ସମ୍ବଲପୁର, ୧୮ ଜୁଲାଇ (ହି.ସ.) ସମ୍ବଲପୁରର ଯୁବ ଅଭିନେତା ଶୁଭମ ମେହେର ନ୍ୟାସନାଲ ସ୍କୁଲ ଅଫ ଡ୍ରାମା(ଏନଏସଡି) ବାରଣାସିରେ ଅଧ୍ୟୟନ କରିବା ପାଇଁ ଯୋଗ୍ୟତା ହାସଲ କରିଛନ୍ତି। ସମ୍ବଲପୁର ବଡବଜାର ନିବାସୀ ପ୍ରଦୀପ କୁମାର ମେହେର ଏଵଂ ଶ୍ରୀମତୀ ଗୀତାଞ୍ଜଳି ମେହେରଙ୍କ ସୁଯୋଗ୍ୟ ସନ୍ତାନ ଶ୍ରୀମାନ ଶୁଭମ ନିଜ କଳା ଏବଂ ପ୍ରତିଭା ବଳରେ ଏନଏସଡ଼ିରୁ ପ୍ରଶିକ୍ଷଣ ନେବା ପାଇଁ ଯୋଗ୍ୟ ମନୋନୀତ ହୋଇଛନ୍ତି। ନାଟ୍ୟ ନିର୍ଦ୍ଦେଶକ ଅତିଶ ଶତପଥୀଙ୍କ ମାର୍ଗ ଦର୍ଶନ ଓ ପ୍ରୋତ୍ସାହନରେ ସେ ଅଦୃଶ୍ୟ ନାଟ୍ୟ ଆଶ୍ରମରେ କଳା ଜଗତକୁ ପଦାର୍ପଣ କରିଥିଲେ। ଦେବାନନ୍ଦ ରାଉତ ଙ୍କ ନିର୍ଦ୍ଦେଶନାରେ ୨୦୦୮ ରେ ସେ ପ୍ରଥମ ନାଟକ ପ୍ରଦର୍ଶନ କରିବାର ସୁଯୋଗ ପାଇଥିଲେ। ଶୁଭମ ୨୦୧୧ ରୁ ଅଦ୍ୟାବଧି ଅଦୃଶ୍ୟ ନାଟ୍ୟ ଆଶ୍ରମ ରେ ଅଭିନେତା ଭାବେ କାର୍ଯ୍ୟରତ। ନିଜ ଚମକୃତ ଭଙ୍ଗୀ ତଥା ଅଭିନୟ ମାଧ୍ୟମରେ ସେ ଅନେକ ନାଟକରେ ପାର୍ଶ୍ଵ ଅଭିନେତା ଭାବରେ କଳା ପ୍ରଦର୍ଶନ ପରେ ତରଙ୍ଗ ବିଗ ବ୍ରେକ-୨୦୨୨, ସଂସ୍କରଣ ରେ ଅଂଶ ଗ୍ରହଣ କରି ପ୍ରଥମ ସ୍ଥାନ ରେ ସଫଳତା ଅର୍ଜନ କରିଥିଲେ। ୨୦୨୫ ରେ ମନୋନୀତ ହୋଇ ସମ୍ବଲପୁର ତଥା ଓଡ଼ିଶା କୁ ଗୌରବାନ୍ମିତ କରିଛନ୍ତି ବୋଲି ଅଦୃଶ୍ୟ ନାଟ୍ୟ ଆଶ୍ରମ ପକ୍ଷରୁ କୁହାଯାଇଛି।
---------------
ହିନ୍ଦୁସ୍ଥାନ ସମାଚାର / ଶୈଳେଶ