ଭୁବନେଶ୍ୱର, 15 ଜୁଲାଇ (ହି.ସ.)
- ଶେଷରେ ଜୀବନ ହାରିଲେ ବାଲେଶ୍ୱର ଏଫଏମ କଲେଜ ପୀଡିତା
ଛାତ୍ରୀ । ଏମ୍ସରେ ଦୀର୍ଘ ୫୫ଘଣ୍ଟାର ଜୀବନ ମରଣ ସହ ସଂଘର୍ଷ କରିବା ପରେ ଜୀବନ ଯୁଦ୍ଧରେ
ହାରିଯାଇଛନ୍ତି ଫକୀର ମୋହନ ସ୍ବୟଂ ଶାସିତ ମହାବିଦ୍ୟାଳୟର ଇଣ୍ଟିଗ୍ରେଟେଡ ବିଏଡ୍ ଦ୍ବିତୀୟ
ବର୍ଷର ଛାତ୍ରୀ ସୌମ୍ୟାଶ୍ରୀ ବିଶି(୨୦)। ଭୁବନେଶ୍ବର ଏମ୍ସର ବର୍ଣ୍ଣ ବିଭାଗର ଆଇସିୟୁର
ଭେଣ୍ଟିଲେଟର ଜରିଆରେ ଚିକିତ୍ସାଧୀନ ସୌମ୍ୟାଶ୍ରୀଙ୍କର ସୋମବାର ରାତି ୧୧ଟା ୪୬ମିନିଟ୍ରେ
ମୃତ୍ୟୁ ଘଟିଛି। ୮ଜଣିଆ ବିଶେଷଜ୍ଞ ଡାକ୍ତରଙ୍କ ପ୍ରଚେଷ୍ଟା ସତ୍ତ୍ବେ ଛାତ୍ରୀଙ୍କୁ ବଞ୍ଚାଇବା
ସମ୍ଭବ ହୋଇପାରିନାହିଁ। ମୃତଦେହକୁ ବିଳମ୍ବିତ ରାତିରେ କଡ଼ା ସୁରକ୍ଷା ମଧ୍ୟରେ ବ୍ୟବଚ୍ଛେଦ
କରାଯାଇଛି। ବାଲେଶ୍ୱର ଜିଲା ଭୋଗରାଇ ବ୍ଲକ ପୈତୃକ ଗାଁ ପଳାସିଆରେ ପହଞ୍ଚିଛି ମୃତ
ସୌମ୍ୟାଶ୍ରୀଙ୍କ ମରଶରୀର । କିଛି ସମୟ ପରେ ହେବ ଅନ୍ତିମ ସଂସ୍କାର । ରୀତିନୀତି ଅନୁସାରେ ନିଜ
ଜନ୍ମ ମାଟିରେ ଶେଷକୃତ୍ୟ ହେବ ।
ଏମ୍ସ ପକ୍ଷରୁ ଜାରି ସୂଚନା ଅନୁସାରେ ସୌମ୍ୟାଶ୍ରୀଙ୍କୁ ଦୁଇ ଦିନ
ତଳେ ଅର୍ଥାତ ୧୨ତାରିଖ ଦିନ ବାଲେଶ୍ବର ଜିଲା ହସ୍ପିଟାଲରୁ ସନ୍ଧ୍ୟା ୫ଟା ୧୫ମିନିଟ୍ରେ ଏମ୍ସକୁ
ସ୍ଥାନାନ୍ତର କରାଯାଇଥିଲା। ତାଙ୍କୁ ଆଇସିୟୁରେ ଭେଣ୍ଟିଲେଟରରେ ରଖାଯିବା ସହ ଆବଶ୍ୟକ ଉନ୍ନତ
ଚିକିତ୍ସା କରାଯାଉଥିଲା। ତେବେ ଶରୀରର ୯୫ ପ୍ରତିଶତ ପୋଡ଼ିଯାଇଥିବାରୁ ତାଙ୍କ କିଡ୍ନୀ, ଫୁସ୍ଫୁସ୍ ଓ
ଲିଭର ଗୁରୁତର କ୍ଷତିଗ୍ରସ୍ତ ହୋଇଥିଲା। ଦିଲ୍ଲୀ ଏମ୍ସ ବିଶେଷଜ୍ଞଙ୍କ ପରାମର୍ଶକ୍ରମେ ତାଙ୍କର
ଡାଇଲିସିସ୍ କରାଯାଉଥିଲା। ଅବସ୍ଥା ଆରମ୍ଭରୁ ସଙ୍କଟାପନ୍ନ ରହିଥିଲା।
ସୂଚନା ଅନୁଯାୟୀ, ତାଙ୍କ ବିଭାଗୀୟ
ମୁଖ୍ୟ ସମୀର କୁମାର ସାହୁଙ୍କ ବିରୋଧରେ ସୌମ୍ୟାଶ୍ରୀ ଯୌନ ନିର୍ଯାତନା ଅଭିଯୋଗ ଆଣିଥିଲେ।
ଯାହାକୁ କଲେଜ ପକ୍ଷରୁ ତଦନ୍ତ କରାଯାଇଥିଲେ ମଧ୍ୟ ଛାତ୍ରୀଙ୍କୁ ଉପଯୁକ୍ତ ନ୍ୟାୟ ଦେବାରେ ଏହି
କମିଟି ବିଫଳ ହୋଇଥିଲା। ନ୍ୟାୟ ପାଇବା ପାଇଁ ସବୁଆଡ଼ୁ ନିରାଶ ହେବାପରେ ଶନିବାର ଛାତୀଜଣକ ନିଜ ଦେହରେ
ପେଟ୍ରୋଲ ଢ଼ାଳି କଲେଜରେ ଆତ୍ମାହୁତି ଉଦ୍ୟମ କରିଥିଲେ।
---------------
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା