଇ ଅଭିଯୋଗ ହୋଇଛି । ମୃତ ଛାତ୍ରଙ୍କ ନାମ କ୍ରୀଷ୍ଣା ପ୍ରଧାନ । ଛାତ୍ରଙ୍
କେରଳ ଇଂରାଜୀ ମିଡ଼ିଅମ ସ୍କୁଲରେ ଛାତ୍ର ମୃତ୍ୟୁ ଘଟଣା - ୧୧ଘଣ୍ଟା ପରେ ବ୍ୟବଛେଦ କରି ପରିବାର ଲୋକଙ୍କୁ ହସ୍ତାନ୍ତର କଲା ପୋଲିସ


ଚମ୍ପୁଆ, 13 ଜୁଲାଇ (ହି.ସ.)

ଚମ୍ପୁଆ ସ୍ଥିତ କେରଳା ଇଂରାଜୀ ମିଡିୟମ ସ୍କୁଲରେ ଏକ ଦୁଃଖଦ ଘଟଣା ଘଟିଛି । ସ୍କୁଲ ପରିସରରେ ଥିବା ଚାରି ମହଲା ହଷ୍ଟେଲ କୋଠା ରୁ ଡେଇଁ ଜଣେ ଅନ୍ତେବାସୀ ଦଶମ ଶ୍ରେଣୀ ଛାତ୍ର ଆତ୍ମହତ୍ୟା କରିଥିବା ନେଇ ଅଭିଯୋଗ ହୋଇଛି । ମୃତ ଛାତ୍ରଙ୍କ ନାମ କ୍ରୀଷ୍ଣା ପ୍ରଧାନ । ଛାତ୍ରଙ୍କ ମୃତ୍ୟୁ ର କାରଣ ଅସ୍ପଷ୍ଟ ରହିଛି । ବିଦ୍ୟାଳୟ କର୍ତ୍ତୃପକ୍ଷ ଛାତ୍ର ଜଣକ ଆତ୍ମହତ୍ୟା କରିଥିବା ନେଇ ଅଭିଭାବକ ଓ ଥାନା କୁ ସୂଚନା ଦେଇଥିବା ବେଳେ ବିଦ୍ୟାଳୟ ପକ୍ଷରୁ ଶାରୀରିକ ଓ ମାନସିକ ନିର୍ଯ୍ୟାତନା ଯୋଗୁ ଛାତ୍ରଙ୍କ ମୃତ୍ୟୁ ଘଟିଥିବା ନେଇ ପିତା ସୁଧାଂଶୁ ଶେଖର ପ୍ରଧାନ ଅଭିଯୋଗ କରିଛନ୍ତି । ବିଦ୍ୟାଳୟ କର୍ତ୍ତୃପକ୍ଷଙ୍କ କହିବା ଅନୁସାରେ ଆଜି ସକାଳ ପ୍ରାୟ ସାଢେ଼ ପାଞ୍ଚଟା ବେଳେ ପ୍ରାର୍ଥନା ସଭାରୁ ଫେରି କ୍ରୀଷ୍ଣା ରହୁଥିବା ହଷ୍ଟେଲର ଚତୁର୍ଥ ମହଲାର ଝରକାରୁ ଡେଇଁ ପଡ଼ିଥିଲେ । ସେଠାରୁ ସଙ୍ଗେ ସଙ୍ଗେ ତାଙ୍କୁ ଚମ୍ପୁଆ ଉପଖଣ୍ଡ ଚିକିତ୍ସାଳୟ କୁ ଅଣାଯାଇଥିଲା । ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଖବର ପାଇ ଚମ୍ପୁଆ ଥାନାଧିକାରୀ ରମାକାନ୍ତ ମୁଦୁଲି ଡାକ୍ତରଖାନାରେ ପହଞ୍ଚି ମୃତଦେହକୁ ଜବତ କରିବା ସହ ବିଦ୍ୟାଳୟକୁ ଯାଇ ସିସିଟିଭି ଫୁଟେଜ ଯାଞ୍ଚ କରିଥିଲେ । ମୃତ ଛାତ୍ରଙ୍କ ପରିବାର ଲୋକେ ଏ ସମ୍ବନ୍ଧରେ ସୂଚନା ପାଇ ଡ଼ାକ୍ତରଖାନା ପହଞ୍ଚିବା ପରେ ପରିବାର ଲୋକ ଙ୍କ କ୍ରନ୍ଦନରେ ଡାକ୍ତରଖାନା ଫାଟି ପଡିଥିଲା। ଡାକ୍ତରଖାନା ପରିସରରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଥିଲା । ଧୀରେ ଧୀରେ ଡାକ୍ତରଖାନାରେ ଭିଡ ଜମିଥିଲା । ପରିବାର ଲୋକେ ବିଦ୍ୟାଳୟ କର୍ତ୍ତୁପକ୍ଷଙ୍କ ସହ ଆଲୋଚନା ପାଇଁ ଅଡି ବସିଥିଲେ । କିନ୍ତୁ ବିଦ୍ୟାଳୟ କର୍ତୃପକ୍ଷ ଡାକ୍ତରଖାନା ନ ଆସିବାରୁ ବିଦ୍ୟାଳୟ ସମ୍ମୁଖକୁ ଯାଇ ହୋ ହାଲ୍ଲା ମଧ୍ୟ କରିଥିଲେ। ତଥାପି କର୍ତୃପକ୍ଷଙ୍କ ଦେଖା ମିଳି ନ ଥିଲା। ଯାହା ଛାତ୍ର ଆତ୍ମ ହତ୍ୟା ପଛରେ ରହିଥିବା ରହସ୍ୟ କୁ ନେଇ ପ୍ରଶ୍ନବାଚୀ ସୃଷ୍ଟି କରିଥିଲା। ଫଳରେ ଶବ ବ୍ୟବଚ୍ଛେଦ ପାଇଁ ପରିବାର ପକ୍ଷରୁ ପୁଲିସ ପ୍ରଶାସନକୁ କୌଣସି ସହାୟତା କରା ନ ଯିବାରୁ ସକାଳ ୬ ଘଟିକା ରୁ ଅପରାହ୍ନ ପାଞ୍ଚଟା ଯାଏଁ ଦୀର୍ଘ ସମୟ ଧରି ମୃତଦେହ ଡାକ୍ତରଖାନାରେ ପଡିରହିଥିଲା । ପରିବାର ଲୋକେ ବିଦ୍ୟାଳୟ କର୍ତ୍ତୁପକ୍ଷ ନ ଆସିବା ପର୍ଯ୍ୟନ୍ତ ଶବ ବ୍ୟବଚ୍ଛେଦ ନ କରିବାକୁ ଅଡି ବସିଥିଲେ । ଚମ୍ପୁଆ ଏସଡିପିଓ ରଶ୍ମି ରଞ୍ଜନ ସାହୁ ଓ ଥାନାଧିକାରୀ ରମାକାନ୍ତ ମୁଦୁଲି ପରିବାର ଲୋକଙ୍କୁ ବୁଝାସୁଝା କରିଥିଲେ ମଧ୍ୟ ଘର ଲୋକେ ନିଜ ଜିଦରେ ଅଟଳ ରହିଥିଲେ । ଡାକ୍ତରଖାନା ପରିସରରେ ଉତ୍ତେଜନା ପ୍ରକାଶ ପାଇବାରୁ ଅତିରିକ୍ତ ଫୋର୍ସ ଡାକିବାକୁ ପଡିଥିଲା । ଶେଷରେ ଚମ୍ପୁଆ ଉପଜିଲ୍ଲାପାଳ ଉମାକାନ୍ତ ପରିଡ଼ା ଡାକ୍ତରଖାନାରେ ପହଞ୍ଚି ଶୋକସନ୍ତପ୍ତ ପରିବାରକୁ ସମବେଦନା ଜ୍ଞାପନ କରିବା ସହ ବୁଝାସୁଝା କରି ପରିବାର ଲୋକଙ୍କୁ ଶବ ବ୍ୟବଚ୍ଛେଦ ପାଇଁ ରାଜି କରାଇଥିଲେ। ପରିବାର ଲୋକଙ୍କ ଏତାଲା ପରେ ଚମ୍ପୁଆ ପୁଲିସ ଥାନା କେସ ନଂ ୧୮୭/ ୨୫ ରେ ମାମଲା ରୁଜୁ କରି ଏକଜିକ୍ୟୁଟିଭ ମାଜିଷ୍ଟ୍ରେଟ ଚମ୍ପୁଆ ତହସିଲଦାର ସଜତ ମାର୍କେ ଓ ଅତିରିକ୍ତ ତହସିଲଦାର ପ୍ରତିକ୍ଷା ପ୍ରିୟଦର୍ଶିନୀ ଙ୍କ ଉପସ୍ଥିତିରେ ମୃତଦେହର ପଞ୍ଚନାମା କରିବା ସହ ବ୍ୟବଚ୍ଛେଦ ପାଇଁ ପଠାଇଥିଲେ । ସେଠାରେ ଅଭିଜ୍ଞ ଡାକ୍ତରୀ ଟିମଙ୍କ ଦ୍ୱାରା ମାଜିଷ୍ଟ୍ରେଟଙ୍କ ଉପସ୍ଥିତିରେ ବ୍ୟବଛେଦ କରାଯାଇଥିଲା। ପ୍ରଶାସନ ତରଫରୁ ସମଗ୍ର ଘଟଣାର ଭିଡିଓଗ୍ରାଫି କରାଯାଇଥିଲା। ରାତି ପ୍ରାୟ ନଅ ଘଟିକା ସମୟରେ ଶବ ବ୍ୟବଚ୍ଛେଦ ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇଥିବା ଜଣାପଡିଛି । ଅନ୍ୟପଟେ ଚମ୍ପୁଆ ପୁଲିସ ବିଦ୍ୟାଳୟକୁ ଯାଇ ସିସିଟିଭି ଫୁଟେଜ ଯାଞ୍ଚ କରିବା ସହ ଘଟଣାର ପୁଙ୍ଖାନୁପୁଙ୍ଖ ତଦନ୍ତ ଆରମ୍ଭ କରିଛନ୍ତି। ବିଦ୍ୟାଳୟ କର୍ତ୍ତୁପକ୍ଷଙ୍କ ନିର୍ଯ୍ୟାତନା ସହି ନ ପାରି ଛାତ୍ର ଜଣଙ୍କ ଆତ୍ମହତ୍ୟା କରିଥିବା ନେଇ ପରିବାର ଲୋକେ ଅଭିଯୋଗ କରିଛନ୍ତି । ବିଦ୍ୟାଳୟ କର୍ତୃପକ୍ଷ ନିଜ ଉପରୁ ଦୋଷ ଲୁଚାଇବା ପାଇଁ ବିଧିବଦ୍ଧ ଭାବେ ଯୋଜନା କରୁଥିବା କୁହା ଯାଉଥିବା ବେଳେ ପୁଲିସ ଘଟଣାର ଉପଯୁକ୍ତ ଓ ନିରପେକ୍ଷ ତଦନ୍ତ କଲେ ଛାତ୍ର ମୃତ୍ୟୁର ପ୍ରକୃତ ରହସ୍ୟ ଉନ୍ମୋଚନ ହୋଇପାରିବ ବୋଲି ପରିବାର ଲୋକେ ଦାବୀ କରିଛନ୍ତି। ମୃତ ଛାତ୍ରଙ୍କ ଘର ଝାଡଖଣ୍ଡ ରାଜ୍ୟର ଖରସୁଆଁ ନିକଟସ୍ଥ କୁଚା ଗ୍ରାମରେ । ସେ ଗତବର୍ଷ କେରଳା ସ୍କୁଲରେ ନାମ ଲେଖାଇ ସ୍କୁଲ ହଷ୍ଟେଲରେ ରହି ଦଶମ ଶ୍ରେଣୀରେ ପାଠ ପଢୁଥିଲେ।

---------------

ହିନ୍ଦୁସ୍ଥାନ ସମାଚାର / Trinath Mahanta


 rajesh pande