ଧର୍ମଶାଳା,୧୪ ଜୁଲାଇ (ହି.ସ.)- ଯାଜପୁର ଜିଲା ରସୁଲପୁର ବ୍ଲକ ଅବିଭକ୍ତ ବ୍ରହ୍ମବରଦା ବ୍ୟାଙ୍କଛକ ଏକ ସର୍ବ ପୁରାତନ ବ୍ୟବସାୟ ପ୍ରତିଷ୍ଠାନ । ଏଠାରେ ଛୋଟ ବଡ ୩ଶହରୁ ଉର୍ଦ୍ଧ ବ୍ୟବସାୟ ପ୍ରତିଷ୍ଠାନ ରହିଛି । ଏବଂ ଏହି ବ୍ୟାଙ୍କଛକ ୧୬ ନଂ ଜାତୀୟ ରାଜପଥ ଜାରକା ଓ ବରୁଆଁ-କୃଷ୍ଣଦାସପୁର ମୁଖ୍ୟ ରାସ୍ତା କୁଆଖିଆ, ବରୀ ଓ ଯାଜପୁର ସଦର ମହକୁମାକୁ ସଂଯୋଗ କରୁଛି । ଏହି ଛକ ମହେଶ୍ୱରପୁର ଓ ବ୍ରହ୍ମବରଦା ପଂଚାୟତର ମିଳନସ୍ଥଳ । ଏହି ପଂଚାୟତ ସମେତ ଧର୍ମଶାଳା ବ୍ଲକର ମଙ୍ଗଳପୁର,ଅରାବଳ,ରସୁଲପୁର ବ୍ଲକର ବନ୍ଧଡିହ,ମଙ୍ଗରାଜପୁର ଓ ଅର୍ଥଙ୍ଗା ପଂଚାୟତର ଲୋକେ ଏହି ଛକ ଉପରେ ନିର୍ଭର କରନ୍ତି । ଏହି ଛକରେ ଗୋଟିଏ ବ୍ୟାଙ୍କ, ୪ ଗୋଟି ଏଟିଏମ୍ କାଉଁଟର ସହ ଅନେକ ଫାଇନାନ୍ସ କମ୍ପାନୀ ରହିଛି । ସନ୍ଧ୍ୟା ସମୟରେ ଏଠାରେ ନାହିଁ ନ ଥିବା ଭିଡ ଜମି ଥାଏ । ଚଟପଟି ଖାଦ୍ୟ ଓ ପରିବାର କିଣିବା ପାଇଁ ଅନେକ ଲୋକ ଆସିଥାନ୍ତି । ହେଲେ ସନ୍ଧ୍ୟା ହେଲେ ଅନ୍ଧାରରେ ଅନେକ ଲୋକ ଦୁର୍ଘଟଣାର ସମ୍ମୁଖୀନ ହୋଇଥିବାର ନଜିର ରହିଛି । ଏହାକୁ ଦୃଷ୍ଟିରେ ରଖି ବ୍ୟାଙ୍କଛକ ନିକଟରେ ଦୀର୍ଘ ଦିନ ପୂର୍ବେ ଏକ ହାଇମାକ୍ସ ଲାଇଟ ଲଗା ଯାଇଥିଲା । ହେଲେ ଏହି ହାଇମାକ୍ସ ଲାଇଟ ବହୁ ଦିନ ହେବ ଅଚଳ ହୋଇପଡିଛି । ଯାହାକୁ ନେଇ ଛକକୁ ଆସୁଥିବା ଖାଉଟି ଓ ବ୍ୟବସାୟୀମାନେ ନାନା ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ଏନେଇ ସ୍ଥାନୀୟ ଲୋକପ୍ରତିନିଧି ଏହି ଅଚଳ ହୋଇପଡିଥିବା ଲାଇଟକୁ ମରାମତି କିମ୍ବା ନୂଆ ଲାଇଟ ଲଗାଇବାର ବ୍ୟବସ୍ଥା କରିବାକୁ ବ୍ୟବସାୟୀ ଓ ସ୍ଥାନୀୟ ଲୋକେ ଦାବି କରିଛନ୍ତି ।
ହିନ୍ଦୁସ୍ଥାନ ସମାଚାର / ଚିନ୍ମୟ