କନ୍ଧମାଳ, ୪ ଜୁଲାଇ (ହି.ସ.)- ୭୬ତମ ବନ ମହୋତ୍ସବ ସପ୍ତାହ ପାଳନ ଅବସରରେ ସରକାରୀ ସ୍ଵୟଂଶାସିତ ମହାବିଦ୍ୟାଳୟ, ଫୁଲବାଣୀର ଯୁବ ରେଡକ୍ରସ୍ ଶାଖା ଆନୁକୁଲ୍ୟରେ ବୃକ୍ଷରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ମହାବିଦ୍ୟାଳୟର ଅଧ୍ୟକ୍ଷ ଡ. ସୁବାସ ଚନ୍ଦ୍ର ପ୍ରଧାନ ମହାବିଦ୍ୟାଳୟ ପ୍ରାଙ୍ଗଣରେ ବୃକ୍ଷରୋପଣ କରିଥିଲେ ଏବଂ ସମସ୍ତଙ୍କୁ ବୃକ୍ଷରୋପଣ କରିବା ସହ ଜଙ୍ଗଲ ସୁରକ୍ଷା ଉପରେ ଗୁରୁତ୍ୱାରୋପ କରିଥିଲେ। ଏହି କାର୍ଯ୍ୟକ୍ରମରେ ମହାବିଦ୍ୟାଳୟର ବରିଷ୍ଠ ପ୍ରଫେସର ମୂରଲୀଧର ସେଠୀ ଏବଂ ସୁକାନ୍ତ କୁମାର ବେହେରା ମହାବିଦ୍ୟାଳୟର ସୌନ୍ଦର୍ଯ୍ୟ ଏବଂ ସବୁଜିମା ବୃଦ୍ଧି କରିବା ନିମନ୍ତେ ବୃକ୍ଷରୋପଣ କାର୍ଯ୍ୟକୁ ଗୁରୁତ୍ୱ ଦେବା ସହ ଚାରା ଯୋଗାଇଥିଲେ। ଏହି କାର୍ଯ୍ୟକ୍ରମରେ ମହାବିଦ୍ୟାଳୟର ପାଠାଗାର ତରଫରୁ ମଧ୍ୟ କିଛି ଚାରା ଯୋଗାଇ ଦିଆଯାଇଥିଲା।ମହାବିଦ୍ୟାଳୟର ସମସ୍ତ ବିଭାଗ ଓ ବିଭାଗୀୟ ମୁଖ୍ୟ ଏବଂ ପ୍ରଫେସର୍ ବୃନ୍ଦ ଗୋଟିଏ ଗୋଟିଏ ଚାରା ଏହି କାର୍ଯ୍ୟକ୍ରମରେ ରୋପଣ କରିଥିଲେ। ଯୁବ ରେଡକ୍ରସ୍ ଓ ଜାତୀୟ ସେବା ଯୋଜନାର ସ୍ୱେଚ୍ଛାସେବୀ, ଜାତୀୟ ସମର ଶିକ୍ଷାର୍ଥୀ ବାହିନୀର କ୍ୟାଡେଟ୍ସ୍ ସମେତ ଛାତ୍ରଛାତ୍ରୀମାନେ ବୃକ୍ଷରୋପଣ କାର୍ଯ୍ୟକ୍ରମରେ ଯୋଗଦେଇ ବିଭିନ୍ନ ପ୍ରକାର ଚାରା ମହାବିଦ୍ୟାଳୟ ପରିସରରେ ରୋପଣ କରିଥିଲେ ଏବଂ ବୃକ୍ଷ ଗୁଡ଼ିକ ସୁରକ୍ଷା ନିମନ୍ତେ ଶପଥ ନେଇଥିଲେ। ଏହା ମାଧ୍ୟମରେ ଛାତ୍ରଛାତ୍ରୀମାନଙ୍କୁ ବନ ସଂରକ୍ଷଣ ଓ ପରିବେଶ ସୁରକ୍ଷା ପ୍ରତି ଆଗ୍ରହ ବୃଦ୍ଧି ପାଇଁ ପ୍ରେରିତ କରାଯାଇଥିଲା।
ଏହି ବୃକ୍ଷରୋପଣ କାର୍ଯ୍ୟକ୍ରମକୁ ଯୁବ ରେଡକ୍ରସ୍ ଜିଲ୍ଲା କନଭେନର-କମ୍-ସେକ୍ରେଟାରି ଡ. ଅଭିପ୍ସା ବଳ ସୂଚାରୁ ରୂପେ ପରିଚାଳନା କରିଥିଲେ। ସମସ୍ତ ପ୍ରଫେସର ଓ କର୍ମଚାରୀମାନେ ଏହି କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ।
ହିନ୍ଦୁସ୍ଥାନ ସମାଚାର / ପ୍ରଶାନ୍ତ