ସମ୍ବଲପୁର, ୧୩ ଜୁଲାଇ (ହି.ସ.) - ସମ୍ବଲପୁର ଜିଲ୍ଲା ଜମନକିରା ବ୍ଲକ ଅନ୍ତର୍ଗତ ଷଣ୍ଡପଥର ସରକାରୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ୧୦୭ ପ୍ରାକ୍ତନ ଛାତ୍ର ଛାତ୍ରୀଙ୍କ ଠାରୁ ଟ୍ରାନ୍ସଫର୍ ସାର୍ଟିଫିକେଟ (ଟିସି) ପାଇଁ ୫ ଶହ ଏବଂ ପିକନିକ୍ ଯିବା ପାଇଁ ୫ ଶହ ଟଙ୍କା ନେବା ପରେ ଏବେ ଉଚ୍ଚ ମାଧ୍ୟମିକ ସ୍କୁଲ (ଯୁକ୍ତଦୁଇ) ବିଜ୍ଞାନ ପ୍ରଥମ ବର୍ଷ ନାମଲେଖା ପାଇଁ ସରକାରୀ ଧାର୍ଯ୍ୟ ଶୁଳ୍କ ଠାରୁ ଅତିରିକ୍ତ ୫ ଶହ ଟଙ୍କା ଅଧିକ ନେଉଥିବା ଜଣାପଡିଛି। ଜିଲ୍ଲାର ଗରିବ ଆଦିବାସୀ ଓ ହରିଜନ ବର୍ଗର ଛାତ୍ରଛାତ୍ରୀଙ୍କ ନାମ ଲେଖା ପାଇଁ ବେଆଇନ୍ ଭାବେ ଅତିରିକ୍ତ ଟଙ୍କା ଅସୁଲି ହେଉଛି। ରାଜ୍ୟ ସରକାରଙ୍କ ଉଚ୍ଚ ମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶାଳୟ ଭୁବନେଶ୍ୱର ଚିଠି ନଂ ୫୬୦୭/ ତାରିଖ ୨୧/୦୫/୨୦୨୪ ଆଦେଶ ଅନୁଯାୟୀ , ରାଜ୍ୟର ଅଗଣିତ ଆଦିବାସୀ ଓ ହରିଜନ ଛାତ୍ର ଛାତ୍ରୀଙ୍କ ନାମ ଲେଖା ପାଇଁ ମାତ୍ର ୯୮୦ ଟଙ୍କା ଓ ଅନ୍ୟ ବୋର୍ଡ ଛାତ୍ରଛାତ୍ରୀଙ୍କ ପାଇଁ ଏକ ହଜାର ଟଙ୍କା ଶୁଳ୍କ ନେବାକୁ ସରକାର୍ ନିର୍ଦ୍ଧିଷ୍ଟ ସୀମା ଧାର୍ଯ୍ୟ କରିଥିବା ବେଳେ ଜିଲ୍ଲା ମଙ୍ଗଳ ବିଭାଗ ପରିଚାଳିତ ଷଣ୍ଢପଥର ଉଚ୍ଚ ମାଧ୍ୟମିକ ସ୍କୁଲ୍ ରେ ସରକାରୀ ଆଇନ୍ କୁ ଖୋଲାଖୋଲି ଉଲଂଘନ କରି ଗରିବ ପିଲା ଙ୍କ ଠାରୁ ଜାଣିଶୁଣି ଅତିରିକ୍ତ ଟଙ୍କା ଅସୁଲି କରୁଛନ୍ତି। ଏଠାରେ ଯୁକ୍ତଦୁଇ ପ୍ରଥମ ବର୍ଷରେ ନାମ ଲେଖାଇ ଥିବା ଗରିବ ଆଦିବାସୀ ଓ ହରିଜନ ଶ୍ରେଣୀର ଛାତ୍ରଛାତ୍ରୀ ଙ୍କ ଠାରୁ ୧୪୫୦ ଟଙ୍କା ରୁ ୧୫ ଶହ ଟଙ୍କା ଅସୁଲି କରାଯାଇଛି। ଏହି ସ୍କୁଲ୍ ରେ ମନମୁଖୀ ଭାବେ ସରକାରୀ ନିୟମ ଉଲଂଘନ କରି ନାମ ଲେଖା ପାଇଁ ଆବେଦନ ଫର୍ମ ପିଛା ଅତିରିକ୍ତ ୫୦ ଟଙ୍କା ଲେଖାଏଁ ଅସୁଲି ହୋଇଛି। ଏହାକୁ ନେଇ ଗରିବ ଅଭିଭାବକଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି। ଏଠାରେ ପ୍ରିନ୍ସିପାଲ ଜ୍ୟୋତିର୍ମୟୀ ଜ୍ୟୋସ୍ନା ଦାସ କାର୍ଯ୍ୟରେ ଯୋଗ ଦେବା ଦିନ ଠାରୁ ସ୍କୁଲ୍ ରେ ନିୟମ ବିପରୀତ କାର୍ଯ୍ୟ ଚାଲିଥିବା ବେଳେ ଗରିବ ଆଦିବାସୀ ଓ ହରିଜନ ଶ୍ରେଣୀର ଛାତ୍ରଛାତ୍ରୀମାନେ ଶୋଷିତ ହେଉଥିବା ଅଭିଯୋଗ ହେଉଛି। ଏହି ବିଭାଗ ଦ୍ୱାରା ପରିଚାଳିତ ଅନ୍ୟ ଏକ ଅର୍ଡ଼ାବାହାଲ ସରକାରୀ ଉଚ୍ଚମାଧ୍ୟମିକ ସ୍କୁଲ୍ ରେ କିନ୍ତୁ ସରକାରୀ ନିୟମ ଅନୁଯାୟୀ ମାତ୍ର ଏକ ହଜାର ଟଙ୍କା ନାମ ଲେଖା ପାଇଁ ଶୁଳ୍କ ନିଆଯାଉଛି। ତେଣୁ ଷଣ୍ଢପଥର ଉଚ୍ଚ ମାଧ୍ୟମିକ ସ୍କୁଲ ରେ ଭାରପ୍ରାପ୍ତ ଅଧ୍ୟକ୍ଷାଙ୍କ ନିର୍ଦ୍ଦେଶରେ ଗରିବ ଆଦିବାସୀ ଓ ହରିଜନ ଶ୍ରେଣୀର ଲୋକଙ୍କୁ ହେଉଥିବା ଏହି ଅନ୍ୟାୟ ଓ ଶୋଷଣର ପ୍ରତିକାର ପାଇଁ ରାଜ୍ୟ ସରକାରଙ୍କ ଉଚ୍ଚଶିକ୍ଷା ବିଭାଗ, ଜିଲ୍ଲା ପ୍ରଶାସନ ଓ ବିଭାଗୀୟ କମିଶନରଙ୍କ ନିକଟରେ ଦୃଢ଼ ଦାବି କରିଛନ୍ତି।
ହିନ୍ଦୁସ୍ଥାନ ସମାଚାର/ଶୈଳେଶ/ଭାନୁ
ହିନ୍ଦୁସ୍ଥାନ ସମାଚାର / ଶୈଳେଶ