ଧର୍ମଶାଳା,୧୩ ଜୁଲାଇ(ହି.ସ.) - ଯାଜପୁର ଜିଲାରେ ଲଗାଣ ବର୍ଷା ଲାଗି ରହିଛି । ଏପଟେ ବିଭିନ୍ନ ନଦୀରେ ବନ୍ୟା ଜଳ ପ୍ରବେଶ କରିଛି । ବର୍ଷା ଓ ବନ୍ୟାଜଳରେ ଚାଷୀମାନେ କ୍ଷତିଗ୍ରସ୍ତ ହୋଇଛନ୍ତି । ଏଭଳି ଘଟଣା ଦେଖିବାକୁ ମିଳିଛି ଯାଜପୁର ଜିଲା ବଡଚଣା ବ୍ଲକ ଗେଙ୍ଗୁଟି ଓ କେଲୁଅ ନଦୀ ଅବବାହିକାରେ ଥିବା ଜମି ଏବେ ପାଣି ଘେରରେ ବୁଡି ରହିଛି । ଫଳରେ ଚାଷ ଜମି ଉପରେ ୪ରୁ୫ଫୁଟ ପାଣି ମାଡି ଯାଇଛି । ଚାଷୀ ବୁଣିଥିବା ଧାନ ପାଣିରେ ବୁଡି ଯିବା ଫଳରେ ବ୍ୟାପକ କ୍ଷତି ହେବା ସମ୍ଭାବନା ରହିଛି । ଚାଷୀ ବିଭିନ୍ନ ଉପାୟରେ ଧାର କରଜ ଆଣି ଚାଷ କାମ କରି କ୍ଷେତରେ ବିଭିନ୍ନ କିସମର ଧାନ ଚାଷ କରିଥିଲେ । ଏବେ ଚାଷ ଜମିରେ ପାଣି ମାଡିଯିବା ଫଳରେ ଚାଷୀ ମୁଣ୍ଡରେ ହାତ ଦେଇ ବସିଛି । ଏହି ବ୍ଲକର ମଝିପଡା ପଂଚାୟତ ବନମାଳୀପୁର ନଦୀପଠା,ମଝିପଡା,ଚଣ୍ଡିଆ,ଉଦୟଗିରି,ଗୋପାଳପୁର, ଓ ତେଲିପାଳ ପାଟ ଏବେ ବନ୍ୟା ଜଳରେ ବୁଡି ରହିଛି । ବଡଗେଙ୍ଗୁଟି ଓ କେଲୁଅ ନଦୀରେ ବନ୍ୟାଜଳ ଆସିବା ଯୋଗୁଁ ବିଭିନ୍ନ ସୁଇଜ୍ ଗେଟ୍ ଓ ହ୍ୟୁମ ପାଇପ ଦେଇ ଚାଷ ଜମିକୁ ପ୍ରବେଶ କରିଛି । ବୁଣିଥିବା ଧାନ ଗଛ ଦୁଇ ତିନି ଦିନ ହୋଇଥିବା ବେଳେ ଏବେ ବନ୍ୟାଜଳ ରହିବା ଫ଼ଳରେ ଧାନ ଗଛ ମରିବା ଯିବା ସମ୍ଭାବନା ରହିଛି । ଶହଶହ ଏକର ଜମି ବହୁ ଦିନ ହେବ ବୁଡି ଥିବାରୁ ଏବେ କିପରି ଅମଳ କରି ଆଣି ଥିବା ଜରଜ ଶୁଝିବେ ତାହାକୁ ନେଇ ଚାଷୀ ଚିନ୍ତାରେ ପଡିଯାଇଛି ।
ହିନ୍ଦୁସ୍ଥାନ ସମାଚାର/ଚିନ୍ମୟ/ଭାନୁ
ହିନ୍ଦୁସ୍ଥାନ ସମାଚାର / ଚିନ୍ମୟ