ଚମ୍ପୁଆ, ୩ ଜୁଲାଇ (ହି.ସ.)- ଚମ୍ପୁଆ ବନାଂଚଳରେ ହାତୀପଲଙ୍କ ଉପଦ୍ରବ ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି। ଗତ ଏକ ମାସରୁ ଉର୍ଦ୍ଧ୍ୱ ସମୟ ଧରି ଉଖୁଣ୍ଡା ସେକ୍ସନରେ ଆତଙ୍କ ସୃଷ୍ଟି କରିଥିବା ୨୬ ଟିକିଆ ହାତୀପଲ ଏବେ ଚମ୍ପୁଆ ସେକ୍ସନକୁ ମୁହାଁଇଛନ୍ତି । ଲଗାଣ ବର୍ଷା ସାଙ୍ଗକୁ ହାତୀ ଉପଦ୍ରବ ସ୍ଥାନୀୟ ଅଂଚଳ ବାସୀଙ୍କ ପାଇଁ ବେଡି ଉପରେ କୋରଡ଼ା ମାଡ ସଦୃଶ ହୋଇଛି। ଗତ ରାତିରେ ଛବିଶ ଟିକିଆ ହାତୀପଲ ଚମ୍ପୁଆ ରେଞ୍ଜ ଅନ୍ତର୍ଗତ କାଟୁଳିକନା ଜଙ୍ଗଲରୁ ଆସି ସରେଇ ପଂଚାୟତରେ ବ୍ୟାପକ କ୍ଷୟ କ୍ଷତି କରିଥିବା ସୂଚନା ମିଳିଛି । ହାତୀପଲ ଟୁଣଟୁଣା ଗ୍ରାମର କୁଳମଣି କାଳନ୍ଦି, ସଦେଇ ନାଏକ, ଟୁକୁନା ନାଏକ, ଜଗନ୍ନାଥ ନାଏକ, ରମେଶ ନାଏକ ଓ ବରାବଳିଆ ସାହିର ଟୁକୁନା ମୁଣ୍ଡା, ରଘୁ ମୁଣ୍ଡା ଏହିପରି ଦଶରୁ ଉର୍ଦ୍ଧ୍ୱ ଘର ଭାଙ୍ଗିବା ସହ ଘରେ ଥିବା ଧାନ ଚାଉଳ ଖାଇଯାଇଛନ୍ତି। ଅନ୍ୟପଟେ ଏକ ଗୋଠଛଡ଼ା ଦନ୍ତାହାତୀ ମଧ୍ୟ ସ୍ଥାନୀୟ ଅଂଚଳରେ ଘର ଭାଙ୍ଗିବା ସହ ବ୍ୟାପକ କ୍ଷୟକ୍ଷତି ଜାରୀ ରଖିଛି । ଘର ଭାଙ୍ଗିବା ଯୋଗୁଁ ଲୋକେ ନିଜ ଧନଜୀବନକୁ ନେଇ ଆତଙ୍କିତ ହୋଇପଡିଛନ୍ତି । ଗତ କିଛିମାସ ହେବ ହାତୀପଲ ଚମ୍ପୁଆ ବନାଂଚଳରେ ବ୍ୟାପକ କ୍ଷୟକ୍ଷତି କରୁଥିଲେ ମଧ୍ୟ ହାତୀଙ୍କୁ ଘଉଡାଇବା ପାଇଁ ବନ ବିଭାଗ ର ପଦକ୍ଷେପ ଫଳବ୍ରତୀ ହୋଇପାରୁନାହିଁ । ହାତୀ ପଲ ଅଂଚଳ ଛାଡ଼ି ଯିବାକୁ ନାଁ ଧରୁ ନାହାନ୍ତି। ଆଜି ହାତୀପଲ କାଳିକାପ୍ରସାଦ ସଂରକ୍ଷିତ ଜଂଗଲର ପତଳା ନିକଟରେ ଡେରା ଜମାଇଥିବା ବେଳେ ଦୁଇଟି ହାତୀ ଶଙ୍କରପୁର ଜଙ୍ଗଲରେ ରହିଥିବା ଜଣାପଡିଛି । ବନ ବିଭାଗର ଅଧିକାରୀ ହାତୀ ସ୍କ୍ୱାର୍ଡ, ଗଜ ସାଥୀ ହାତୀ ମାନଙ୍କ ଉପରେ ନଜର ରଖିଛନ୍ତି।
ହିନ୍ଦୁସ୍ଥାନ ସମାଚାର/ତ୍ରିନାଥ/ଭାନୁ
ହିନ୍ଦୁସ୍ଥାନ ସମାଚାର / Trinath Mahanta