ଧର୍ମଶାଳା,୧୩ଜୁଲାଇ(ହି.ସ.) - ଯାଜପୁର ଜିଲା ଧର୍ମଶାଳା ବ୍ଲକ କୋତପୁର ନିବାସୀ ଡ଼. ରାଜକିଶୋର ପାଢ଼ୀଙ୍କୁ କେନ୍ଦ୍ର ବାଲ ସାହିତ୍ୟ ଏକାଡ଼େମୀ ପୁରସ୍କାର ପ୍ରଦାନ କରାଯିବା ପାଇଁ ଚୟନ କରାଯାଇଛି । ଏନେଇ ଡ. ପାଢ଼ୀଙ୍କୁ ବିଭିନ୍ନ ମହଲରୁ ପ୍ରଶଂସାର ସୁଅ ଛୁଟୁଥିବା ବେଳେ ବିଭିନ୍ନ ଅନୁଷ୍ଠାନ ପକ୍ଷରୁ ତାଙ୍କୁ ସମ୍ବର୍ଦ୍ଧନା ଦିଆଯାଉଛି ।
ଏହିକ୍ରମରେ ଯାଜପୁର ଜିଲା ରସୁଲପୁର ବ୍ଲକ ବ୍ରହ୍ମବରଦା ଅବସରପ୍ରାପ୍ତ କର୍ମଚାରୀ ସଂଘ ପକ୍ଷରୁ ସଂଘ କାର୍ଯ୍ୟାଳୟ ପରିସରରେ ତାଙ୍କୁ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଛି । ସଂଘ ସଭାପତି ଅକ୍ତର ହୋସେନ ଖାଁନଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସଭାରେ ବରିଷ୍ଠ ମୁରବୀ ବିପିନ ବିହାରୀ ଦେଓ,ଶିକ୍ଷାବିତ୍ ଆଲାଉଦ୍ଧିନ ଖାଁ,ବିଶ୍ୱନାଥ ପଣ୍ଡା,ନିମାଇଁ ଚରଣ ଦାସ,ଯୁବନେତା ପ୍ରଦିପ ଦାସ ଓ ପ୍ରଫୁଲ୍ଲ ଗିରି ପ୍ରମୁଖ ଯୋଗ ଦେଇ ଡ଼. ପାଢ଼ୀଙ୍କ ସ୍ୱଲିଖିତ ୮୦ ଖଣ୍ଡ ପୁସ୍ତକର ସମୀକ୍ଷା କରିବା ସହ ଉଚ୍ଚକୋଟୀର ଲେଖାକୁ ଭୂୟଂସୀ ପ୍ରଶଂସା କରିଥିଲେ । ଅନୁଷ୍ଠିତ ସମ୍ବର୍ଦ୍ଧିତ ଉତ୍ସବରେ ସଂଘ ଉପ-ସଭାପତି ନାରାୟଣ ପ୍ରସାଦ ଦାଶ ଉଦ୍ଦେଶ୍ୟ ଜ୍ଞାପନ କରିଥିବା ବେଳେ ସମ୍ପାଦକ ତଥା କବି ବିଶ୍ୱନାଥ ପଣ୍ଡା ମଂଚ ସଂଚାଳନ କରିଥିଲେ । ଡ. ପାଢୀଙ୍କୁ ଜଣେ ଶ୍ରଦ୍ଧାସ୍ପଦ କବିି ସୁସାହିତ୍ୟିକ,ଆଦର୍ଶ ଶିକ୍ଷକ,ସୁସମାଲୋଚକ ସର୍ବୋପରି ଜଣେ ଭଲ ମଣିଷଭାବେ ଚିତ୍ରଣ କରି ସଂଘ ପକ୍ଷରୁ ଆଲାଉଦ୍ଧିନ ଖାଁ,ଜାବିର ଅଲ୍ଲୀ,ଜଗବନ୍ଧୁ ଶପତଥୀ,ନିମାଁଇ ଚରଣ ଦାସ ଓ ନାରାୟଣ ଦାଶ ପ୍ରମୁଖ ନିଜ ନିଜର ଅଭିମତ ରଖିଥିଲେ । ବ୍ରହ୍ମବରଦା ମୋ ପାଇଁ ସ୍ୱତନ୍ତ୍ର ଓ ଶିକ୍ଷାଦାନ ସମୟରେ ଶିଶୁମାନଙ୍କ ମନସ୍ତତ୍ୱକୁ ନେଇ ଅନେକ ଶିଶୁ କବିତା ରଚନା କରିିବା ସହ ଏହି ଶିଶୁମାନଙ୍କ ପାଇଁ ଏହି ସଫଳତା ପାଇଛି ବୋଲି ଡ. ପାଢୀ କହିଥିଲେ । ସେ ୮୦ଟି ପୁସ୍ତକ ରଚନା କରିଥିବା ବେଳେ ସେଥିରୁ ୨୦୨୩ ମସିହାରେ ପ୍ରକାଶିତ ‘କେତେ ଫୁଲ ଫୁଟିଛି’ ଶିଶୁ କବିତା ସଂଙ୍କଳନ ପାଇଁ କେନ୍ଦ୍ର ବାଲ ସାହିତ୍ୟ ପୁରସ୍କାର ପାଇବା ପାଇଁ ଯୋଗ୍ୟ ବିବେଚିତ ହୋଇଛନ୍ତି ।ଏହି ଅବସରରେ ସଂଘ ପକ୍ଷରୁ ମାନପତ୍ର ଓ ଉତରୀୟ ଦେଇ ଶ୍ରୀ ପାଢୀଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା । କାର୍ଯ୍ୟକ୍ରମ ପରିଚାଳନାରେ ବିଷ୍ଣୁ ଚରଣ ସାହୁ,ଶରତ ଚନ୍ଦ୍ର ପାଣିଗ୍ରାହୀ,ତଜମୁଲ ହୋସେନ,ୟୁନୁସ୍ ଖାଁ,ହୃଷିକେଶ ପାଣିଗ୍ରାହୀ,ଦେଶବନ୍ଧୁ ଗିରି,ନୃସିଂହ ବାରିକ ଓ ଶରତ ବେହେରା ପ୍ରମୁଖ ସହଯୋଗ କରିଥିଲେ । ଶେଷରେ ଜଗବନ୍ଧୁ ଶତପଥୀ ଧନ୍ୟବାଦ ଅର୍ପଣ କରିଥିଲେ ।
ହିନ୍ଦୁସ୍ଥାନ ସମାଚାର / ଚିନ୍ମୟ