ଭୁବନେଶ୍ୱର,୨୩ ଜୁଲାଇ (ହି.ସ.)- ପ୍ରଦେଶ କଂଗ୍ରେସ ସଭାପତି ଭକ୍ତ ଚରଣ ଦାସ କହିଛନ୍ତି ଯେ ପ୍ରତ୍ୟହ ନାରୀ ନିର୍ଯାତନା ପାଇଁ ରାଜ୍ୟର ଜନତା ମର୍ମାହତ ଏବଂ ଲଜ୍ଜିତ। କିନ୍ତୁ ରାଜ୍ୟ ସରକାର କିଛି ହୃଦୟଙ୍ଗମ କଲାଭଳି ଦେଖାଯାଉ ନାହିଁ। ସରକାର ନା କିଛି କରୁଛନ୍ତି ନା ଗାଦି ଛାଡ଼ୁଛନ୍ତି। ତେଣୁ ମୁଖ୍ୟ ବିରୋଧି ଦଳ ହିସାବରେ ବିଜେଡ଼ି ଅନାସ୍ଥା ପ୍ରସ୍ତାବ ଆଣୁ ଏବଂ କଂଗ୍ରେସ ତାକୁ ସମର୍ଥନ କରିବ। ଯଦି ନ ଆଣୁଛି ତେବେ କଂଗ୍ରେସ ଅନସ୍ଥା ପ୍ରସ୍ତାବ ଆଣିବ ଏବଂ ବିଜେଡ଼ି ସମର୍ଥନ କରୁ। ଯଦି ବିଜେଡ଼ି କିଛିବି କରେନାହିଁ ତେବେ ନାରୀଙ୍କ ନ୍ୟାୟ ପାଇଁ ମୂଲ୍ୟହୀନ ପ୍ରହସନ ରାଜରାସ୍ତାରେ ବନ୍ଦ କରୁ ।
ପୂର୍ବତନ କେନ୍ଦ୍ରମନ୍ତ୍ରୀ ଶ୍ରୀକାନ୍ତ ଜେନା କହିଲେ ଯେ ସ୍ୱାଧୀନତାକୁ ୭୫ବର୍ଷ ବିତିଯାଇଥିଲେ ସୁଦ୍ଧା ଏଭଳି ଲଜ୍ଜାଜନକ ଘଟଣା ସବୁ ଘଟୁଛି ଏବଂ ଆଇନ ଶୃଙ୍ଖଳାକୁ ସମ୍ଭାଳିବାରେ ସରକାର ବିଫଳ ହେଉଛନ୍ତି । ଓଡ଼ିଶାର ବିଜେପି ସରକାର ବିରୋଧରେ କଂଗ୍ରେସ ଯେଉଁ ଅଭିଯୋଗ ଆଣିଥିଲା ସୁପ୍ରିମକୋର୍ଟ ତାଙ୍କ ବକ୍ତବ୍ୟ ମାଧ୍ୟମରେ ଆଜି ମୋହର ଲଗାଇଛନ୍ତି । ମାନ୍ୟବର ସୁପ୍ରିମକୋର୍ଟଙ୍କ ଭତ୍ସନାପରେ ସରକାର ଅନ୍ତତଃ ଇସ୍ତଫା ଦେଇଦେବା ଉଚିତ । ଏହା ସହିତ ପୂର୍ବତନ ପିସିସି ସଭାପତି ଜୟଦେବ ଜେନା କହିଲେ ଯେ ସ୍ୱତଃପ୍ରବୃତ ଭାବେ ଓଡ଼ିଶାର ଜନସାଧାରଣ ଯେଭଳି ଶାନ୍ତପୂର୍ଣ୍ଣ ବନ୍ଦକୁ ସଫଳ କଲେ ଏହା ଜଣାଇ ଦେଉଛି ଯେ ଓଡ଼ିଶାର ଜନସାଧାରଣ ଅନ୍ୟାୟ, ଅତ୍ୟାଚାରକୁ ବରଦାସ୍ତ କରିବେ ନାହିଁ ।
ଗଣମାଧ୍ୟମଙ୍କ ପ୍ରଶ୍ନର ଉତରରେ ପିସିସି ସଭାପତି ଶ୍ରୀ ଦାସ ଡବଲ ଇଞ୍ଜିନ ସରକାରର ମୁଖ୍ୟମନ୍ତ୍ରୀ କିମ୍ବା ପ୍ରଧାନମନ୍ତ୍ରୀ କେହି ମଧ୍ୟ ଲଜ୍ଜିତ ନୁହଁନ୍ତି, ଯଦି ଥା’ନ୍ତେ ତେବେ ଘଟୁଥିବା ନାରୀ ଅତ୍ୟାଚାର ବାବଦରେ ରାଜ୍ୟବାସୀଙ୍କୁ ପଦୁଟିଏ ନିଶ୍ଚିତ କହିଥାନ୍ତେ । ଦମ ଯଦି ଅଛି ତେବେ ଛାତିଫାଡ଼ି ନ୍ୟାୟଦିଅ । ନହେଲେ ହଟିଯାଅ ବୋଲି ସେ ସରକାରଙ୍କୁ ଆହ୍ୱାନ କରିଥିଲେ । ଗଣମାଧ୍ୟମର ଅନ୍ୟ ଏକ ପ୍ରସଙ୍ଗର ଉତ୍ତର ରଖି ସଭାପତି ଶ୍ରୀ ଦାସ କହିଲେ ଯେ ନବୀନ ସବୁବେଳେ ଅନ୍ଧକାର ଭିତରେ।ତାଙ୍କୁ ଭେଟିବାକୁ କେବଳ ଜଣଙ୍କୁ ଅନୁମତି ଅଛି । ଭଗବାନ କରନ୍ତୁ ଆମେ ଆହ୍ୱାନ କରିଥିବା ଅନାସ୍ଥା ପ୍ରସ୍ତାବ ବିଷୟ ତାଙ୍କ ପାଖରେ ପହଞ୍ଚୁ ।
ମୁଁ ପିସିସି ସଭାପତି ଦାୟିତ୍ୱ ନେବ ପରଠୁ ଦୀର୍ଘ ୫ ମାସ ହେଲା ପରିବାର ସହିତ ଶାନ୍ତିରେ ଦିନଟିଏ ମଧ୍ୟ ବିତାଇ ପାରିନି । ଅନବରତ ରାଜ୍ୟ ଜନତାଙ୍କ ପାଇଁ କାମ କରି ଚାଲିଛି । ଜଗନ୍ନାଥଙ୍କୁ ଦର୍ଶନ କରି ଫେରିବା ପରଦିନଠୁ ଯେଭଳି ରାଜ୍ୟରେ ନାରୀ ନିର୍ଯାତନା ଘଟି ଚାଲିଛି ମୋତେ ଘୋର ବ୍ୟଥିତ କରିବା ସହିତ ଲଜ୍ଜା ଅନୁଭୁତ ହେଉଛି । ତେଣୁ ନାରୀ ନ୍ୟାୟ ଆନ୍ଦୋଳନ ବର୍ତ୍ତମାନ ରାଜ୍ୟର ପ୍ରଥମ ଆବଶ୍ୟକତା ଚିନ୍ତାକରି କଂଗ୍ରେସ ଦଳ ନାରୀ ନ୍ୟାୟ ଆନ୍ଦୋଳନ ଆରମ୍ଭ କଲା । କେତେବେଳେ କେମିତି ମୋ ବକ୍ତବ୍ୟ କଡ଼ା ହୋଇଯାଏ କିନ୍ତୁ ଏହା ସରକାରଙ୍କୁ କ୍ରିୟାଶୀଳ କରିବା ହେଉଛି ମୋର ଉଦ୍ଦେଶ୍ୟ । କାହାକୁ ବ୍ୟକ୍ତିଗତ କହେନି ଯାହାବି କହେ ରାଜ୍ୟର ସ୍ୱାର୍ଥରେ କୁହେ ବୋଲି ଗଣମାଧ୍ୟମକୁ ପ୍ରତିକ୍ରିୟା ରଖିଛନ୍ତି ।
ଆଜିର ସାମ୍ବାଦିକ ସମ୍ମିଳନୀରେ ଅନ୍ୟମାନଙ୍କ ମଧ୍ୟରେ ପିସିସି ଉପ ସଭାପତି ତାରା ପ୍ରସାଦ ବାହିନୀପତି,ଦେବାଶିଷ ପଟ୍ଟନାୟକ, ଲଲାଟେନ୍ଦୁ ମହାପାତ୍ର,ମହିଳା କଂଗ୍ରେସ ସଭାନେତ୍ରୀ ମିନାକ୍ଷୀ ବାହିନୀପତି,ଗଣମାଧ୍ୟମ ବିଭାଗ ଅଧ୍ୟକ୍ଷ ଅରବିନ୍ଦ ଦାସ ଓ ପିସିସି ମୁଖପାତ୍ର ନିଶିକାନ୍ତ ମିଶ୍ର ପ୍ରମୁଖ ଉପସ୍ଥିତ ଥିଲେ।
---------------
ହିନ୍ଦୁସ୍ଥାନ ସମାଚାର / ବନ୍ଦନା