ଆଜି ଶ୍ରୀମନ୍ଦିରରେ ଶ୍ରୀବିଗ୍ରହଙ୍କ ଚିତାଲାଗି,ଚାରିଘଣ୍ଟା ଦର୍ଶନ ବନ୍ଦ
ପୁରୀ, 24 ଜୁଲାଇ (ହି.ସ.) ଆଜି ଗୁରୁବାର ୨୪ ତାରିଖ ଶ୍ରାବଣ ମାସ କୃଷ୍ଣ ପକ୍ଷ ଅମାବାସ୍ୟା ତିଥିରେ ଶ୍ରୀମନ୍ଦିରରେ ଶ୍ରୀବିଗ୍ରହ ମାନଙ୍କର ଚିତାଲାଗି ନିତୀ ଅନୁଷ୍ଠିତ ହେବ | ପ୍ରଥମ ଭୋଗ ମଣ୍ଡପ ଶେଷ ହେବା ପରେ ୨.୩୦ ମି. ଠାରୁ ସନ୍ଧ୍ୟା ଘ୬.୩୦ ମିନିଟ ପର୍ଯ୍ୟନ୍ତ ସର୍ବସାଧାରଣ ଦର୍ଶନ ବନ୍ଦ ରହିବ ବୋଲି
ଆଜି ଶ୍ରୀମନ୍ଦିରରେ ଶ୍ରୀବିଗ୍ରହଙ୍କ ଚିତାଲାଗି,ଚାରିଘଣ୍ଟା ଦର୍ଶନ ବନ୍ଦ


ପୁରୀ, 24 ଜୁଲାଇ (ହି.ସ.) ଆଜି ଗୁରୁବାର ୨୪ ତାରିଖ ଶ୍ରାବଣ ମାସ କୃଷ୍ଣ ପକ୍ଷ ଅମାବାସ୍ୟା ତିଥିରେ ଶ୍ରୀମନ୍ଦିରରେ ଶ୍ରୀବିଗ୍ରହ ମାନଙ୍କର ଚିତାଲାଗି ନିତୀ ଅନୁଷ୍ଠିତ ହେବ | ପ୍ରଥମ ଭୋଗ ମଣ୍ଡପ ଶେଷ ହେବା ପରେ ୨.୩୦ ମି. ଠାରୁ ସନ୍ଧ୍ୟା ଘ୬.୩୦ ମିନିଟ ପର୍ଯ୍ୟନ୍ତ ସର୍ବସାଧାରଣ ଦର୍ଶନ ବନ୍ଦ ରହିବ ବୋଲି ଶ୍ରୀମନ୍ଦିର ପ୍ରଶାସନ ସୂଚନା ଦେଇଛି|ସ୍ନାନ ପୂର୍ଣ୍ଣମୀ ଦିନ ଶ୍ରୀବିଗ୍ରହଙ୍କ ମସ୍ତକରୁ ଚିତା ଉଲାଗି ହୋଇଥିଲା|

ଶ୍ରୀମନ୍ଦିର ରେ ସ୍ନାନଯାତ୍ରା ଓ ଅଣସର, ଏବଂ ନୀଳାଦ୍ରିବିଜେର ପରବର୍ତ୍ତୀ ଚିତାଲାଗି ନୀତି ମଧ୍ୟ ରଥଯାତ୍ରା ନିତୀ ସହିତ ଜଡ଼ିତ। ବାହୁଡ଼ାଯାତ୍ରାର ପୋଡ଼ପିଠା ଓ ନୀଳାଦ୍ରି ବିଜେର ରସଗୋଲା ପରି, ଚିତଉପିଠା ଏହି ନୀତିର ସ୍ବତନ୍ତ୍ର ଭୋଗ ହୋଇଥାଏ। ଜ୍ୟେଷ୍ଠପୂର୍ଣ୍ଣମୀର ସ୍ନାନଯାତ୍ରା | ଶ୍ରାବଣ ଅମାବାସ୍ୟାରେ ଚିତାଲାଗି ନିତୀ | ସ୍ନାନବେଦୀରେ ସ୍ନାନ ସମୟରେ ତିନି ରତ୍ନଚିତା ଉଲାଗି କରାଯାଇଥିଲା | ତିନିଠାକୁରଙ୍କ ମସ୍ତକରେ ସେହି ତିନି ରତ୍ନଚିତା ଦୀର୍ଘ ଦେଢ଼ ମ‌ାସ ପରେ, ଶ୍ରାବଣ ଅମାବାସ୍ୟା ଦିନ ତିନିଠାକୁରଙ୍କ ମସ୍ତକରେ ପୁଣି ଲାଗି କରାଯିବ। ସ୍ନାନବେଦୀରେ ସ୍ନାନନୀତି ପରେ ତିନିଠାକୁରଙ୍କର ହାତୀବେଶ ହୋଇଥିଲା। ହାତୀବେଶ ଉଲାଗି ପରେ, ସେଦିନ ରାତିରେ ଶ୍ରୀବିଗ୍ରହମାନେ ଅଣସର ଘରପିଣ୍ଡି ରେ ଅବସ୍ଥାନ କରିଥିଲେ। ତିନିବାଡ଼ର ଦଇତା ସେବକ ଠାକୁରମାନଙ୍କ ମୁଖମଣ୍ଡଳର ରାହୁରେଖା ଓ କପାଳର ରତ୍ନଚିତାକୁ ଉଲାଗି କରି ଭଣ୍ଡାରମେକାପଙ୍କ ଜରିଆରେ ତଢ଼ଉକରଣ ଓ ଦେଉଳକରଣଙ୍କୁ ଦେଇଥିଲେ। ଚାଙ୍ଗଡ଼ା ମେକାପଙ୍କଠାରୁ ଅଣାଯାଇଥିବା ଶ୍ରୀକପଡ଼ାରେ ସେହି ଚିତାକୁ ଭଲ ଭାବରେ ଗୁଡ଼ାଇ ମଦନମୋହନଙ୍କ ମୁଦରେ ମୁଦ କରାଯାଇଥିଲା। ତାହାପରେ ତାହାକୁ ନେଇ ଭଣ୍ଡାର ‌ଘରେ ରଖାଯାଇଥିଲା। ଶ୍ରାବଣ ଅମାବାସ୍ୟା ଦିନ ତାହାକୁ ବିିଧିମତେ ଆଣି ପୋଦାର (ବଣିଆ) ସେବକଙ୍କ ଦ୍ବାରା ମାର୍ଜନ କରାଯାଇ ତିନିଠାକୁରଙ୍କ ମସ୍ତକରେ ଲାଗି କରାଯିବ|

ତିନିଠାକୁରଙ୍କ ମସ୍ତକର ଏହି ଚିତା ଅତ୍ୟନ୍ତ ମୂଲ୍ୟବାନ। ଏହାକୁ, ‘ରତ୍ନଚିତା’ କୁହାଗଲେ ମଧ୍ୟ, ପ୍ରକୃତରେ ଏହା ରତ୍ନଖଚିତ ସୁବର୍ଣ୍ଣ ଚିତା। ‘ଶ୍ରୀମନ୍ଦିର ସ୍ବତ୍ବଲିପି’ରେ ଶ୍ରୀଜଗନ୍ନାଥ, ଶ୍ରୀବଳଭଦ୍ର ଓ ଦେବୀ ସୁଭଦ୍ରାଙ୍କର ଏହି ଚିତାକୁ ଯଥାକ୍ରମେ ‘ହୀରାଚିତା’, ‘ନୀଳାଚିତା’ ଓ ‘ମାଣିକ୍ୟଚିତା’ କୁହାଯାଏ। ଏହାର ନାମ ‘ଧଳା’, ‘ନୀଳ’ ଓ ‘ନାଲି’ ଚିତା ବୋଲି ଉଲ୍ଲେଖ ଅଛି। କିନ୍ତୁ ପ୍ରକୃତରେ ଶ୍ରୀଜଗନ୍ନାଥଙ୍କ ଚିତାକୁ ‘ଧଳା’ ଚିତା ଏବଂ ଶ୍ରୀବଳଭଦ୍ର ଓ ଦେବୀ ସୁଭଦ୍ରାଙ୍କ ଚିତାକୁ ‘ନୀଳ’ (ସବୁଜ) ଚିତା କୁହାଯାଏ। ଶ୍ରୀଜଗନ୍ନାଥଙ୍କ ଚିତାର ମଝିରେ ଗୋଟିଏ ବଡ଼ ‘ହୀରା’ ଖଞ୍ଜାଯାଇଥିବାରୁ ଏହା ଧଳା ଚିତା ଏବଂ ଶ୍ରୀବଳଭଦ୍ର ଓ ଦେବୀ ସୁଭଦ୍ରାଙ୍କ ଚିତାର ମଝିରେ ଗୋଟିଏ ଲେଖାଏଁ ବଡ଼ ‘ମର୍କତ’ ଖଞ୍ଜା ଯାଇଥିବାରୁ ଏହା ‘ନୀଳ’ (ସବୁଜ) ଚିତା।

ଶ୍ରୀଜଗନ୍ନାଥଙ୍କ ଚିତାର ମଝିରେ, ଅର୍ଥାତ୍‌ ନାୟକ ଭାବରେ ଗୋଟିଏ ବଡ଼ ହୀରା ରହିଛି। ତାହାକୁ ଘେରି ରହିଛି ସାତଟି ବେଢ଼ ଏବଂ ସେହି ସାତ ବେଢ଼ରେ ଛୋଟ ଛୋଟ ରତ୍ନପଥର ଖଞ୍ଜାଯାଇଛି। ସେଥିରେ ଅଛି ହୀରା, ମାଣିକ୍ୟ, ପାନ୍ନା ଓ ଓପାଲ। ସପ୍ତମ ବେଢ଼ର ଶୀର୍ଷରେ ପାନପତ୍ର ଆକୃତିର ଏକ ବଡ଼ ବ୍ରହ୍ମଜ୍ୟୋତି ହୀରା ରହିଛି। ଏହା ମଧ୍ୟ ସେହି ଚିତାର ଶୀର୍ଷ। ଶ୍ରୀବଳଭଦ୍ରଙ୍କ ଚିତାର ମଝିରେ, ଅର୍ଥାତ୍ ନାୟକ ଭାବରେ ରହିଛି ଏକ ବଡ଼ ମର୍କତ ମଣି। ତାହାକୁ ଘେରି ରହିଛି ପାଞ୍ଚଟି ବେଢ଼ ଏବଂ ସେହି ପାଞ୍ଚ ବେଢ଼ରେ ଛୋଟ ଛୋଟ ହୀରା, ମାଣିକ୍ୟ, ମର୍କତ, ପାନ୍ନା ଓ ନୀଳା ଖଞ୍ଜାଯାଇଛି। ଶ୍ରୀଜଗନ୍ନାଥ ଓ ଶ୍ରୀବଳଭଦ୍ରଙ୍କ ଚିତା ପରି, ଦେବୀ ସୁଭଦ୍ରାଙ୍କ ଚିତାର ମଝିରେ ନାୟକ ଭାବରେ ରହିଛି ଏକ ବଡ଼ ମର୍କତ ମଣି ଏବଂ ତାହାକୁ ଘେରି ରହିଛି ତିନିଟି ବେଢ଼। ସେହି ତିନି ବେଢ଼ରେ ହୀରା, ମାଣିକ୍ୟ ଓ ମର୍କତ ଆଦି ଖଞ୍ଜା ଯାଇଛି। ଏହି ଦୃଷ୍ଟିରୁ ତିନି ଠାକୁରଙ୍କ ମସ୍ତକର ତିନି ରତ୍ନଚିତା ଦୁର୍ମୂଲ୍ୟ। ସେଥିପାଇଁ, ଠାକୁରମାନେ ସ୍ନାନବେଦୀରୁ ଅଣସର ଘରକୁ ଯିବା ପରେ, ସେମାନଙ୍କ ମସ୍ତକରୁ ଏହି ତିନି ରତ୍ନଚିତାକୁ ଖୋଲି ନେଇ ଯତ୍ନର ସହ ସାଇତି ରଖାଯାଏ। ଅଣସର ଓ ନବ‌େଯୗବନ ଦର୍ଶନ ପରେ, ଠାକୁରମାନେ ପହଣ୍ଡି ହୋଇ ରଥକୁ ଆସିଲେ, ସେମାନଙ୍କର ମସ୍ତକରେ ସୋଲ ତିଆରି କାରୁକାର୍ଯ୍ୟପୂର୍ଣ୍ଣ ତିନିଟି ଚିତା ଲାଗି କରାଯାଏ। ନୀଳାଦ୍ରିବିଜେରେ ସେମାନେ ରତ୍ନବେଦୀକୁ ଫେରିବା ପରେ, ଶ୍ରାବଣ ଅମାବାସ୍ୟା ଦିନ ହିଁ ସେମାନଙ୍କୁ ପୁଣି ସେହି ରତ୍ନଖଚିତ ସୁବର୍ଣ୍ଣ ଚିତା ଲାଗି କରାଯାଇଥାଏ | ପୌରାଣିକ ଉପାଖ୍ୟାନ ଅନୁସାରେ, ଦେବତା ଓ ଅସୁରଙ୍କ ଦ୍ବାରା ଯେଉଁ କ୍ଷୀରସମୁଦ୍ର ମନ୍ଥନ ହୋଇଥିଲା, ସେଥିରୁ ଏହି ଶ୍ରାବଣ ଅମାବାସ୍ୟା ଦିନ ହିଁ ଐରାବତ ହସ୍ତୀ ଓ ଅନେକ ରତ୍ନ ବାହାରିଥିଲା। ଐରାବତ ହସ୍ତୀକୁ ଇନ୍ଦ୍ର ନେବାବେଳେ, ଭଗବାନ ବିଷ୍ଣୁ ରତ୍ନଗୁଡ଼ିକୁ ନେଇଥିଲେ। ସେଥିପାଇଁ ପୁରାଣ ମତରେ, ଶ୍ରାବଣ ଅମାବାସ୍ୟା ଦିନ ରତ୍ନଧାରଣ କରିବା ଶୁଭ। ଏ ଦୃଷ୍ଟିରୁ ଏହିଦିନ ହିଁ ଠାକୁରମାନଙ୍କୁ ଚିତାଲାଗି କରାଯାଇଥାଏ। ଏହି ଶୁଭ ଅବସରରେ ଯେଉଁ ବିଶେଷ ଭୋଗ କରାଯାଏ, ସେଥି ମଧ୍ୟରେ ଥାଏ ‘ଘିଉଡ଼ି’ ଓ ‘ଚିତଉ ପିଠା’। ଏହା ଶ୍ରୀମନ୍ଦିରର ଏକ ଏକ ପର୍ବାଣୀ ଭୋଗ। ଏଥିରେ ୧୧ ଓଳି ବଡ଼ ଚିତଉ ଓ ୩୦ ଓଳି ସାନ ଚିତଉ ଲାଗି ହୁଏ। ଶ୍ରୀମନ୍ଦିରର ଏହି ପରମ୍ପରା ଅନୁସାରେ, ଶ୍ରାବଣ ଅମାବାସ୍ୟା ଦିନ ଓଡ଼ିଶାର ଘରେ ଘରେ ଗୃହଦେବତାମାନଙ୍କୁ ମଧ୍ୟ ଚିତଉ ପିଠା ଭୋଗ କରାଯାଏ।

---------------

ହିନ୍ଦୁସ୍ଥାନ ସମାଚାର / ବିଜୟ


 rajesh pande