ବାରିପଦା, ୨୩ ଜୁଲାଇ (ହି.ସ.)- ବାରିପଦା ତଖତପୁର ସ୍ଥିତ ମହାରାଜା ଶ୍ରୀରାମଚନ୍ଦ୍ର ଭଞ୍ଜଦେଓ ବିଶ୍ୱବିଦ୍ୟାଳୟର କୁଳପତି ପଦବୀକୁ ନେଇ ସୃଷ୍ଟି ଅନିଶ୍ଚିତତାର ଅବସାନ ଘଟିଛି। ସମ୍ବଲପୁର ବିଶ୍ୱବିଦ୍ୟାଳୟର କୁଳପତି ପ୍ରଫେସର ବିଧୁ ଭୂଷଣ ମିଶ୍ରଙ୍କୁ କୁଳାଧିପତି ତଥା ରାଜ୍ୟପାଳ ହରିବାବୁ କମ୍ଭପତି ଏହି ମହାବିଦ୍ୟାଳୟର କୁଳପତି ଭାବେ ନିଯୁକ୍ତି ଦେଇଛନ୍ତି। ସେ ୬ମାସ ପାଇଁ ଅତିରିକ୍ତ ଦାୟିତ୍ୱ ତୁଲାଇବେ ବୋଲି ତାଙ୍କ ନିର୍ଦ୍ଦେଶନାମାରେ ଉଲ୍ଲେଖ ରହିଛି। ତେବେ ଜଣେ ସ୍ଥାୟୀ କୁଳପତି ନିଯୁକ୍ତି ନକରି ପୁଣି ଅସ୍ଥାୟୀ ନିଯୁକ୍ତିକୁ ଜିଲ୍ଲାରେ ନାପସନ୍ଦ କରୁଛନ୍ତି। ପୂର୍ବ କୁଳାଧିପତି ଏହିପରି ଭାବେ ୨୦୨୨ ଡିସେମ୍ବର ୭ତାରିଖରେ ଫକୀର ମୋହନ ବିଶ୍ୱବିଦ୍ୟାଳୟର କୁଳପତି ସନ୍ତୋଷ କୁମାର ତ୍ରିପାଠୀଙ୍କୁ ମହାରାଜା ଶ୍ରୀରାମଚନ୍ଦ୍ର ଭଞ୍ଜଦେଓ ବିଶ୍ୱବିଦ୍ୟାଳୟର ଭାରପ୍ରାପ୍ତ କୁଳପତି ଭାବେ ଏକ ବର୍ଷ ପାଇଁ ଅତିରିକ୍ତ ଦାୟିତ୍ୱ ପ୍ରଦାନ କରିଥିଲେ। ପରନ୍ତୁ ୨ବର୍ଷ ୮ମାସ ପରେ ମଧ୍ୟ ସ୍ଥାୟୀ କୁଳପତି ନିଯୁକ୍ତି ନହେବାରୁ ସେ ଦାୟିତ୍ୱ ତୁଲାଉଥିଲେ । ପରନ୍ତୁ ଫକୀରମୋହନ ବିଶ୍ୱବିଦ୍ୟାଳୟରେ ତାଙ୍କର କାର୍ଯ୍ୟକାଳ ଶେଷ ହେବା ପରେ ମହାରାଜା ଶ୍ରୀରାମଚନ୍ଦ୍ର ଭଞ୍ଜଦେଓ ବିଶ୍ୱବିଦ୍ୟାଳୟର ଭାରପ୍ରାପ୍ତ କୁଳପତି ଭାବେ ମଧ୍ୟ କାର?୍ୟ୍ୟକାଳ ମଙ୍ଗଳବାର ଶେଷ ହୋଇଥିଲା । ମାତ୍ର ଗତକାଲି ସୁଦ୍ଧା ନୂତନ କୁଳପତି ନିଯୁକ୍ତି ସମ୍ବନ୍ଧରେ କୁଳାଧିପତି ତଥା ରାଜ୍ୟପାଳଙ୍କ କାର୍ଯ୍ୟାଳୟରୁ କୌଣସି ନିର୍ଦ୍ଦେଶ ନାମା ଆସି ନଥିବାରୁ ଅନିଶ୍ଚିତତା ଲାଗିଥିଲା। ଶ୍ରୀ ତ୍ରିପାଠୀଙ୍କ କାର୍ଯ୍ୟକାଳ ଫକୀରମୋହନ ବିଶ୍ୱବିଦ୍ୟାଳୟ ପାଇଁ ବୃଦ୍ଧି ହୋଇଥିବା ବେଳେ ମହାରାଜା ଶ୍ରୀରାମଚନ୍ଦ୍ର ଭଞ୍ଜଦେଓ ବିଶ୍ୱବିଦ୍ୟାଳୟ କୁଳପତି ଭାବେ ପ୍ରଫେସର ବିଧୁ ଭୂଷଣ ମିଶ୍ରଙ୍କ ନିଯୁକ୍ତି ନେଇ ଆଜି ବିଜ୍ଞପ୍ତି ପ୍ରକାଶ ପାଇଛି। ପ୍ରଫେସର ଶ୍ରୀ ମିଶ୍ର ସେ ୦୯/୦୧/୨୦୨୩ ରେ ଉତ୍କଳ ବିଶ୍ୱବିଦ୍ୟାଳୟରୁ ଅବସର ଗ୍ରହଣ କରିବା ପରେ ସମ୍ବଲପୁର ବିଶ୍ୱବିଦ୍ୟାଳୟର କୁଳପତି ଭାବରେ ଦାୟିତ୍ୱ ତୁଲାଉଥିଲେ।
ହିନ୍ଦୁସ୍ଥାନ ସମାଚାର/ଦିଲ୍ଲୀପ/ଭାନୁ
ହିନ୍ଦୁସ୍ଥାନ ସମାଚାର / ଦିଲ୍ଲୀପ