ବଲାଙ୍ଗୀର, ୨୩ ଜୁଲାଇ(ହି.ସ.) – ବଲାଙ୍ଗୀର ନାଗରିକ କମିଟିର ତ୍ରୟୋମାସିକ ସାଧାରଣ ସଭା ସରକାରୀ ଟାଉନ ଉଚ୍ଚବାଳିକା ବିଦ୍ୟାଳୟରେ ଡ. ଶ୍ରୀକର ମିଶ୍ରଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଯାଇଛି। ନାଗରିକ କମିଟିର ସମ୍ବିଧାନ ସଂଶୋଧନ ପରେ ଏହା ହେଉଛି ପ୍ରଥମ ତ୍ରୟୋମାସିକ ସଭା। ସଭାପତି ଡ. ମିଶ୍ର ଉପସ୍ଥିତ ସମସ୍ତଙ୍କୁ ସ୍ୱାଗତ କରିବା ପରେ ସାଧାରଣ ସଂପାଦକ ମଧୁ ସୁଦନ ନାୟକ ଗତ ସାଧାରଣ ସଭା ଓ କାର୍ଯ୍ୟକାରି କମିଟି ବୈଠକର ବିବରଣୀ ପାଠ କରିବା ସହିତ ବାର୍ଷିକ ବିବରଣୀ ଉପସ୍ଥାପନା କରିଥିଲେ। ସଭାପତିଙ୍କ ନିର୍ଦ୍ଦେଶ କ୍ରମେ ସଂପାଦକ ଶ୍ରୀ ନାୟକ ଗତ ତିନି ମାସ ମଧ୍ୟରେ ନାଗରିକ କମିଟି ଦ୍ୱାରା ସଂପାଦିତ ବିଭିନ୍ନ କାର୍ଯ୍ୟ ସଂପର୍କରେ ସୂଚନା ପ୍ରଦାନ କରିଥିଲେ। ପ୍ରଧାନମନ୍ତ୍ରୀ, ରେଲୱେ ମନ୍ତ୍ରୀ, ମୁଖ୍ୟମନ୍ତ୍ରୀ, ରାଜସ୍ୱମନ୍ତ୍ରୀଙ୍କ ସହିତ ଜିଲ୍ଲା ପଂଚାୟତ କାର୍ଯ୍ୟାଳୟ, ବିପିସିଏଲ୍ ଓ ଲୋୟର ସୁକତେଲ କାର୍ଯ୍ୟାଳୟରୁ ନାଗରିକ କମିଟିର ପତ୍ରର ଉତର ମିଳିଥିôବା ସଭାପତି ସୂଚନା ଦେବା ସହିତ ସମସ୍ତ କାର୍ଯ୍ୟାଳୟ ବଲାଙ୍ଗୀର ନାଗରିକ କମିଟିକୁ ସହଯୋଗ କରିଥିବା ଦର୍ଶାଇଥିଲେ। ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହକୁ ଖାତିର ନକରି ଯେଉଁ ସଦସ୍ୟମାନେ ନାଗରିକ କମିଟିର କାର୍ଯ୍ୟ ସଂପାଦନ ପାଇଁ ଆଗେଇ ଆସିଥିଲେ ସେମାନଙ୍କୁ, ବିଶେଷ କରି ଗତ ଜୁଲାଇ ୯ ତାରିଖରେ ସ୍ଥାନୀୟ ଆର୍ଯ୍ୟସମାଜ ମନ୍ଦିର ପରିସରରେ ନାଗରିକ କମିଟି ତରଫରୁ ପାଳନ କରାଯାଇଥିବା ବନୋମହୋତ୍ସବ ଓ ବୃକ୍ଷରୋପଣ କାର୍ଯ୍ୟକ୍ରମରେ ବିଶେଷ ଅବଦାନ ପାଇଁ ଉପ-ସଭାପତି ନିତ୍ୟାନନ୍ଦ ମିଶ୍ର, କାର୍ଯ୍ୟକାରୀ କମିଟି ସଦସ୍ୟ ପ୍ରଫେସର ତରୁଣ କୁମାର ମିଶ୍ର ଓ କାର୍ଯ୍ୟକ୍ରମରେ ଯୋଗ ଦେଇଥିବା ସଦସ୍ୟମାନଙ୍କୁ ସଭାପତି ସାଧୁବାଦ ଜଣାଇଥିଲେ ଓ ପ୍ରକାଶ କରିଥିଲେ ଯେ ଗତ ତିନି ମାସ ମଧ୍ୟରେ କିଛି କାର୍ଯ୍ୟ ସୁଫଳ ପ୍ରଦାନ କରିଛି ଓ କିଛି କାର୍ଯ୍ୟ ଅଧୁରା ରହିଯାଇଛି। ଯେଉଁ କାର୍ଯ୍ୟ ଅଧୁରା ରହିଛି ତା ଉପରେ ଖୁବ୍ ଶିଘ୍ର ପଦକ୍ଷେପ ଗ୍ରହଣ କରିବାକୁ ଘୋଷଣା କରିଥିଲେ। ସଭାପତିଙ୍କ ଆହ୍ୱାନ କ୍ରମେ ସଦସ୍ୟ ଧର୍ମବ୍ରତ ରଥ, ନରେନ୍ଦ୍ର କୁମାର ଆଚାର୍ଯ୍ୟ, ଜୟରାମ ମିଶ୍ର, ପ୍ରଭାକର ମିଶ୍ର, ପ୍ରଶାନ୍ତ କୁମାର ପଟ୍ଟନାୟକ, କିଶୋର କୁମାର ପୁରୋହିତ, ଦୁର୍ବାଦଳ ମହାକୁର ଓ ପ୍ରଦୀପ କୁମାର ସାହୁ ଆଗାମୀ ତିନି ମାସ ପାଇଁ ବିଭିନ୍ନ କାର୍ଯ୍ୟର ପ୍ରସ୍ତାବ ରଖିଥିଲେ। ଶେଷରେ ଉପ-ସଭାପତି ନିତ୍ୟାନନ୍ଦ ମିଶ୍ରଙ୍କ ପରେ ସଭା ସାଙ୍ଗ ହୋଇଥିଲା।
ହିନ୍ଦୁସ୍ଥାନ ସମାଚାର/ଗୋପବନ୍ଧୁ/ବୀଣାପାଣି
.......................................
ହିନ୍ଦୁସ୍ଥାନ ସମାଚାର / ଗୋପବନ୍ଧୁ