ପୁରୀ, ୩ ଜୁଲାଇ (ହି.ସ.)- ଶ୍ରୀକ୍ଷେତ୍ରରେ ବାହୁଡ଼ା ଯାତ୍ରା ପାଇଁ ପ୍ରସ୍ତୁତି ଆରମ୍ଭ ହୋଇଛି । ଶ୍ରୀଜୀଉଙ୍କ ନବ ଦିନାତ୍ମକ ଯାତ୍ରାର ଆଜି ସପ୍ତମ ଦିନରେ ଶ୍ରୀଜଗନ୍ନାଥଙ୍କ ନନ୍ଦିଘୋଷ ରଥ ଦକ୍ଷିଣ ମୋଡ ହୋଇ ଶ୍ରୀଗୁଣ୍ଡିଚା ମନ୍ଦିର ନାକଚଣା ଦ୍ୱାର ଠାରେ ଲାଗିଛି । ଗତକାଲି ଆଜ୍ଞାମାଳ ଆସିବା ପରେ ନାକଚଣା ଦ୍ୱାର ନିକଟରେ ପହଂଚିଥିଲା ଦେବୀ ସୁଭଦ୍ରାଙ୍କ ଦର୍ପଦଳନ ଓ ଶ୍ରୀ ବଳଭଦ୍ରଙ୍କ ତାଳଧ୍ୱଜ ରଥ ।
ଆଜି ସକାଳ ୯ଟାରେ ନନ୍ଦିଘୋଷ ରଥ ଦକ୍ଷିଣ ମୋଡ ହୋଇ ନାକଚଣା ଦ୍ୱାରରେ ଲାଗିଛି । ରଥ ଉପରେ ଘଂଟୁଆ ମାନେ ଘଂଟନାଦ କରିଥିବା ବେଳେ ପୋଲିସ ରଥ ଟାଣିଥିଲେ । ଭୋଇ ସେବାୟତ ଓ ମହାରଣାମାନେ ରଥ ମୋଡ ପାଇଁ ଚକ ତଳେ ମୋଡ କାଠ ଦେଇଥିଲେ । ଆସନ୍ତାକାଲି ନବମୀ ଦର୍ଶନ ଅନୁଷ୍ଠିତ ହେବ । ଶନିବାର ବାହୁଡ଼ା ଯାତ୍ରାରେ ତିନି ରଥ ସିଂହଦ୍ୱାର ଅଭିମୁଖେ ବାହୁଡିବେ । ରବିବାର ୬ ତାରିଖରେ ସୁନାବେଶ ଓ ସୋମବାର ୭ ତାରିଖରେ ରଥ ଉପରେ ଅଧରପଣା ନୀତି ଅନୁଷ୍ଠିତ ହେବ । ୮ ତାରିଖରେ ନିଳାଦ୍ରୀ ବିଜେ ହୋଇ ରତ୍ନସିଂହାସନକୁ ବିଜେ କରିବେ ଚତୁର୍ଦ୍ଧାମୂର୍ତି । ୯ ତାରିଖରେ ଭକ୍ତ ମାନେ ନୀଳାଚଳ ଅବଢ଼ା ପାଇପାରିବେ ।
ହିନ୍ଦୁସ୍ଥାନ ସମାଚାର / ପ୍ରଦୀପ୍ତ