ଭୁବନେଶ୍ୱର, 15 ଜୁଲାଇ (ହି.ସ.)
ସମସ୍ତ ଦୋଷୀଙ୍କୁ ଆଇନ ଅନୁଯାୟୀ କଠୋର ଦଣ୍ଡ ଦିଆଯିବ-
ମୁଖ୍ୟମନ୍ତ୍ରୀ
- ବାଲେଶ୍ୱର ଏଫଏମ କଲେଜରେ ପୀଡିତା ଛାତ୍ରୀଙ୍କ ମୃତ୍ୟୁକୁ
ନେଇ ଶୋକ ପ୍ରକାଶ କରିଛନ୍ତି ମୁଖ୍ୟମନ୍ତ୍ରୀ । ଏହାସହ ସମସ୍ତ ଦୋଷୀଙ୍କୁ କଠୋରରୁ ଅତି କଠୋର
ଦଣ୍ଡ ଦିଆଯିବ ବୋଲି ସେ କହିଛନ୍ତି । ଏନେଇ ସୋସିଆଲ ମିଡିଆ ଏକ୍ସରେ ଏକ ଶୋକ ବାର୍ତ୍ତାରେ
ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ଫକୀର ମୋହନ ସ୍ୱୟଂଶାସିତ ମହାବିଦ୍ୟାଳୟର ପୀଡ଼ିତା ଛାତ୍ରୀଙ୍କ
ଦେହାନ୍ତ ଖବର ଶୁଣି ମୁଁ ଅତ୍ୟନ୍ତ ମର୍ମାହତ। ସରକାରଙ୍କ ସମସ୍ତ ଦାୟିତ୍ୱ ନିର୍ବାହ ତଥା
ବିଶେଷଜ୍ଞ ଡାକ୍ତରୀ ଦଳଙ୍କ ଅକ୍ଲାନ୍ତ ପରିଶ୍ରମ ସତ୍ତ୍ୱେ ପୀଡ଼ିତାଙ୍କ ଜୀବନ ରକ୍ଷା ହୋଇପାରିଲା
ନାହିଁ । ତାଙ୍କର ଅମର ଆତ୍ମାର ସଦଗତି କାମନା କରିବା ସହ ପରିବାରବର୍ଗଙ୍କୁ ଏହି ଅପୂରଣୀୟ କ୍ଷତି
ସହ୍ୟ କରିବା ପାଇଁ ଶକ୍ତି ପ୍ରଦାନ କରିବା ନିମନ୍ତେ ମୁଁ ମହାପ୍ରଭୁ ଜଗନ୍ନାଥଙ୍କ ନିକଟରେ
ପ୍ରାର୍ଥନା କରୁଛି ।
ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ମୁଁ ଦିବଂଗତ ଛାତ୍ରୀଙ୍କ ପରିବାରକୁ
ଆଶ୍ୱାସନା ଦେଉଛି ଯେ ସମ୍ପୃକ୍ତ ମାମଲାରେ ସମସ୍ତ ଦୋଷୀଙ୍କୁ ଆଇନ ଅନୁଯାୟୀ କଠୋରରୁ ଅତି କଠୋର
ଦଣ୍ଡ ବିଧାନ କରାଯିବ। ଏଥିପାଇଁ ବ୍ୟକ୍ତିଗତ ଭାବେ ମୁଁ ଅଧିକାରୀଙ୍କୁ ନିର୍ଦ୍ଦେଶ ପ୍ରଦାନ
କରିଛି । ପରିବାର ସହିତ ସରକାର ଦୃଢ଼ ଭାବରେ ଛିଡା ହୋଇଛନ୍ତି ।
---------------
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା