ବଲାଙ୍ଗିର, ୧୮ ଜୁଲାଇ (ହି.ସ.)-
ବାଲେଶ୍ବର ସ୍ଥିତ ଫକୀର ମୋହନ ସ୍ବୟଂଶାସିତ ମହାବିଦ୍ୟାଳୟରେ ଗତ ୧୨ ତାରିଖ ଦିନ ଜଣେ ଆତ୍ମାହୁତି ଦେବା ଏବଂ ଭୁବନେଶ୍ବର ଏମ୍ସରେ ଚିକିତ୍ସାଧୀନ ଅବସ୍ଥାରେ ସୋମବାର-ମଙ୍ଗଳବାର ରାତିରେ ମୃତ୍ୟୁ ଘଟଣାକୁ କେନ୍ଦ୍ର କରି ବଲାଙ୍ଗିର ଜିଲ୍ଲା କଣ୍ଟାବାଞ୍ଜି ନିର୍ବାଚନ ମଣ୍ଡଳି ବିଜୁ ଜନତା ଦଳ ପକ୍ଷରୁ ବଲାଙ୍ଗିର ଜିଲ୍ଲା ପୂର୍ବତନ ସ୍ବତନ୍ତ୍ର ଉନ୍ନୟନ ପରିଷଦ ଉପାଧ୍ୟକ୍ଷା ତଥା ବିଜେଡି ନେତ୍ରୀ ନିରୁପମା ମାଝିଙ୍କ ନେତୃତ୍ବରେ ଶହ ଶହ ମହିଳା ଓ ପୁରୁଷ କଣ୍ଟାବାଞ୍ଜି ବିଜୁ ଜନତା କାର୍ଯ୍ୟାଳୟ ଠାରୁ ଏକ ବିରାଟ ଶୋଭାଯାତ୍ରାରେ ବାହାରି କଣ୍ଟାବାଞ୍ଜି ସହରର ମୁଖ୍ଯ ସଡ଼କ ଦେଇ କଣ୍ଟାବାଞ୍ଜି ତହସିଲ କାର୍ଯ୍ଯାଳୟରେ ପହଞ୍ଚିଥିଲେ। କଣ୍ଟାବାଞ୍ଜି ତହସିଲଦାରଙ୍କ ଜରିଆରେ ଓଡିଶାର ରାଜ୍ୟପାଳଙ୍କୁ ୮ ଦଫା ଦାବୀପତ୍ର ପ୍ରଦାନ କରାଯାଇଥିଲା। ଓଡିଶା ରାଜ୍ୟ ସରକାରଙ୍କ ଏକ ବର୍ଷ ପୂର୍ତି ଶାସନ ଭିତରେ କଲେଜ ଛାତ୍ରୀ ଓ ମହିଳା ମାନଙ୍କ ପ୍ରତି ଗଣଦୁଷ୍କର୍ମ, ବଳାତ୍କାର, ହତ୍ୟା, ନିର୍ଯାତନା ଭଳି ଘୃଣିତ ଘଟଣା ଚରମ ସୀମାରେ ପହଞ୍ଚି ଯାଇଅଛି। ରାଜ୍ୟର ୩୦୦୦(ତିନି ହଜାର)ରୁ ଉର୍ଦ୍ଧ୍ଵ ଗଣଦୁଷ୍କର୍ମ, ନାରୀ ନିର୍ଯାତନାର କେସ ରେଜିଷ୍ଟ୍ରେସନ ହୋଇ ସାରିଛି। ୭୦ ଜଣ ମହିଳାଙ୍କ ସହିତ ଦୁଷ୍କର୍ମ ହୋଇଥିବା ସଙ୍ଗେ ସଙ୍ଗେ ପ୍ରତିଦିନ ୧୫ ଜଣ ମହିଳା ଦୁଷ୍କର୍ମ ତଥା ନିର୍ଯାତନାର ସମ୍ମୁଖ ହେଉଛନ୍ତି। ଗତ ଜୁନ ୧୫ ତାରିଖ ଦିନ ଗୋପାଳପୁର ବେଳାଭୂମିରେ ଏକ କଲେଜ ଛାତ୍ରୀଙ୍କ ସହିତ ଗଣଦୁଷ୍କର୍ମ ହୋଇଥିଲା। ଏକ ମାସ ନପୂରୁଣୁ ପୁଣି ଏକ ଛାତ୍ରୀ ଶୌମ୍ୟାଶ୍ରୀ ବିଶି (ବାଲେଶ୍ଵର ସ୍ଥିତ ଫକିର ମୋହନ ସ୍ଵୟଂଶାସିତ ମହାବିଦ୍ୟାଳୟ) ତାଙ୍କ ପ୍ରତି ହୋଇଥିବା ଅନ୍ୟାୟ ବିଷୟରେ କଲେଜ କର୍ତ୍ତୃପକ୍ଷଙ୍କୁ, ରାଜ୍ୟ ସରକାରଙ୍କ ମୁଖ୍ୟମନ୍ତ୍ରୀ, ଶିକ୍ଷାମନ୍ତ୍ରୀ, ସାଂସଦ, ଜିଲ୍ଲାପାଳ ବାଲେଶ୍ବର, ପ୍ରଶାସନ ଅଧିକାରୀଙ୍କୁ ତାଙ୍କ ଉପରେ ହୋଇଥିବା ଅନ୍ୟାୟ ବିରୁଦ୍ଧରେ ନ୍ୟାୟ ପାଇବା ଆଶାରେ ୬ ମାସ ପର୍ଯ୍ୟନ୍ତ ଅପେକ୍ଷା କରିଥିଲେ। କିନ୍ତୁ, ରାଜ୍ୟ ସରକାରଙ୍କ ତରଫରୁ କୌଣସି ପ୍ରକାରର ସହାନୁଭୁତି କିମ୍ବା ଆଶ୍ୱାସନା ନମିଳିବାରୁ ମାନସିକ ଚାପଗ୍ରସ୍ତ ହୋଇ ମୃତ୍ୟୁର ବାଟ ଆପଣାଇ ଥିଲେ। ଏହି ସବୁ ଲଜ୍ଜାଜନକ ଘୃଣିତ ଘଟଣା ହୋଇଥିବା ଯୋଗୁଁ ଆଜି ରାଷ୍ଟ୍ରୀୟ ତଥା ଅନ୍ତରାଷ୍ଟ୍ରୀୟ ସ୍ତରରେ ନିଜର ସମ୍ମାନ ଏବଂ ଓଡିଆ ଅସ୍ମିତା ହରାଇଛି। ଏହାର ଜ୍ୱଳନ୍ତ ଉଦାହରଣ ଆପଣଙ୍କ ଦୃଷ୍ଟିକୁ ଆସିଥାଇପାରେ। ଯେ ଗତ କିଛିଦିନ ପୁର୍ବରୁ ଯୁକ୍ତରାଷ୍ଟ୍ର ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ତାଙ୍କର ଦେଶର ନାଗରିକ ମାନଙ୍କୁ ନିର୍ଦ୍ଦେଶ ଏବଂ ସଚେତନ କରି କହିଥିଲେ ଯେ, ଯଦି ଆପଣମାନେ ଭାରତ ଦେଶକୁ ଭ୍ରମଣ ପାଇଁ ଯାଉଛନ୍ତି, ତାହା ହେଲେ ଓଡିଶା ରାଜ୍ୟକୁ ଏକାକୀ ମହିଳା ଯିବେନାହିଁ । ଏଣୁ ଓଡିଶା ରାଜ୍ୟ ଶାସନରେ ଏପରି ଘଟଣାର ପୁନରାବୃଭି ଯେପରି ଭବିଷ୍ୟତରେ ନ ହେଉ । ମହିଳା ତଥା କଲେଜ ଛାତ୍ରୀଙ୍କ ସୁରକ୍ଷା ସୁନିଶ୍ଚିତ ପାଇଁ ଦୃଢ ପଦକ୍ଷେପ ନେବା ସଙ୍ଗେ ସଙ୍ଗେ ରାଜ୍ୟ ସରକାର ଆଇନ ଶୃଙ୍ଖଳା ପ୍ରତି ଯତ୍ନବାନ ଓ ସଜାଗ ହେବା ଅତ୍ୟନ୍ତ ଆବଶ୍ୟକ ହେବା ସହ ବାଲେଶ୍ବର ସ୍ଥିତ ଫକୀର ମୋହନ ସ୍ବୟଂଶାସିତ ମହା ବିଦ୍ୟାଳୟର ପୀଡିତା ଶୌମ୍ୟାଶ୍ରୀ ବିଶିଙ୍କ ପରିବାରକୁ ରାଜ୍ଯ ସରକାରଙ୍କ ଦ୍ବାରା ଦୁଇ କୋଟି ଅନୁକମ୍ପା ରାଶି ଦିଆଯାଉ। ଫକୀର ମୋହନ ସ୍ବୟଂଶାସିତ ମହା ବିଦ୍ୟାଳୟର କତୃପକ୍ଷଙ୍କ ଇନ୍ଟରନାଲ କମ୍ପ୍ଲେନ କମିଟି ରିପୋର୍ଟ ଜିଲ୍ଲା ଆରକ୍ଷୀ ଅଧିକ୍ଷକଙ୍କ କାର୍ଯ୍ୟାଳୟରେ ଦେବାରେ କାହିଁକି ବିଳମ୍ବ କଲେ ତା'ର ନ୍ୟାୟିକ ତଦନ୍ତ କରାଯାଉ। ପୀଡିତା ଛାତ୍ରୀ ଶୌମ୍ୟାଶ୍ରୀ ବିଶି ତାଙ୍କ ପ୍ରତି ହୋଇଥିବା ଅନ୍ୟାୟ ବିଷୟରେ ଯେଉଁ ସବୁ ରାଜ୍ଯ ସରକାରରେ ଥିବା ପଦ ପଦାଧିକାରୀଙ୍କୁ ଜଣାଇଥିଲେ ସେମାନେ କେଉଁ କାରଣରୁ ନିରବ ରହିଲେ ତାକୁ ତଦନ୍ତ ପରିସରଭୁକ୍ତ କରାଯାଉ। ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନା କାର୍ଡ ବନ୍ଦ କରାଯିବା ଫଳରେ ସାରା ରାଜ୍ଯରେ ଚାଷୀ, ମୂଲିଆ, ଖଟିଖିଆ, ଦିନମଜୁରିଆ, ଗରିବ ଶ୍ରେଣୀର ଲୋକମାନେ ନାହିଁନଥିବା ଅସୁବିଧାରେ ପଡି ମୃତ୍ୟୁର ସମ୍ମୁଖୀନ ହେଉଛନ୍ତି। ଏଣୁ ବିଜୁ ସ୍ମାଟ କାର୍ଡକୁ ପୁଣି ଆରମ୍ଭ କରାଯାଉ। ବଲାଙ୍ଗିର ଜିଲ୍ଲା କଣ୍ଟାବାଞ୍ଜି ନିର୍ବାଚନ ମଣ୍ଡଳି ଅଧିନରେ ଥିବା ସମସ୍ତ ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ର ଓ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ବିଭିନ୍ନ ବିଭାଗର ଡାକ୍ତର ପଦବୀ ଯୁଦ୍ଧକାଳିନ ଭିତ୍ତିରେ ପୁରଣ କରାଯାଉ। ପ୍ରଧାନମନ୍ତ୍ରୀ ଫଳକ ଵୀମା ଯୋଜନାରେ ଚାଷୀମାନେ ଵୀମା କରିବା ପରେ ଜିଲ୍ଲା ସ୍ତରରେ ଚାଷୀବିମା ସଂପର୍କିତ କୌଣସି କାର୍ଯ୍ୟାଳୟ ନଥିବାରୁ ଚାଷୀ ମାନେ ଅନେକ ପ୍ରକାର ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ଏଣୁ ଜିଲ୍ଲା ମୁଖ୍ଯଙ୍କର କୃଷିଵୀମା କାର୍ଯ୍ୟାଳୟ ଖୋଲାଯାଉ। କଣ୍ଟାବାଞ୍ଜି ବିଧାନସଭା କ୍ଷେତ୍ରରେ ଅନ୍ତର୍ଗତ ତୁରେକେଲା, ମୁରିବାହାଲ, ବଙ୍ଗୋମୁଣ୍ଡା ବ୍ଲକ ମୁଖ୍ଯ କାର୍ଯ୍ଯାଳୟରେ ତଥା କଣ୍ଟାବାଞ୍ଜି ବିଜ୍ଞାପିତ ଅଞ୍ଚଳ ପରିଷଦରେ ଷ୍ଟାଡିୟମ ସହ ମଲ୍ଟିଜିମ ନିର୍ମାଣ କରାଯାଉ ବୋଲି ଦାବୀ ପତ୍ରରେ ଉଲ୍ଲେଖ ରହିଛି। ଏହି କାର୍ଯ୍ୟକ୍ରମରେ ବଲାଙ୍ଗିର ଜିଲ୍ଲା ପରିଷଦ ଉପାଧ୍ୟକ୍ଷା ମିଥିଳା ମାଝୀ, ବିଜୁ ମହିଳା ଜନତା ଦଳ ରାଜ୍ଯ ଉପ ସଭାନେତ୍ରୀ ଗୋପା ମହାନନ୍ଦ, ଜିଲ୍ଲା ସାଧାରଣ ସମ୍ପାଦିକା ପିଙ୍କି ଖର୍ସେଲ, କଣ୍ଟାବାଞ୍ଜି ବିଜୁ ଜନତା ଦଳ ଯୁବ ନେତା ଗିରିରାଜ ସିଂ ମାଝୀ, ତୁରେକେଲା ବ୍ଲକ ବିଜେଡି ସଭାପତି ଆଶାଦୁଲ ଖାନ, ଉପ ସଭାପତି ବିଶ୍ବନାଥ ସାହୁ, ବିଜେଡି ଜିଲ୍ଲା ସାଧାରଣ ସମ୍ପାଦକ ଦେବରାଜ ଯାଦବ, ପୂର୍ବତନ କଣ୍ଟାବାଞ୍ଜି ଏନଏସି ଉପାଧ୍ୟକ୍ଷ କିଶୋର ମଛଖଣ୍ଡ, ନଗର କାର୍ଯ୍ୟକାରୀ ସଭାପତି ଦେବାର ବାରିକ, ନଗର ଯୁବ ସଭାପତି ବିଷ୍ତୁ ଜୁଏଡ, ଲମ୍ବୁ ମାହାନନ୍ଦ, ଭବାନୀ ନାଗ, ଗୌରାଙ୍ଗ ମାହାନନ୍ଦ, ଏକୁ ବେହେରା, ସଚିନ ହଂସ, ଆଶିଷ ବେହେରାଙ୍କ ସହ ଅନ୍ୟ ଦଳୀୟ କାର୍ଯ୍ୟକର୍ତ୍ତା ଉପସ୍ଥିତ ଥିଲେ।
ହିନ୍ଦୁସ୍ଥାନ ସମାଚାର / ଗୋପବନ୍ଧୁ