ବାରିପଦା, ୨୩ ଜୁଲାଇ (ହି.ସ.) - ମହାରାଜା ଶ୍ରୀରାମଚନ୍ଦ୍ର ଭଞ୍ଜଦେଓ ବିଶ୍ୱବିଦ୍ୟାଳୟରେ ଦୁର୍ନୀତି ବିରୋଧରେ ଏକ ଉଚ୍ଚସ୍ତରୀୟ ତଦନ୍ତ ପାଇଁ ଭଞ୍ଜସେନା ପକ୍ଷରୁ ଦାବି ହୋଇଛି। କୁଳପତି ପ୍ରଫେସର ସନ୍ତୋଷ କୁମାର ତ୍ରିପାଠୀ ଅସ୍ଥାୟୀ ଦାୟିତ୍ୱରେ ରହିଥିବା ବିଭିନ୍ନ ଦୁର୍ନୀତିମୂଳକ କାର୍ଯ୍ୟରେ ସଂଶ୍ଲିଷ୍ଟ ରହିଛନ୍ତି ବୋଲି ଭଞ୍ଜସେନା ଅଭିଯୋଗ କରିଛି। ତାଙ୍କ ସ୍ଥାନରେ ଏକ ସ୍ଥାୟୀ କୁଳପତିଙ୍କୁ ନିଯୁକ୍ତି ଦେବା ସହ ଦୁର୍ନୀତିର ଉଚ୍ଚସ୍ତରୀୟ ତଦନ୍ତ ଦାବି କରି ଦାବୀପତ୍ର ଅତିରିକ୍ତ ଜିଲ୍ଲାପାଳ ଇଶ୍ୱର ଚନ୍ଦ୍ର ନାୟକଙ୍କ ଜରିଆରେ ରାଜ୍ୟପାଳ ଓ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଧେଶ୍ୟରେ ପ୍ରେରଣ କରିଛନ୍ତି। ୨୦୨୩ ଭାରାପ୍ରାପ୍ତ କୁଳପତି ପ୍ରଫେସର ତ୍ରିପାଠୀ ଛାତ୍ରଛାତ୍ରୀଙ୍କ ପାଇଁ ସାର୍ଟିଫିକେଟ ପ୍ରସ୍ତୁତ ନକରି ରାଜ୍ୟପାଳ ଓ ରାଷ୍ଟ୍ରପତିଙ୍କୁ ଡକାଇ ସମାବର୍ତନ ଉତ୍ସବ ପାଳନ କରିଥିଲେ। ଯାହା ଫଳରେ ୨୦୨୨,୨୦୨୩ ଓ ୨୦୨୪ ଶିକ୍ଷା ବର୍ଷରେ ପାସ କରି ଥିବା ପିଲା ମାନେ ବର୍ତମାନ ପର୍ଯ୍ୟନ୍ତ ସାର୍ଟିଫିକେଟ ପାଇ ନାହାନ୍ତି। ସରକାରଙ୍କ ପ୍ରାକ୍ ଅନୁମତି ବିନା ଛାତ୍ରଛାତ୍ରୀଙ୍କ ପରୀକ୍ଷା ଫଣ୍ଡକୁ ଭାଙ୍ଗି ନିର୍ମାଣ କାର୍ଯ୍ୟ ପାଇଁ ପ୍ରାୟ ୫ କୋଟି ଟଙ୍କା ଖର୍ଚ୍ଚ କରିଛନ୍ତି। ଏହି କାମ ବିନା ଟେଣ୍ଡରରେ ଏକ ନିର୍ଦ୍ଦିଷ୍ଟ ଠିକାଦାର ଜରିଆରେ କରାଯାଇଛି। ତାହା ନିମ୍ନ ମାନର କରି କୋଟି କୋଟି ଟଙ୍କା ଦୁର୍ନୀତି ହୋଇଛି। ବିଶ୍ୱବିଦ୍ୟାୟର ପ୍ରତିଷ୍ଠା ଦିବସ ପାଇଁ କୌଣସି ନିର୍ବାଚିତ ଜନ ପ୍ରତିନିଧିଙ୍କୁ ସଠିକ୍ ଭାବେ ନିମନ୍ତ୍ରଣ ନ କରିବା ଓ ମନମୁଖୀ ଭାବେ କୌଣସି କାରଣ ନ ଦର୍ଶାଇ ପ୍ରତିଷ୍ଠା ଉତ୍ସବ ପାଳନକୁ ହଠାତ୍ ବାତିଲ କରିଦେବା ଭାରା ପ୍ରାପ୍ତ କୁଳପତିଙ୍କ ଜିଲ୍ଲା ପ୍ରତି ବେଖାତିର ମନୋଭାବର ସୂଚନା ଦେଉଛି। ରାଜ୍ୟପାଳଙ୍କ ବିଶ୍ୱବିଦ୍ୟାଳୟ ଆଇନ୍ ଅନୁଯାୟୀ ଜଣେ କୁଳପତି ଅତି ବେଶିରେ ଭାରାପ୍ରାପ୍ତ ଭାବେ ଗୋଟିଏ ବର୍ଷ କାର୍ଯ୍ୟ କରି ପାରିବେ ମାତ୍ର ପ୍ରଫେସର୍ ସନ୍ତୋଷ କୁମାର ତ୍ରିପାଠୀ ତିନି ବର୍ଷ ପାଖା ପାଖି ଏହି ପଦରେ ରହିଛନ୍ତି। ଆଜି ପର୍ଯ୍ୟନ୍ତ ବିଶ୍ୱବିଦ୍ୟାଳୟରେ ସମସ୍ତ ବିଭାଗ ରେଗୁଲାର ନ ହୋଇପାରିବା ଏବଂ ଅଧିକନ୍ତୁ ଠିକା ଭାବରେ ଅଧ୍ୟାପକ ଓ ଅଧ୍ୟାପିକାଙ୍କ ଦ୍ୱାରା ପରିଚାଳିତ ହେଉଛି। ୨୦୨୩ ମେ ମାସ ୬ ତାରିଖ ଶ୍ରୀରାମଚନ୍ଦ୍ର ଭଞ୍ଜଦେଓ ବିଶ୍ୱବିଦ୍ୟାଳୟ ସମାବର୍ତନ ଉତ୍ସବରେ ମୁଖ୍ୟ ଅତିଥି ଥିବା ରାଷ୍ଟ୍ରପତିଙ୍କ କାର୍ଯ୍ୟକ୍ରମରେ ଯେଉଁ ବିଦ୍ୟୁତ ବିଭ୍ରାଟ ହୋଇଥିଲା, ତାର ତଦନ୍ତ କରି ମୁଖ୍ୟ ଦୋଷୀଙ୍କ ପ୍ରତି ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ। ତେଣୁକରି ଅନିୟମିତତା ନେଇ କରିବାକୁ ଦାବି ହୋଇଛି। ଦାବିପତ୍ର ପ୍ରଦାନ ବେଳେ ଜିଲ୍ଲା ଛାତ୍ର ଶାଖା ସଭାପତି କିଷନ କୁମାର ସାହୁ, ମୁକ୍ତିଦତ ପରିଡା, ମନୋଜ ସାହୁ, ରାଜେଶ ଦାଶ,ସତ୍ୟ ପୃଷ୍ଟି, ରମଣ ସାହୁ ପ୍ରମୁଖ ଉପସ୍ଥିତ ଥିଲେ। ଯଥାଶୀଘ୍ର ସରକାର ଏବାବତରେ ହସ୍ତକ୍ଷେପ କରି ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ ନ କଲେ ବିଶ୍ୱବିଦ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ ସହ ଜିଲ୍ଲାବ୍ୟାପି ଛାତ୍ର ଆନ୍ଦୋଳନ ହେବ ବୋଲି ଛାତ୍ର ଶାଖା ସଭାପତି କିଷନ କୁମାର ସାହୁ ଏକ ପ୍ରେସ ବିବୃତିରେ ଜଣାଇଛନ୍ତି।
ହିନ୍ଦୁସ୍ଥାନ ସମାଚାର/ଦିଲ୍ଲୀପ/ଭାନୁ
ହିନ୍ଦୁସ୍ଥାନ ସମାଚାର / ଦିଲ୍ଲୀପ