ବାରିପଦା,୧୮ ଜୁଲାଇ (ହି.ସ)- ମହାରାଜପୁର ଠାରେ ଅବସ୍ଥିତ ମୟୁରଭଞ୍ଜ କଲେଜ ଅଫ ଆକାଉଣ୍ଟନସି ଆଣ୍ଡ ମ୍ୟାନେଜମେଣ୍ଟ (ଏମସିଏଏମ)ର ଜାତୀୟ ସେବା ଯୋଜନା ୟୁନିଟ ଦ୍ୱାରା ଆଜି ଦିବଂଗତ ଛାତ୍ରୀ ସୌମ୍ୟାଶ୍ରୀ ବିଶିଙ୍କ ଉଦେଶ୍ୟରେ ଏକ ଶ୍ରଦ୍ଧାଞ୍ଜଳି ସଭା ଅନୁଷ୍ଠିତ ହୋଇଯାଇଛି। ମହାବିଦ୍ୟାଳୟର ଅଧକ୍ଷ ପ୍ରଦୀପ କୁମାର ନାୟକ ପୌରହିତ୍ୟ ରେ ଆୟୋଜିତ ସଭାରେ ଉପାଧ୍ୟକ୍ଷା ସଂଘମିତ୍ରା ରାଉତ, ଅଧ୍ୟାପକ ଜ୍ଞାନରଞ୍ଜନ ପଣ୍ଡା, ବିଏଏଲଏଲବି ବିଭାଗର ସଂଯୋଯୋକ ଡ. ଜିତେନ୍ଦ୍ର କୁମାର ଦାସ, ସମ୍ବିତ କୁମାର ମିଶ୍ର, ଡ଼. ଠାକୁରା ମାରାଣ୍ଡି, ଅଧ୍ୟାପିକା ସୁଜାତା ପାଲ ପ୍ରମୁଖ ଯୋଗଦେଇ ଫକୀରମୋହନ ସ୍ୱୟଂ ଶାସିତ ମହାବିଦ୍ୟାଳୟର ଛାତ୍ରୀ ସୌମ୍ୟାଶ୍ରୀ ବିଶିଙ୍କ ଆତ୍ମହୁତିରେ ସମସ୍ତ ଛାତ୍ରଛାତ୍ରୀ, ଅଧ୍ୟାପକ, ଅଭିଭାବକ ସ୍ତବ୍ଧ ବୋଲି କହିବା ସହିତ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ। ଅଧ୍ୟକ୍ଷ ଶ୍ରୀ ନାୟକ ଛାତ୍ରଛାତ୍ରୀ ମାନଙ୍କୁ ଧୈର୍ଯ୍ୟର ସହ ନିଜର ଅସୁବିଧାକୁ ବିନା ଦ୍ଵିଧାରେ ମହାବିଦ୍ୟାଳୟ ପ୍ରଶାସନ ପାଖରେ ଜଣାଇବାକୁ ଅନୁରୋଧ କରିଥିଲେ। ମହାବିଦ୍ୟାଳୟରେ ଏକ ଆନ୍ତରୀଣ ଅଭିଯୋଗ କମିଟି ରହିଛି ଏଥି ସହ ଅଭିଯୋଗ ବାକ୍ସରେ ନିଜର ଅଭିଯୋଗ ଲେଖି ପକାଇବାକୁ ସେ ଛାତ୍ରଛାତ୍ରୀ ମାନଙ୍କୁ ପରାମର୍ଶ ଦେଇଥିଲେ। ସୌମ୍ୟାଶ୍ରୀଙ୍କ ସ୍ବର୍ଗତ ଆତ୍ମାର ସଦଗତି ପ୍ରାପ୍ତି ପାଇଁ ଏକ ମିନିଟ ନିରବ ପ୍ରାଥନା କରାଯିବା ସହ ଶୋକ ସନ୍ତପ୍ତ ପରିବାର ପ୍ରତି ସମବେଦନା ଜ୍ଞାପନ କରାଯାଇଥିଲା। ମହାବିଦ୍ୟାଳୟର ଜାତୀୟ ସେବା ଯୋଜନା ଅଧିକାରିଣୀ ସୁଶ୍ରୀ ନାୟକଙ୍କ ତତ୍ୱାବଧାନରେ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିବା ବେଳେ ଅଧ୍ୟାପିକା କିରଣ ବାଳା ବାସ୍କେ ଧନ୍ୟବାଦ ଅର୍ପଣ କରିଥିଲେ।
ହିନ୍ଦୁସ୍ଥାନ ସମାଚାର / ପ୍ରଦୀପ୍ତ