ସମ୍ବଲପୁର, ୪ ଜୁଲାଇ (ହି.ସ.)- ଦେବଗଡ଼ ଜିଲ୍ଲାରେ ଏବେ ମୋଟ ୨୩ ପ୍ରତିଶତ ଜଙ୍ଗଲ ଅଛି । ଏହାକୁ ଅନ୍ତତଃ ୩୫ ପ୍ରତିଶତକୁ ବୃଦ୍ଧି କରାଇବା ପାଇଁ ଆମ ସମସ୍ତଙ୍କୁ ଦାୟିତ୍ୱ ନେବାକୁ ହେବ ବୋଲି ଶୁକ୍ରବାର ଦେବଗଡ଼ ଜିଲ୍ଲା ତିଳେଇବଣି ସୁଗୁଡା ଅଞ୍ଚଳରେ “ଏକ୍ ପେଡ୍ ମା’ କେ ନାମ ୨.୦” ଅଭିଯାନ ଅଧୀନରେ ବୃକ୍ଷରୋପଣ କରି କହିଛନ୍ତି କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ରାଜ୍ୟ ସରକାରଙ୍କ ଜଙ୍ଗଲ ଓ ପରିବେଶ ବିଭାଗ ଏବଂ ଜିଲ୍ଲା ପ୍ରଶାସନ ପକ୍ଷରୁ ଆୟୋଜିତ “୭୬ତମ ବନ ମହୋତ୍ସବ ସପ୍ତାହ - ୨୦୨୫”ରେ ଯୋଗଦେଇ କେନ୍ଦ୍ରମନ୍ତ୍ରୀ କହିଛନ୍ତି, ବୃକ୍ଷ ଏବଂ ଜଙ୍ଗଲ ଆମର ଜୀବନ । ଶ୍ରୀଜଗନ୍ନାଥ ସଂସ୍କୃତିରେ ମହାପ୍ରଭୁ ଜଗନ୍ନାଥ, ଜଙ୍ଗଲ ଏବଂ ଓଡ଼ିଶାର ଅନନ୍ୟ ସମ୍ପର୍କ ରହିଛି । ବର୍ତ୍ତମାନ ସମୟରେ ଜଳବାୟୁ ପରିବର୍ତ୍ତନ ଏବଂ ପରିବେଶ ପ୍ରଦୂଷଣ ମାନବ ସମାଜ ପାଇଁ ଏକ ମୁଖ୍ୟ ସମସ୍ୟା ଭାବେ ଉଭା ହୋଇଛି । ଏହାକୁ ସନ୍ତୁଳିତ କରି ରଖିବା ପାଇଁ ହେଲେ ଆମେ ସମସ୍ତେ ଗଛ ଲଗାଇବା ସହ ତା’ର ଯତ୍ନ ନେବା ଦରକାର । ଦେବଗଡ଼କୁ ସବୁଜ ସହରରେ ପରିଣତ କରିବା ଦରକାର । ଆମେ ସମସ୍ତେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଆହ୍ୱାନରେ “ଏକ୍ ପେଡ୍ ମା’ କେ ନାମ ୨.୦” ଅଭିଯାନରେ ସାମିଲ ହୋଇ ସମସ୍ତେ ଗଛ ଲଗାଇବା । ଘର ଠାରୁ ଆରମ୍ଭ କରି ସ୍କୁଲ, କଲେଜ, ରାସ୍ତା, ସରକାରୀ ଓ ବେସରକାରୀ ଅନୁଷ୍ଠାନରେ ଗଛ ଲଗାଇ ପର୍ଯ୍ୟାବରଣକୁ ସୁରକ୍ଷିତ ରଖିବା । ଏଥିପାଇଁ ଆବାଳବୃଦ୍ଧବନିତାଙ୍କୁ ଆଗେଇ ଆସିବା ସହ ଗଛ ଲଗାଇବାର ପାଗଳପଣ କରିବାକୁ ଶ୍ରୀ ପ୍ରଧାନ ପରାମର୍ଶ ଦେଇଥିଲେ । ଦେବଗଡ଼ ବନଖଣ୍ଡରେ ୯ ଲକ୍ଷ ୫୦ ହଜାର ଗଛ ଲଗାଇବା ଲକ୍ଷ୍ୟ ରଖାଯାଇଥିବା ବେଳେ ସବୁ ବର୍ଗର ଲୋକଙ୍କୁ ସାମିଲ କରି ଏହାକୁ ଜନଆନ୍ଦୋଳନର ରୂପ ଦେବା ପାଇଁ ଜିଲ୍ଲା ପ୍ରଶାସନକୁ ସେ ନିର୍ଦ୍ଦେଶ ଦେଇଛନ୍ତି । ଏହି ବୃକ୍ଷରୋପଣ ଅଭିଯାନରେ କେନ୍ଦ୍ରମନ୍ତ୍ରୀଙ୍କ ସହ ସ୍କୁଲ ଛାତ୍ରଛାତ୍ରୀ, ଯୁବ ସଂଗଠନ, ସାମାଜିକ ସଂଗଠନ, ସ୍ୱେଚ୍ଛାସେବୀ, ପରିବେଶବିତ ଓ ପ୍ରକୃତିପ୍ରେମୀମାନେ ସାମିଲ ହୋଇ ଗଛ ଲଗାଇଥିଲେ ।
ଉଲ୍ଲେଖନୀୟ ଯେ, ଦେବଗଡ଼ରେ ବୃକ୍ଷରୋପଣ ଅଭିଯାନକୁ ବ୍ୟାପକ କରିବା ତଥା ସମାଜିକ ସଚେତନତା ସୃଷ୍ଟି କରିବା ପାଇଁ ଦେବଗଡ଼ ବନଖଣ୍ଡ ପଦକ୍ଷେପ ଅନ୍ତର୍ଗତ ଶ୍ରୀ ପ୍ରଧାନ ଏକ ଭ୍ରାମ୍ୟମାଣ ସବୁଜ ରଥର ଶୁଭାରମ୍ଭ କରିଥିଲେ । ଏହି ଅବସରରେ ଉଲ୍ଲେଖନୀୟ କାର୍ଯ୍ୟ ପାଇଁ ଏସଏଚଜି ଭଉଣୀ ଏବଂ ଗଜ ସାଥୀମାନଙ୍କୁ ସମ୍ମାନିତ କରିଥିଲେ ।
ହିନ୍ଦୁସ୍ଥାନ ସମାଚାର / ଶୈଳେଶ