କେନ୍ଦ୍ରାପଡ଼ା, ୧୫ ଜୁଲାଇ(ହି.ସ.) – ଫକୀର ମୋହନ ମହାବିଦ୍ୟାଳୟ ର ଜନୈକା ଛାତ୍ରୀ ସୌମ୍ୟାଶ୍ରୀ ବିଶିଙ୍କ ମୃତ୍ୟୁ ଆତ୍ମହତ୍ୟା ନୁହେଁ, ଏହା ଏକ ବ୍ୟବସ୍ଥାକୃତ ହତ୍ୟା ବୋଲି ମିଳିତ ବିରୋଧୀ ଦଳ ତରଫରୁ କୁହାଯାଇଛି। ଏହି ଦୁଃଖଦ ଏବଂ ଦୁର୍ଭାଗ୍ୟଜନକ ଘଟଣା ର ସତ୍ୟାସତ୍ୟ ଅନୁସନ୍ଧାନ ପାଇଁ ଉଚ୍ଚ ନ୍ୟାୟାଳୟ ର ଜଣେ କାର୍ଯ୍ୟରତ ବିଚାରପତିଙ୍କ ଦ୍ୱାରା ନ୍ୟାୟିକ ତଦନ୍ତ କରାଯାଉ। ନୈତିକତା ଦୃଷ୍ଟିରୁ ଉଚ୍ଚ ଶିକ୍ଷା ମନ୍ତ୍ରୀ, ବାଲେଶ୍ୱର ସାଂସଦ ଏବଂ ବାଲେଶ୍ୱର ବିଧାୟକ ଇସ୍ତଫା ଦିଅନ୍ତୁ। ବାଲେଶ୍ୱର ସାଂସଦ, ବିଧାୟକ, ଜିଲ୍ଲାପାଳ ଏବଂ ଏସପିଙ୍କୁ ତଦନ୍ତ ପରିସରଭୁକ୍ତ କରାଯାଉ। ଏହି ଘଟଣା ରେ ସମଗ୍ର ରାଜ୍ୟ ସ୍ତମ୍ଭିଭୂତ ହୋଇଯାଇଛି। ଉପୋରକ୍ତ ଦାବି ଉପରେ ମହିଳା ସୁରକ୍ଷା ପାଇଁ ଶହୀଦ ଛାତ୍ରୀଙ୍କ ସ୍ମୃତିରେ ୧୭ ଜୁଲାଇରେ ଓଡ଼ିଶା ବନ୍ଦକୁ ଜନ ସାଧାରଣ ସମର୍ଥନ ଦେଇ ସଫଳ କରିବା ପାଇଁ ବିରୋଧୀ ଦଳମାନେ ନିବେଦନ କରିଛନ୍ତି। ବିଜେପି ର କୁଶାସନ ରାଜ୍ୟର ସମସ୍ତ ସମଭାବାପର୍ଣ୍ଣ ଦଳ ଏବଂ ସଂଗଠନ ମାନେ ଏକାଠି ହୋଇ ଏହି ବନ୍ଦ କୁ ସଫଳ ହୋଇଛି ପାଇଁ ଆହ୍ୱାନ ଦିଆଯାଇଛି। ତିନି ଦିନ ବ୍ୟାପୀ ତମାମ ରାଜ୍ୟ ରେ କ୍ୟାଣ୍ଡେଲ୍ ଶୋଭାଯାତ୍ରା ଓ ଶ୍ରଦ୍ଧାଞ୍ଜଳି ସଭା ଅୟୋଜନ କରାଯିବ। ଛାତ୍ର-ଛାତ୍ରୀଙ୍କ ମନ୍ଦିର ହେଉଛି ଶିକ୍ଷାନୁଷ୍ଠାନ। ସେଠାରେ ଛାତ୍ର ଛାତ୍ରୀଙ୍କର ନିରାପତା ନାହିଁ। ଭୟଙ୍କର ଦୁର୍ନିତୀ, ଜାଲିଆତି, ପାତର ଅନ୍ତର, ମାର୍କ ପାଇଁ ମାନସିକ ଚାପ, କ୍ୟାରିୟର ପାଇଁ ଯୌନ ନିର୍ଯାତନା ଭଳି ଘଟଣା ଘଟିବା ଅତ୍ୟନ୍ତ ଉଦବେଗଜନକ ଏବଂ ଚିନ୍ତାଜନକ। ଫକୀର ମୋହନ ମହାବିଦ୍ୟାଳୟ ଘଟଣା ଏହି ଘୃଣ୍ୟ କାର୍ଯ୍ୟର ଏକ ପ୍ରତିଫଳନ ମାତ୍ର ବୋଲି ବିରୋଧୀ ଦଳ ମାନେ କହିଛନ୍ତି। ବିଜେପି ଶାସନର ଜଙ୍ଗଲରାଜ ବିରୋଧ ରେ ମହିଳା, ଛାତ୍ରୀ, ଶିଶୁ, ବରିଷ୍ଠ ନାଗରିକ, ଦଳିତ, ଆଦିବାସୀ ଏବଂ ସଂଖ୍ୟାଲଘୁଆଇ,ଜେ ସମ୍ପ୍ରଦାୟର ନିରାପତା, ସାମାଜିକ ସୁରକ୍ଷା, ସାମ୍ବିଧାନିକ ଅଧିକାର ଏବଂ ମାନବିକ ଅଧିକାର ପାଇଁ ୧୭ ଜୁଲାଇ ରେ ଓଡ଼ିଶା ବନ୍ଦ ପାଳନ କରାଯିବ। ଆଜି ପୂର୍ବାହ୍ନରେ କଜଳାସ୍ଥିତ ଜିଲ୍ଲା କଂଗ୍ରେସ ଭବନରେ ଅନୁଷ୍ଠିତ ମିଳିତ ବୈଠକରେ କଂଗ୍ରେସ ଜିଲ୍ଲା ସଭାପତି ପ୍ରଫୁଲ୍ଲ ଦାସଙ୍କ ସଭାପତିତ୍ୱରେ ଅନୁଷ୍ଠିତ ସଭାରେ ସିପିଆଇ(ଏମ୍) ଜିଲ୍ଲାର ଜିଲ୍ଲା ସମ୍ପାଦକ ଗୟାଧର ଧଳ, ଜିଲ୍ଲା ନେତା ଜଗତଜୀବନ ଦାଶ,ସିପିଆଇ ଜିଲ୍ଲା ସମ୍ପାଦକ ରମଣିରଞ୍ଜନ ରାଉତରାୟ, ଜିଲ୍ଲା ନେତ୍ରୀ ସଂଯୁକ୍ତା ରାଉତ, ଏସୟୁ ସିଆଇ(କମ୍ୟୁନିଷ୍ଟ) ଜିଲ୍ଲା ସମ୍ପାଦିକା ଏଲିନା ସାମନ୍ତରାୟ, ଶ୍ରମିକ ନେତା ପ୍ରକାଶ ମହନ୍ତି ପ୍ରମୁଖ ଉପସ୍ଥିତ ଥିଲେ। ସମସ୍ତ ପ୍ରତିଷ୍ଠାନ ଓ ଅଫିସ ଗୁଡିକୁ ବନ୍ଦ ରଖିବାକୁ ବୈଠକରେ ଜନ ସାଧାରଣଙ୍କୁ ନିବେଦନ କରାଯାଇଛି।
ହିନ୍ଦୁସ୍ଥାନ ସମାଚାର/ରବି/ବୀଣାପାଣି
.......................................
ହିନ୍ଦୁସ୍ଥାନ ସମାଚାର / ରବି