ରାଉରକେଲା, ୧୫ ଜୁଲାଇ (ହି.ସ.)- ଡାଲମିଆ ଭାରତ ଲିମିଟେଡର କର୍ପୋରେଟ ସାମାଜିକ ଦାୟିତ୍ୱ ନିର୍ବାହନ ଶାଖା ଡାଲମିଆ ଭାରତ ଫାଉଣ୍ଡେସନ (ଡିବିଏଫ) ତାହାର ପ୍ରମୁଖ ଦକ୍ଷତା ବିକାଶ ପ୍ରୟାସ ଦୀକ୍ଷା (ଡାଲମିଆ ଇନଷ୍ଟିଚ୍ୟୁଟ ଅଫ ନଲେଜ ଆଣ୍ଡ ସ୍କିଲ୍ ହାର୍ନେସିଂ) ଜରିଆରେ ଭାରତର ଗ୍ରାମାଞ୍ଚଳରେ ଜୀବନରେ ରୂପାନ୍ତରଣ ଆଣୁଛି । ଏହାର ରାଜଗାଙ୍ଗପୁର କେନ୍ଦ୍ରରେ ଦୀକ୍ଷା ସ୍ଥାନୀୟ ଯୁବବର୍ଗଙ୍କୁ ଶିଳ୍ପ ଉପଯୋଗୀ ଦକ୍ଷତାରେ ସୁସଜ୍ଜିତ କରି ସେମାନଙ୍କୁ ସଶକ୍ତ କରିବା ସହିତ ସେମାନଙ୍କୁ ଦୀର୍ଘସ୍ଥାୟୀ ଜୀବିକା ଉପାର୍ଜନ, ଇଜ୍ଜତ ଏବଂ ସ୍ୱାବଲମ୍ବୀ ଭାବରେ ଜୀବନ ନିର୍ବାହ କରିବାର ସୁଯୋଗ ଲାଭ କରିବାରେ ସହାୟତା କରୁଛି । ଏହାର ଏକ ଜ୍ୱଳନ୍ତ ଉଦାହରଣ ହେଉଛନ୍ତି ଓଡ଼ିଶାର ସୁନ୍ଦରଗଡର ୧୯ ବର୍ଷ ବୟସ୍କା ଦୀପ୍ତି ଲାକ୍ରା । ଆର୍ଥିକ ନିଅଣ୍ଟ ତାଙ୍କୁ କଲେଜରୁ ଅଧାରୁ ପାଠ ଛାଡିବାକୁ ବାଧ୍ୟ କରିଥିଲା ଯାହା ତାଙ୍କ ଭବିଷ୍ୟତକୁ ଅନିଶ୍ଚିତତା ମଧ୍ୟକୁ ଠେଲି ଦେଇଥିଲା । ଦୀପ୍ତି ରାଜଗାଙ୍ଗପୁରସ୍ଥିତ ଦୀକ୍ଷା କେନ୍ଦ୍ରର ଜେନେରାଲ ଡିଉଟି ଆସିଷ୍ଟାଣ୍ଟ ପାଠ୍ୟକ୍ରମରେ ଯୋଗଦେଲେ, ଯେଉଁଠାରେ ସେ କ୍ଷେତ୍ରସ୍ତରରେ ତାଲିମ ନେବା ସହିତ ଶିଳ୍ପ କ୍ଷେତ୍ର ସହିତ ସଂସ୍ପର୍ଶରେ ଆସିଲେ ଏବଂ ତାଙ୍କୁ ସେଠାରେ ନିଯୁକ୍ତି ନିମନ୍ତେ ସମର୍ଥନ ମିଳିଲା । ଆଜି ସେ ବର୍ଷକୁ ୨.୬୪ ଲକ୍ଷ ଟଙ୍କା ଦରମାରେ ହାଇଦ୍ରାବାଦରେ ଚାକିରୀ କରୁଛନ୍ତି ଏବଂ ତାଙ୍କ ପରିବାରକୁ ସମର୍ଥନ ଯୋଗାଇ ଦେଉଛନ୍ତି । ଏଥିସହିତ ସେ ଗ୍ରାମର ଯୁବତୀମାନଙ୍କୁ ସେମାନଙ୍କର ଭବିଷ୍ୟତ ଗଢିତୋଳିବା ନିମନ୍ତେ ପ୍ରେରଣା ଦେଉଛନ୍ତି ।
ଦୀପ୍ତିଙ୍କ କାହାଣୀ ଦୀକ୍ଷା ଦ୍ୱାରା ସୃଷ୍ଟି ହୋଇଥିବା ଅନେକ ସଫଳତା କାହାଣୀ ମଧ୍ୟରୁ ଗୋଟିଏ । ଆଜି ସୁଦ୍ଧା ଏହା ନିଜର ରାଜଗାଙ୍ଗପୁର କେନ୍ଦ୍ରରେ ୧୮୮୦ରୁ ଅଧିକ ଯୁବବର୍ଗଙ୍କୁ ସ୍ୱାସ୍ଥ୍ୟସେବା, ବୈଦୁ୍ୟତିକ, ସିଲେଇ ମେସିନ ଅପରେଟର, ଗ୍ରାହକ ସମ୍ପର୍କ ପରିଚାଳନା (କଷ୍ଟମର ରିଲେସନ୍ସିପ ମ୍ୟାନେଜମେଣ୍ଟ) ଏବଂ ୱେର୍ହାଉସ ଏଗଜିକ୍ୟୁଟିଭ ଆଦି ବିଭାଗରେ ତାଲିମ ପ୍ରଦାନ କରିସାରିଛି ।
ଅଶୋକ କୁମାର ଗୁପ୍ତା, ସିଇଓ, ଡାଲମିଆ ଭାରତ ଫାଉଣ୍ଡେସନ କହିଥିଲେ, “ବିଶ୍ୱ ଯୁବ ଦକ୍ଷତା ଦିବସରେ ଆମେ ଏହା ସ୍ମରଣ କରୁଛୁ ଯେ ସଠିକ ଦକ୍ଷତା ସହିତ ତୃଣମୂଳ ସ୍ତରରୁ ଆମର ଯୁବବର୍ଗଙ୍କୁ ସଶକ୍ତ କରାଯିବା ସହିତ ଆତ୍ମନିର୍ଭର ଭାରତ ନିର୍ମାଣ ଆରମ୍ଭ ହେଉଛି । ଡାଲମିଆ ଭାରତରେ ଆମେ ଏକ ସୁଦୃଢ ଏବଂ ଅଧିକ ସ୍ୱାବଲମ୍ବୀ ରାଷ୍ଟ୍ର ନିର୍ମାଣ ନିମନ୍ତେ ପ୍ରାକ୍ଟିକାଲ ତାଲିମ ଜରିଆରେ ବାସ୍ତବ ସୁଯୋଗ ସୃଷ୍ଟି କରିବାକୁ ପ୍ରତିବଦ୍ଧ ରହିଛୁ । ଦୀପ୍ତିଙ୍କ ଭଳି ସଫଳତାର କାହାଣୀ ଦକ୍ଷତାର ବିକାଶ ଦ୍ୱାରା ଜୀବନରେ କିଭଳି ବାସ୍ତବ ରୂପାନ୍ତରଣ ଆସିପାରିବ ତାହା ପ୍ରଦର୍ଶିତ ହୋଇଛି । ଭାରତର ଯୁବବର୍ଗଙ୍କୁ ସମର୍ଥନ କରିବା ନେଇ ଆମେ ଗୈାରବାନ୍ୱିତ ମନେକରୁଛୁ ଏବଂ ସେମାନଙ୍କର ଅଭିବୃଦ୍ଦି ନିମନ୍ତେ ନିବେଶ ଜାରି ରଖିବୁ ।”
ଦୀକ୍ଷାର ଦକ୍ଷତା ତାଲିମ କାର୍ଯ୍ୟକ୍ରମ ଏହାର ପୂର୍ଣ୍ଣାଙ୍ଗ ଆଭିମୁଖ୍ୟ ପାଇଁ ସମ୍ପୂର୍ଣ୍ଣ ଭିନ୍ନ ଭାବରେ ପ୍ରତିଷ୍ଠା ଲାଭ କରିଛି, ଯେଉଁଥିରେ ପ୍ରାକ୍ଟିକାଲ ତାଲିମ, କ୍ୟାରିୟର କାଉନସେଲିଂ ଏବଂ ନିଯୁକ୍ତି ନିମନ୍ତେ ସମର୍ଥନ ଆଦିର ସମ୍ମିଶ୍ରଣ ରହିଛି । ପାଠ୍ୟକ୍ରମଗୁଡିକ ଶିଳ୍ପ ଆବଶ୍ୟକତା ସହିତ ମେଳ ଖାଉଛି ଏବଂ ଏହା ଏନଏସ୍ଡିସି ଓ ବିଭିନ୍ନ ସେକ୍ଟର ସ୍କିଲ କାଉନସିଲ ଗୁଡିକ ଦ୍ୱାରା ପ୍ରମାଣିକୃତ ହେବା ସହିତ ଏହି ପାଠ୍ୟକ୍ରମଗୁଡିକ ନାବାର୍ଡ, ବୋଶ ଏବଂ ସ୍ନାଇଡର ଇଲେକ୍ଟ୍ରିକ ଆଦି ଅନ୍ୟ ସଂଗଠନଗୁଡିକ ସହିତ ରଣକୌଶଳାତ୍ମକ ସହଭାଗୀତା ଜରିଆରେ ସୁଦୃଢ ହୋଇଛି । ଏଠାରୁ ଊତ୍ତୀର୍ଣ୍ଣ ଅନେକ ଯୁବବର୍ଗ ସେମାନଙ୍କର ନିଜସ୍ୱ ଉଦ୍ୟୋଗ ଆରମ୍ଭ କରିସାରିଛନ୍ତି, ଯାହା ପଛୁଆ ସମୁଦାୟଙ୍କ ମଧ୍ୟରେ ଆୟ ଏବଂ ଆତ୍ମବିଶ୍ୱାସ ବୃଦ୍ଧିକରୁଛି । ୨୦୨୫ ଆର୍ଥିକ ବର୍ଷରେ କେବଳ ୨୦ଟି କେନ୍ଦ୍ରରେ ୬୯୨୫ ଜଣ ଯୁବକ ଯୁବତୀଙ୍କୁ ତାଲିମ ପ୍ରଦାନ କରାଯାଇଛି ଏବଂ ସେମାନଙ୍କ ମଧ୍ୟରୁ ଅନେକ ତିନିମାସ ମଧ୍ୟରେ ନିଯୁକ୍ତି ହାସଲ ଅଥବା ବ୍ୟବସାୟ ଆରମ୍ଭ କରିଛନ୍ତି । ଶିକ୍ଷାନବୀଶଙ୍କ ମଧ୍ୟରେ ୫୦ ପ୍ରତିଶତରୁ ଅଧିକ ମହିଳା ଅଛନ୍ତି ଏବଂ ଦୀକ୍ଷା ଅର୍ଥନୈତିକ ସଶକ୍ତିକରଣ ଜରିଆରେ ଲିଙ୍ଗଗତ ସମାନତାକୁ ପ୍ରୋତ୍ସାହିତ କରିବା ଜାରି ରଖିଛି ।
ସମୁଦାୟ ବିଶ୍ୱ ବିଶ୍ୱ ଯୁବ ଦକ୍ଷତା ଦିବସ ପାଳନ କରୁଥିବାବେଳେ ଡାଲମିଆ ଭାରତ ଫାଉଣ୍ଡେସନ ଦକ୍ଷତା ନିର୍ମାଣ, ରଣକୌଶଳାତ୍ମକ ସହଭାଗୀତା ଏବଂ ସମାବେଶୀ ବିକାଶ ଜରିଆରେ ଭାରତର ପରବର୍ତ୍ତୀ ପିଢିକୁ ସଶକ୍ତ କରିବା ନିମନ୍ତେ ପୁନଃପ୍ରତିବଦ୍ଧତା ପ୍ରକାଶ କରୁଛି ।
ହିନ୍ଦୁସ୍ଥାନ ସମାଚାର / କାଳୀପ୍ରସାଦ