ମାଲକାନଗିରି, ୧୮ ଜୁଲାଇ (ହି.ସ.)- ମାଲକାନଗିରି ବିଧାୟକ ନରସିଂହ ମାଡ଼କାମି ଜିଲ୍ଲାରେ ବିଦ୍ୟୁତ ଖୁଣ୍ଟ, ଉଚ୍ଚ କ୍ଷମତାସମ୍ପନ୍ନ ତାର ଏବଂ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଡାକ୍ତର ଓ ଯନ୍ତ୍ରପାତି ଅଭାବ ସମସ୍ୟାର ସମାଧାନ ପାଇଁ ରାଜ୍ୟ ସରକାରଙ୍କୁ ଅନୁରୋଧ କରିଛନ୍ତି। ଶକ୍ତି ମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ ଓ ସ୍ୱାସ୍ଥ୍ୟ ମନ୍ତ୍ରୀ ଡକ୍ଟର ମୁକେଶ ମହାଲିଙ୍ଗଙ୍କୁ ଭେଟି ଲିଖିତ ପତ୍ରରେ ସେ ତୁରନ୍ତ ପଦକ୍ଷେପ ନେବାକୁ ଦାବି କରିଛନ୍ତି।
ବିଦ୍ୟୁତ ଖୁଣ୍ଟ ଓ ଉଚ୍ଚ କ୍ଷମତାସମ୍ପନ୍ନ ତାର ସମସ୍ୟା ବ୍ୟକ୍ତିଗତ ଜମିରେ ଅନିୟମିତ ଭାବେ ସ୍ଥାପିତ ବିଦ୍ୟୁତ ଖୁଣ୍ଟ ଓ ତାର ଯୋଗୁଁ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ପକ୍କା ଘର ଏବଂ ବ୍ୟକ୍ତିଗତ ଖର୍ଚ୍ଚରେ ଘର ନିର୍ମାଣରେ ବାଧା ସୃଷ୍ଟି ହେଉଛି। ବିଧାୟକ ଏହାର ସ୍ଥାନାନ୍ତରଣ ପାଇଁ ସର୍ଭେ ଓ ଖର୍ଚ୍ଚ ସରକାର ବହନ କରିବାକୁ ଅନୁରୋଧ କରିଛନ୍ତି।
ସେହିପରି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଆନେସ୍ଥେସିଓଲୋଜିଷ୍ଟ, ଅର୍ଥୋପେଡିକ୍ ଡାକ୍ତର, ସର୍ଜନ, ରକ୍ତ କମ୍ପୋନେଂଟ ସେପରେଟର ଓ ପାରାମେଡିକାଲ କର୍ମଚାରୀଙ୍କ ଅଭାବ ଚିକିତ୍ସା ସେବାକୁ ବାଧାପ୍ରାପ୍ତ କରୁଛି। ଗତ ମାସରେ ୩୦ରୁ ଅଧିକ ଗର୍ଭବତୀ ମହିଳାଙ୍କୁ କୋରାପୁଟକୁ ରେଫର କରାଯାଇଛି। ବିଧାୟକ ଏହାର ତୁରନ୍ତ ନିଯୁକ୍ତି ଓ ଯନ୍ତ୍ରପାତି ଯୋଗାଣ ପାଇଁ ଦାବି କରିଛନ୍ତି। ଏହି ଦାବିଗୁଡ଼ିକ ମାଲକାନଗିରି ଜିଲ୍ଲାର ବିକାଶ ଓ ସ୍ୱାସ୍ଥ୍ୟ ସେବାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ନେବ ବୋଲି ସ୍ଥାନୀୟ ଲୋକେ ଆଶା ରଖିଛନ୍ତି। ସରକାରଙ୍କ ପକ୍ଷରୁ ଶୀଘ୍ର କାର୍ଯ୍ୟାନୁଷ୍ଠାନ ନେଇ ଜନସାଧାରଣ ଆଶାବାଦୀ ରହିଛନ୍ତି।
ହିନ୍ଦୁସ୍ଥାନ ସମାଚାର / ଶିବବ୍ରତ