ହରିଚନ୍ଦନପୁର, ୧୩ ଜୁଲାଇ(ହି.ସ.) - କେନ୍ଦୁଝର ଜିଲ୍ଲା ହରିଚନ୍ଦନପୁର ପ୍ରେସ୍ କ୍ଲବର ଚତୁର୍ଥ ବାର୍ଷିକ ଉତ୍ସବ ହରିଚନ୍ଦନପୁର ସ୍ଥିତ ବ୍ରଜବନ୍ଧୁ ମହାବିଦ୍ୟାଳୟ ଠାରେ ରବିବାର ପାଳିତ ହୋଇଯାଇଛି । ପ୍ରେସ କ୍ଲବର ସଭାପତି ଶ୍ରୀନିବାସ ପାଇକରାୟଙ୍କ ସଭାପତିତ୍ଵରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଫୋକସ୍ ପ୍ଲସ୍ ର ପ୍ରତିଷ୍ଠାତା ତଥା ନିର୍ଦ୍ଦେଶକ ସୁଧାଂଶୁ ଶେଖର ରାଉତ୍ ଯୋଗଦେଇ କହିଥିଲେ ଯେ, ସାମ୍ବାଦିକମାନଙ୍କର ନାର୍ଯ୍ୟ ଦାବି ପୂରଣ ପାଇଁ ସେମାନେ ସଂଗଠିତ ହେବାର ଆବଶ୍ୟକତା ରହିଛି । ସଂଗଠନ ଏ ଦିଗରେ ଗୁରୁତ୍ବପୂର୍ଣ୍ଣ ଭୂମିକା ନିର୍ବାହ କରିଥାଏ । ଏପରିକି କୌଣସି ସାମ୍ବାଦିକ ଅସୁବିଧାରେ ପଡ଼ିଥିବା ସମୟରେ ସଂଗଠନ କାମରେ ଆସୁଥିବାର ନଜିର ରହିଛି । ମୁଖ୍ୟବକ୍ତା ଭାବେ ଯୋଗଦେଇ କେନ୍ଦୁଝର ଜିଲ୍ଲାର ବରିଷ୍ଠ ସାମ୍ବାଦିକ ତଥା ଶିକ୍ଷାବିତ ମଳୟ ମହାପାତ୍ର କହିଥିଲେ ଯେ, ଗଣମାଧ୍ୟମ କୌଣସି ଦଳର କିମ୍ବା ବ୍ୟକ୍ତିର ଅଧିନରେ ନରହୁ, ବିଜ୍ଞାପନଭିତ୍ତିକ ହୋଇନପଡୁ । ସାମାଜିକ କର୍ମୀ ଭକ୍ତବତ୍ସଳ ମହାନ୍ତି ନିଜର ବକ୍ତବ୍ୟରେ କହିଥିଲେ, ସୀମାରେଖା ଭିତରେ ରହି ଗଣମାଧ୍ୟମ ଖବର ପରିବେଷଣ କରିବାର ଆବଶ୍ୟକତା ରହିଛି । ହିନ୍ଦୁସ୍ଥାନ ସମାଚାରର ବରିଷ୍ଠ ସହସମ୍ପାଦକ ପ୍ରଦୀପ୍ତ କୁମାର ସାହୁ କହିଥିଲେ ଯେ, ସେବା ଓ ସମର୍ପଣର ମାଟି ଓଡ଼ିଶା, ଭକ୍ତି ଓ ଭାଇଚାରାର ମାଟି ଓଡ଼ିଶା । ତେଣୁ ସାମ୍ବାଦିକମାନେ ସେବାରେ ବ୍ରତୀ ହୁଅନ୍ତୁ, ସର୍ବଦା ସତ୍ୟ ଓ ନିରପେକ୍ଷ ଖବର ପରିବେଷଣ ଜାରି ରଖନ୍ତୁ । ସାଧାରଣ ଜନତାଙ୍କ ସ୍ବର ହେଉ ଗଣମାଧ୍ୟମ । କାର୍ଯ୍ୟକ୍ରମରେ ରୋଟାରୀଆନ ବସନ୍ତ କୁମାର ପୃଷ୍ଟି ମଧ୍ୟ ଉପସ୍ଥିତ ଥିଲେ । ଏଥିସହ ମଞ୍ଚାସିନ ଅତିଥି ଭାବେ ବ୍ରଜବନ୍ଧୁ ମହାବିଦ୍ୟାଳୟର ଅଧ୍ୟକ୍ଷ ଭୋଳାନାଥ ଜେନା, ପ୍ରେସ୍ କ୍ଲବର ସଭାପତି ଶ୍ରୀନିବାସ ପାଇକରାୟ କହିଥିଲେ ଯେ, ସାମ୍ବାଦିକତା ଜୀବନ ଚାଲୋଞ୍ଜପୂର୍ଣ୍ଣ । ସମ୍ପାଦକ ପ୍ରଶାନ୍ତ ନାୟକ ଉପସ୍ଥିତ ରହି କାର୍ଯ୍ୟକ୍ରମକୁ ଆଗେଇ ନେଇଥିଲେ । ଏହି ଅବସରରେ ବ୍ଲକର ଶ୍ରେଷ୍ଠ ବିଦ୍ୟାର୍ଥୀ ଅଞ୍ଜଳି ସାହୁ, ସଫଳ ଚାଷୀ ସରସ୍ବତୀ ବେହେରା, ଯୁବ ସାମ୍ବାଦିକ ତପନ କୁମାର ବେହେରା, ଲକ୍ଷ୍ମଣ କୁମାର ମହାନ୍ତ, କୃଷ୍ଣଚନ୍ଦ୍ର ବେହେରା, ଭବାନୀ ପ୍ରସାଦ ମହାନ୍ତ ଓ ମାଓ ଯୋଦ୍ଧା ଭାବେ ମାଲକାନଗିରିର ଶିବବ୍ରତ ଦାଶଙ୍କୁ ପ୍ରେସ କ୍ଲବ୍ ପକ୍ଷରୁ ମାନପତ୍ର ପ୍ରଦାନ କରାଯାଇ ସମ୍ମାନୀତ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ରାଜୀବ ଲୋଚନ ମହାନ୍ତ ଅତିଥି ପରିଚୟ ପ୍ରଦାନ କରିଥିବା ବେଳେ କ୍ଲବର ସମ୍ପାଦକ ପ୍ରଶାନ୍ତ ନାୟକ ବିବରଣୀ ପାଠ କରିଥିଲେ । ପରିଶେଷରେ କ୍ଲବର ସଦସ୍ୟ ତନ୍ମୟ କୁମାର ସାହୁ ଧନ୍ୟବାଦ ଅର୍ପଣ କରିଥିଲେ । ପ୍ରେସ କ୍ଲବର ଉପସଭାପତି ପ୍ରେମାନନ୍ଦ ଦାସ, କୋଷାଧ୍ୟକ୍ଷ ପରେଶ କୁମାର ସେଠୀ, ଘନଶ୍ୟାମ ଜେନା, ରାମଚନ୍ଦ୍ର ନାଏକ, ଚନ୍ଦନ ନାୟକ, ଜଗବନ୍ଧୁ ବାରିକ, ସନ୍ତୋଷ ମହାନ୍ତ, ତନ୍ମୟ କୁମାର ସାହୁ, ଲକ୍ଷ୍ମଣ କୁମାର ମହାନ୍ତ, ଉତ୍ତମ ଗିରି, ହିମାଂଶୁ ଶେଖର ଦାସ, କୃଷ୍ଣଚନ୍ଦ୍ର ବେହେରା, ଅନିଲ କୁମାର ସାହୁ, ଜୀବନଜ୍ୟୋତି ବେଜ, ଉଦୟନାଥ ପାତ୍ର, ଭବାନୀ ପ୍ରସାଦ ମହାନ୍ତ, ପ୍ରଶନ୍ନ ନାଏକ ପ୍ରମୁଖ ଉପସ୍ଥିତ ରହିଥିଲେ ।
ହିନ୍ଦୁସ୍ଥାନ ସମାଚାର / ପ୍ରେମାନନ୍ଦ