ଭୁବନେଶ୍ୱର,୧୪ ଜୁଲାଇ (ହି.ସ) - ବାଲେଶ୍ୱର ଏଫଏମ୍ କଲେଜ ଘଟଣା ପରେ ଉଚ୍ଚ ଶିକ୍ଷା ବିଭାଗ ପକ୍ଷରୁ ସମସ୍ତ କଲେଜ ଏବଂ ବିଶ୍ୱବିଦ୍ୟାଳୟରେ ଆଭ୍ୟନ୍ତରୀଣ ଅଭିଯୋଗ କମିଟି ଗଠନକୁ ନେଇ ତାଗିଦ୍ କରାଯାଇଛି। ବିଶ୍ୱବିଦ୍ୟାଳୟ ଓ ମହାବିଦ୍ୟାଳୟରେ ଆଭ୍ୟନ୍ତରୀଣ ଅଭିଯୋଗ କମିଟିର କାର୍ଯ୍ୟକାରିତା ସମ୍ବନ୍ଧରେ ୨୪ ଘଂଟା ମଧ୍ୟରେ ରିପୋର୍ଟ ଦାଖଲ କରିବା ପାଇଁ ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ କଡ଼ା ନିର୍ଦ୍ଦେଶ ଦିଆଯାଇଛି।
ସମସ୍ତ ବିଶ୍ୱବିଦ୍ୟାଳୟର ରେଜିଷ୍ଟ୍ରାର ଓ କଲେଜର ପ୍ରିନ୍ସିପାଲ ମାନଙ୍କୁ ଚିଠି ଲେଖିଛି ଉଚ୍ଚଶିକ୍ଷା ବିଭାଗ। ଉଚ୍ଚଶିକ୍ଷା ବିଭାଗ ଅଧୀନରେ ରହିଥିବା ସମସ୍ତ ବିଶ୍ୱବିଦ୍ୟାଳୟ ଓ ମହାବିଦ୍ୟାଳୟର ଆଭ୍ୟନ୍ତରୀଣ ଅଭିଯୋଗ କମିଟିର କାର୍ଯ୍ୟକାରିତା ସମ୍ବନ୍ଧରେ ୨୪ ଘଂଟା ମଧ୍ୟରେ ସବିଶେଷ ରିପୋର୍ଟ ଦାଖଲ କରିବା ପାଇଁ ସମସ୍ତ ବିଶ୍ୱବିଦ୍ୟାଳୟର ରେଜିଷ୍ଟାର ଏବଂ ମହାବିଦ୍ୟାଳୟର ଅଧ୍ୟକ୍ଷମାନଙ୍କୁ ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି।
ଏଥିସହିତ ଆଭ୍ୟନ୍ତରୀଣ ଅଭିଯୋଗ କମିଟିର ସମସ୍ତ ସଦସ୍ୟମାନଙ୍କର ନାମ ଓ ଫୋନ୍ ନମ୍ବରକୁ ହାୟର ଏଜୁକେସନ୍ ଇନଫରମେସନ୍ ମ୍ୟାନେଜମେଂଟ ସିଷ୍ଟମ୍ (ଏଚଆଇଏମଏସ) ପୋର୍ଟାଲରେ ଅପଲୋଡ଼ କରିବା ସହିତ ବିଶ୍ୱବିଦ୍ୟାଳୟ/ ମହାବିଦ୍ୟାଳୟ ପରିସର ମଧ୍ୟରେ ରହିଥିବା ପ୍ରମୁଖ ସ୍ଥାନମାନଙ୍କରେ ଏହାକୁ ପ୍ରଦର୍ଶିତ କରିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି।
କର୍ମକ୍ଷେତ୍ରରେ ହେଉଥିବା ଯୌନ ଉତ୍ପୀଡନ ସମ୍ବନ୍ଧରେ ସଚେତନତା ଓ ଏହାର ନିବାରଣ କରିବା ପାଇଁ ବିଶ୍ୱବିଦ୍ୟାଳୟ ଓ ମହାବିଦ୍ୟାଳୟ ମାନଙ୍କରେ ତୁରନ୍ତ କର୍ମଶାଳାର ଆୟୋଜନ କରିବା ନିମନ୍ତେ ବିଶ୍ୱବିଦ୍ୟାଳୟର ରେଜିଷ୍ଟାର ଏବଂ ମହାବିଦ୍ୟାଳୟର ଅଧ୍ୟକ୍ଷମାନଙ୍କୁ ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ଚିଠି କରାଯାଇଛି।
---------------
ହିନ୍ଦୁସ୍ଥାନ ସମାଚାର / ବନ୍ଦନା