ବାରିପଦା, ୧୮ ଜୁଲାଇ (ହି.ସ.)- ଝାରଖଣ୍ଡ ମୁକ୍ତି ମୋର୍ଚ୍ଚା(ଜେଏମଏମ)ର ଜିଲ୍ଲା ସଭାପତି କୃଷ୍ଣଚନ୍ଦ୍ର ଦାସଙ୍କ ନେତୃତ୍ୱରେ ବାରିପଦା ଦାରୋଗାଡାହି ଗୋଲେଇ ସ୍ଥିତ ସମ୍ବିଧାନ ପ୍ରଣେତା ଡ଼. ବାବା ସାହେବ ଭୀମରାଓ ଆମ୍ବେଦକରଙ୍କ ପ୍ରତିମୂର୍ତ୍ତି ପାଖରେ ବାଲେଶ୍ୱର ଫକୀରମୋହନ ସ୍ୱୟଂ ଶାସିତ ମହାବିଦ୍ୟାଳୟର ମୃତ ଭଉଣୀ ସୌମ୍ୟାଶ୍ରୀ ବିଶିଙ୍କୁ ନ୍ୟାୟ ଦାବୀରେ ଧାରଣା ପ୍ରଦର୍ଶନ କରାଯାଇଥିଲା। ସଭାପତି ଶ୍ରୀ ଦାସ ଡବଲ ଇଞ୍ଜିନ ସରକାରରେ ଓଡିଶାର ମହିଳା ତଥା ଆଇନ ସୁରକ୍ଷା ଭୁଶୁଡି ପଡ଼ିଥିବାର ଅଭିଯୋଗ ଆଣି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ ସମାଲୋଚନା କରିଥିଲେ। ଛାତ୍ରୀ ଜଣକ ନ୍ୟାୟ ପାଇଁ କଲେଜ କର୍ତୃପକ୍ଷ ଏବଂ ପୋଲିସ ନିକଟରୁ ନିରାଶ ହେବାପରେ ବାଲେଶ୍ୱର ସାଂସଦ, ବିଧାୟକଙ୍କୁ ଭେଟିଥିଲେ। ସେହିପରି ଟ୍ୱିଟ ମଧ୍ୟମରେ ମୁଖ୍ୟମନ୍ତ୍ରୀ, କେନ୍ଦ୍ର ଶିକ୍ଷା ମନ୍ତ୍ରୀ, ରାଜ୍ୟ ଉଚ୍ଚ ଶିକ୍ଷମନ୍ତ୍ରୀଙ୍କୁ ଜଣାଇବା ପରେ ମଧ୍ୟ କିଛିବି ସମାଧାନ ନକରି ଅପାରଗ ସରକାର ଛାତ୍ରୀ ଜଣକୁ ମୃତ୍ୟୁ ମୁଖ୍ୟକୁ ଠେଲି ଦେଲେ। ଏଣୁ ମୁଖ୍ୟମନ୍ତ୍ରୀ, ଉଚ୍ଚ ଶିକ୍ଷାମନ୍ତ୍ରୀଙ୍କ ଇସ୍ତଫା ଦାବୀ ସହିତ ବାଲେଶ୍ୱର ସାଂସଦ ଏବଂ ବିଧାୟକଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବାକୁ ଜେ ଏମ ଏମ ତରଫରୁ ଦାବୀ କରାଯାଇଛି। ଉକ୍ତ କାର୍ଯ୍ୟକ୍ରମରେ ଜିଲ୍ଲା ଉପସଭାପତି ରାଜା ହେମ୍ବ୍ରମ, ରାଜ୍ୟ ପରିଷଦ ସଦସ୍ୟ ସନାତନ ମୁର୍ମୁ, କେନ୍ଦ୍ରୀୟ କମିଟି ସଦସ୍ୟ ଦିବାକର ସୋରେନ, ଜିଲ୍ଲା ସମ୍ପାଦକ ଶୈଳେନ୍ଦ୍ର ହେମ୍ବ୍ରମ, ବାରିପଦା ନଗର ସଭାପତି ତରେନ ସେନାପତି, ସୁଜିତ ବେହରା, ସିପୁ ମୁଦଲି, ଗୋପବନ୍ଧୁନଗର ବ୍ଲକ ସଭାପତି ଚୈତନ୍ୟ ମୁର୍ମୁ, ଉଦଳା ବ୍ଲକର ଉପଦେଷ୍ଟା ଚନ୍ଦନ ପଣ୍ଡା, ରାସଗୋବିନ୍ଦପୁର ବ୍ଲକ ସଭାପତି ସୁକୁଲ ମାର୍ଣ୍ଡି, ସମାଖୁଣ୍ଟା ବ୍ଲକ ସଭାପତି ଗୌର ଚନ୍ଦ୍ର ସିଂ, ବାରିପଦା ବ୍ଲକ ସଭାପତି ପାରାନ ସୋରେନ, ଶୁଳିଆପଦା ବ୍ଲକ ସଭାପତି ମନୋଜ ଦାନ, ମୋରଡା ବ୍ଲକ ସଭାପତି ହେମନ୍ତ କୁମାର ମୋହାନ୍ତ, ଦିଲ୍ଲୀପ କୁମାର ଟୁଡୁ ଙ୍କ ସହିତ ଶତାଧିକ କର୍ମୀ ଉପସ୍ଥିତ ଥିଲେ।
ହିନ୍ଦୁସ୍ଥାନ ସମାଚାର / ପ୍ରଦୀପ୍ତ