*
ନୂଆପଡ଼ା, 13 ଜୁଲାଇ (ହି.ସ.)- ପୁଅ ବଦଳରେ ମାଆକୁ ଇଞ୍ଜେକସନ ଦେବା ଘଟଣାରେ ନୂଆପଡ଼ା ଜିଲ୍ଲା ପ୍ରଶାସନ ପକ୍ଷରୁ ତତ୍ପରତା ପ୍ରକାଶ ପାଇଛି। ଜିଲ୍ଲାପାଳ ମଧୁସୂଦନ ଦାସଙ୍କ ନିର୍ଦେଶ କ୍ରମେ ଆଜି ଏଡିଏମ ସୁବାଷ ଚନ୍ଦ୍ର ରଇତା, ସିଡ଼ିଏମଓ ଡ. ମନୋଜ କୁମାର ସାହୁ ଓ ଟିମ ବରଗାଁ ଗ୍ରାମକୁ ଯାଇ ରାଜୁ ତାଣ୍ଡି ଓ ଅଞ୍ଜୁ ତାଣ୍ଡିଙ୍କୁ ଭେଟିଥିଲେ। ପରେ ଖଡିଆଳ ଉପଖଣ୍ଡ ଚିକିତ୍ସାଳୟକୁ ଆସି ତଦନ୍ତ ଆରମ୍ଭ କରିଛନ୍ତି। ଏକ ରିପୋର୍ଟ ଜିଲ୍ଲାପାଳଙ୍କୁ ପ୍ରଦାନ ପରେ ଜିଲ୍ଲାପାଳ ଯାହାବି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବେ ବୋଲି ଏଡିଏମ ସୁବାଷ ଚନ୍ଦ୍ର ରଇତା ଗଣମାଧ୍ୟମକୁ ସୂଚନା ଦେଇଛନ୍ତି। ଅନ୍ୟ ପକ୍ଷରେ ଆଜି ଅଞ୍ଜୁ ତାଣ୍ଡି ଅସୁସ୍ଥ ଅନୁଭବ କରିବାରୁ ତାଙ୍କୁ ଖଡିଆଳ ଉପଖଣ୍ଡ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି। ଏହି ଘଟଣାକୁ କେନ୍ଦ୍ର କରି ଆଜି କଂଗ୍ରେସ ଆବାହାକ କମଳ ଚରଣ ତାଣ୍ଡିଙ୍କ ନେତୃତ୍ୱରେ କଂଗ୍ରେସର କାର୍ୟକର୍ତ୍ତା ପ୍ରବୀଣ ପଟ୍ଟନାୟକ, ପ୍ରଦିପ ବେହେରା, କିରଣ ସରାଫ, ଭୋଲା ବାଗ, ତୁଷାର ତାଣ୍ଡି, ରାଜେଶ ବେହେରା, ଭଜନ ଜଗତଙ୍କ ସମେତ ଶତାଧିକ କାର୍ଯ୍ୟକର୍ତ୍ତା ଖଡିଆଳ ଉପଖଣ୍ଡ ଚିକିତ୍ସାଳୟ ସମ୍ମୁଖରେ ଧାରଣା ଦେଇ ଦୋଷୀଙ୍କ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ ଦାବି କରିଥିଲେ। ମେଡିକାଲ ଇନଚାର୍ଜଙ୍କ ନିର୍ଦେଶ କ୍ରମେ ଡା. ରେଶମା ମେହେର ଆସି ତଦନ୍ତ ଆରମ୍ଭ ହୋଇଥିବା ଓ ଦୋଷୀଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ ପ୍ରତିଶ୍ରୁତି ପରେ ଆନ୍ଦୋଳନ ପ୍ରତ୍ୟାହୃତ ହୋଇଥିଲା। ଏଠାରେ ସୂଚନା ଯୋଗ୍ୟ ଯେ ଗତ ୧୧ ତାରିଖ ଦିନ ଖଡ଼ିଆଳ ବ୍ଲକ ବରଗାଁ ଗ୍ରାମର ରାଜୁ ତାଣ୍ଡି ଓ ଅଞ୍ଜୁ ତାଣ୍ଡି ନିଜର ଦୁଇ ବର୍ଷର ପୁଅ ଡୁଲେଶ୍ୱରକୁ ଜ୍ଵର ହେବାରୁ ଉପଖଣ୍ଡ ଚିକିତ୍ସାଳୟକୁ ଆଣିଥିଲେ। ସେମାନେ ଶିଶୁ ବିଶେଷଜ୍ଞ ଡାକ୍ତର ମହେନ୍ଦ୍ର କୁମାର ମାଝୀଙ୍କୁ ଦେଖାଇଥିଲେ। ଡାକ୍ତର ଚିଠା ଲେଖି ଇଞ୍ଜେକସନ ଦେବା ପାଇଁ ନର୍ସଙ୍କ ପାଖକୁ ପଠାଇଥିଲେ। କାର୍ଯ୍ୟରତ ନର୍ସ ରଶ୍ମିତା ପଣ୍ଡା ଛୁଆ ବଦଳରେ ମାଆ ଅଞ୍ଜୁଙ୍କୁ ଇଞ୍ଜେକସନ ଦେଇଥିବା ଅଭିଯୋଗ ହୋଇଥିଲା।
---------------
ହିନ୍ଦୁସ୍ଥାନ ସମାଚାର / ହେମନ୍ତ