ସମ୍ବଲପୁର, ୦୩ ଜୁଲାଇ (ହି.ସ.) ସମ୍ବଲପୁର ଜିଲ୍ଲାରେ ଟିବି ବା ଯକ୍ଷ୍ମାରୋଗ ଏବେ ବଡ଼ ସମସ୍ୟା ଭାବେ ଠିଆ ହେଲାଣି l ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗର ବ୍ୟାପକ ସଚେତନତା ସତ୍ୱେ ସମ୍ବଲପୁର ଜିଲ୍ଲାର ସହରରୁ ଗ୍ରାମାଞ୍ଚଳ ଯାଏଁ ଯେଉଁ ସଂଖ୍ୟାରେ ରୋଗୀ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି ତାହା ଜାଣିବା ପରେ ସାଧାରଣ ବର୍ଗର ଲୋକେ ଆତଙ୍କିତ ହୋଇ ପଡିଲେଣି । ସରକାରୀ ସ୍ତରରୁ ମିଳିଥିବା ସୂଚନା ମୁତାବକ ଗ୍ରାମାଞ୍ଚଳରେ ତ ଏହି ରୋଗ ଊଣା ଅଧିକେ ଅଛି, ତେବେ ସମ୍ବଲପୁର ସହରରେ ଗ୍ରାମାଞ୍ଚଳ ଅପେକ୍ଷା ଅଧିକ ରୋଗୀ ଥିବା ଏକ ସଦ୍ଯତମ ତଥ୍ୟରୁ ଜଣାପଡିଛି l ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ମିଳିଥିବା ସୂଚନା ଅନୁସାରେ ଗତ ଜାନୁଆରୀରୁ ଜୁନ୍ ମାସ ପର୍ଯ୍ୟନ୍ତ ସମ୍ବଲପୁର ଜିଲ୍ଲାରେ ୧୨୪୩ ଯକ୍ଷ୍ମା ରୋଗୀ ଚିହ୍ନଟ ହୋଇଥିବା ବେଳେ ଏଥିରୁ ୮୧୬ ଜଣ ସମ୍ବଲପୁର ଜିଲ୍ଲାର ଅଟନ୍ତି l ବାକି ଚିହ୍ନଟ ରୋଗୀ ବିଭିନ୍ନ ଜିଲ୍ଲାରୁ ବୁର୍ଲା ଭୀମସାର୍ ମେଡିକାଲକୁ ଚିକିତ୍ସା ପାଇଁ ଆସି ଚିହ୍ନଟ ହୋଇଥିଲେ l
ତେବେ କେଵଳ ଚଳିତ ବର୍ଷ ନୁହେଁ ବିଗତ ୫ ରୁ ୬ ବର୍ଷ ହେଲା ସମ୍ବଲପୁର ଜିଲ୍ଲାର ଗ୍ରାମାଞ୍ଚଳ ଅପେକ୍ଷା ସହରାଞ୍ଚଳରେ ଅଧିକ ରୋଗୀ ଚିହ୍ନଟ ହେଉଥିବା ଡାଟା କହୁଛି l ୨୦୧୯ ମସିହାରେ ସମ୍ବଲପୁର ଜିଲ୍ଲାରେ ୧୭୪୯ ଜଣ ରୋଗୀ ଚିହ୍ନଟ ହୋଇଥିଲେ l ଏଥିରୁ ସମ୍ବଲପୁର ସହରରେ ୯୫୬ ଜଣ ଯକ୍ଷ୍ମାରୋଗୀ ହୋଇଥିବା ବେଳେ ରେଙ୍ଗାଲି ବ୍ଲକ ଅଞ୍ଚଳର ସର୍ବାଧିକ ୧୪୫ ଜଣ ରୋଗୀ ଚିହ୍ନଟ ହୋଇଥିଲେ l ୨୦୨୦ ମସିହାରେ ୧୪୨୧ ଜଣ ରୋଗୀ ଚିହ୍ନଟ ହୋଇଥିଲେ ଏଥିରୁ ୭୫୮ ଜଣ ସମ୍ବଲପୁର ସହରର ହୋଇଥିବା ବେଳେ ରେଙ୍ଗାଲି ର ଥିଲେ ୧୩୧ ଜଣ l ଠିକ ସେହିପରି ୨୦୨୧ ମସିହାରେ ଜିଲ୍ଲାରେ ରୋଗୀ ସଂଖ୍ୟା ୧୭୭୫ ହୋଇଥିବା ବେଳେ ଏଥିରୁ ସମ୍ବଲପୁର ସହର ର ୯୪୮ ଜଣ ରୋଗୀ ଥିଲେ ଓ ରେଙ୍ଗାଲି ର ରୋଗୀ ଥିଲେ ୧୫୯ ଜଣ l ୨୦୨୨ ମସିହାରେ ସମ୍ବଲପୁର ଜିଲ୍ଲା ରେ ମୋଟ ରୋଗୀ ଙ୍କ ସଂଖ୍ୟା ୧୭୭୫ ଜଣ ଥିବା ବେଳେ ଏଥିରୁ ସମ୍ବଲପୁର ସହର ର ରୋଗୀ ଥିଲେ ୯୪୮ ଜଣ ଓ ରେଙ୍ଗାଲି ର ରୋଗୀ ସଂଖ୍ୟା ଥିଲା ୧୫୯ ଜଣ l ୨୦୨୩ ରେ ମସିହାରେ ଜିଲ୍ଲା ର ମୋଟ ରୋଗୀ ସଂଖ୍ୟା ୨୨୩୧ ଜଣ ଥିବା ବେଳେ ଏଥିରୁ ସମ୍ବଲପୁର ସହର ର ରୋଗୀ ସଂଖ୍ୟା ୧୩୦୨ ଜଣ ଓ ରେଙ୍ଗାଲି ର ରୋଗୀ ସଂଖ୍ୟା ୨୦୩ ଜଣ ଥିଲେ l ୨୦୨୪ ମସିହାରେ ସମ୍ବଲପୁର ଜିଲ୍ଲା ରେ ମୋଟ ରୋଗୀ ସଂଖ୍ୟା ୧୯୬୧ ଜଣ ଥିବା ବେଳେ ଏଥିରୁ ସମ୍ବଲପୁର ସହର ର ରୋଗୀ ସଂଖ୍ୟା ଥିଲା ୯୭୫ ଜଣ ଓ ରେଙ୍ଗାଲି ର ରୋଗୀ ସଂଖ୍ୟା ଥିଲା ୨୧୮ ଜଣ l ଆଉ ଚଳିତ ବର୍ଷ ଜାନୁଆରୀ ରୁ ଜୁନ ୧୦ ତାରିଖ ପର୍ଯ୍ୟନ୍ତ ସମ୍ବଲପୁର ଜିଲ୍ଲା ରେ ମୋଟ ରୋଗୀ ସଂଖ୍ୟା ୯୬୪ ଜଣ ଥିବା ବେଳେ ଏଥିରୁ ସମ୍ବଲପୁର ଜିଲ୍ଲା ର ରୋଗୀ ସଂଖ୍ୟା ୫୨୩ ଜଣ ଓ ରେଙ୍ଗାଲି ର ରୋଗୀ ସଂଖ୍ୟା ୭୮ ଜଣ ଅଛନ୍ତି l ଏହି ତଥ୍ୟ ଉପରେ ନଜର ପକେଇଲେ ଏହା ଜଣା ପଡୁଛି ଯେ ଜିଲ୍ଲା ରେ ସମ୍ବଲପୁର ସହର ରେ ସର୍ବାଧିକ ରୋଗୀ ଚିହ୍ନଟ ହୋଇଥିବା ବେଳେ ରେଙ୍ଗାଲି ବ୍ଲକ ଅଞ୍ଚଳ ଦ୍ଵିତୀୟ ସ୍ଥାନରେ ରହିଛି l ତେବେ କଣ ପାଇଁ ସଚେତନତା ସତ୍ୱେ ସହର ରେ ଅଧିକ ଲୋକ ଟିବି ରୋଗରେ ଆକ୍ରାନ୍ତ ହେଉଛନ୍ତି l ଏନେଇ ବୁର୍ଲା ଭୀମସାର ମେଡିକାଲ ର ସହକାରୀ ପ୍ରଫେସର ସଞ୍ଜୀବ ମିଶ୍ର କୁହନ୍ତି ମୁଖ୍ୟତଃ ଆର୍ଥିକ ଅନଗ୍ରସର ଲୋକଙ୍କ ଠାରେ ଏହି ରୋଗ ଅଧିକ ଦେଖା ଦେଇଥାଏ l କାରଣ ସେମାନଙ୍କ ଠାରେ ପୌଷ୍ଟିକ ଖାଦ୍ୟ ର ଅଭାବ ଥାଏ l ଫଳରେ ସେମାନଙ୍କ ରୋଗ ପ୍ରତିରୋଧକ ଶକ୍ତି କମ ଥାଏ l ଏହା ସହ ସେମାନେ ଛୋଟ ଛୋଟ ଚାଳ ଘରେ ରହୁଥିବା ବେଳେ ଗୋଟିଏ କୋଠରୀ ରେ ୪ ରୁ ଅଧିକ ଲୋକ ରୁହନ୍ତି l ଫଳରେ ଘରେ ବାୟୁ ପ୍ରଦୂଷଣ ଅଧିକ ହୋଇଥାଏ ଓ ରୋଗ ଅଧିକ ସଂକ୍ରମିତ ହୋଇଥାଏ l ତେଣୁ ସହର ର ବସ୍ତି ଅଞ୍ଚଳରେ ଏହି ରୋଗ ଅଧିକ ଦେଖା ଯାଉଛି l ଅନ୍ୟପଟେ ଯେଉଁ ଅଞ୍ଚଳରେ ବାୟୁ ପ୍ରଦୂଷଣ ଅଧିକ ଥାଏ ସେହି ଅଞ୍ଚଳ ମାନଙ୍କ ରେ ମଧ୍ୟ ଏହି ରୋଗ ଅଧିକ ହୋଇଥାଏ l ତେଣୁ ସମ୍ବଲପୁର ଜିଲ୍ଲା ର ରେଙ୍ଗାଲି ଅଞ୍ଚଳ ଯାହା ଶିଳ୍ପ ବହୁଳ ଅଟେ ସେହି ଅଞ୍ଚଳରେ ଜିଲ୍ଲା ର ଦ୍ଵିତୀୟ ସର୍ବାଧିକ ରୋଗୀ ଚିହ୍ନଟ ହେଉଛନ୍ତି l ଯକ୍ଷ୍ମା ରୋଗର ଲକ୍ଷଣ ସମ୍ପର୍କରେ ଭୀମସାରର ସହକାରୀ ପ୍ରଫେସର ସଞ୍ଜୀବ ମିଶ୍ର କୁହନ୍ତି ଯେ' ଏହି ରୋଗ ହେଲେ ରୋଗୀକୁ କ୍ରମାଗତ କାଶ ହୋଇଥାଏ l ସନ୍ଧ୍ୟା ସମୟରେ ବେଳେ ବେଳେ ରୋଗୀକୁ ଜ୍ୱର ବି ହୋଇଥାଏ l ରୋଗୀର ଓଜନ ୬ ମାସ ରେ ୧୦% କମିଯାଇଥାଏ l ରୋଗୀ କୁ ଖାଦ୍ୟ ରୁଚିକର ଲାଗିନଥାଏ l ମୁଖ୍ୟତଃ ଏହି ରୋଗ ହେଲେ କାଶ ହୋଇଥାଏ l ପାରମ୍ପରିକ ଔଷଧ ରେ ଏହି କାଶ ଛାଡିବନି l ଆଉ ୧୪ ଦିନ ରୁ ଅଧିକ କାଶ ହେଲେ ଏହା ଟିବି ର ସମ୍ଭାବନା କୁହାଯାଏ l ଏହି ରୋଗ କୁ ପାଲମୋନାରୀ ଟିବି ର ଲକ୍ଷଣ l ଅନ୍ୟପଟେ ଏକ୍ସଟ୍ରା ପାଲମୋନାରୀ ଟିଭି ହେଲେ ବହୁ ଦିନ ଧରି ଜ୍ୱର ହୋଇଥାଏ l କୌଣସି ଔଷଧ ରେ ଜ୍ୱର ଛାଡିନଥାଏ । ରୋଗର କାରଣ ନେଇ ଡ. ମିଶ୍ର କୁହନ୍ତି ଯେ ଏହି ରୋଗ ମାଇକ୍ରୋବ୍ୟାକଟେରୀୟମ ଟ୍ୟୁଵରକଲୋଲୋସିସ ନାମକ ବ୍ୟାକଟେରିଆ ଯୋଗୁଁ ହୋଇଥାଏ l ପାରମ୍ପରିକ ତଥ୍ୟ ଅନୁସାରେ ଆମ ଦେଶର ୩୦ ରୁ ୩୫% ଲୋକଙ୍କ ଦେହରେ ଏହି ବ୍ୟକଟେରିଆ ର ସଂକ୍ରମଣ ରହିଥାଏ l ତେବେ କୌଣସି ଲୋକ ର ପ୍ରତିରୋଧକ ଶକ୍ତି ହ୍ରାସ ପାଇଲେ ଏହି ରୋଗ ର ଲକ୍ଷଣ ବାହାରି ଥାଏ l ଏହି ରୋଗ ସମ୍ବଲପୁର ସହର ର ବସତି ଅଞ୍ଚଳ ଓ ରେଙ୍ଗାଲି ପରି ଶିଳ୍ପ ଅଞ୍ଚଳରେ ଅଧିକ ପରିମାଣ ରେ ଦେଖିବାକୁ ମିଳୁଛି l ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଏହି ରୋଗ ନିୟନ୍ତ୍ରଣ ପାଇଁ ନେଇଥିବା ପଦକ୍ଷେପ ଅନୁଯାୟୀ ରୋଗୀଙ୍କୁ ଚିକିତ୍ସା ପାଇଁ ଏନଟିଇପି ପ୍ରୋଗ୍ରାମ ଜରିଆରେ ଅନେକ ପଦକ୍ଷେପ ଗ୍ରହଣ କରାଯାଇଛି l ଏନେଇ ସମ୍ବଲପୁର ଜିଲ୍ଲା ମୂଖ୍ୟ ଚିକିତ୍ସାଳୟର ଜିଲ୍ଲା ପ୍ରୋଗ୍ରାମ ସଂଯୋଜକ ଏନଟିଇପି କଲ୍ୟାଣୀ ବାରିକ କୁହନ୍ତି ଯେ ଡ଼ିସେମ୍ବର ୨୫ରୁ ଟିବି ମୁକ୍ତ ଭାରତ ଅଭିଯାନ ଜାରି ରହିଛି l ଏହି ଅଭିଯାନ ଜରିଆରେ ଅନେକ ପଦକ୍ଷେପ ନିଆଯାଇଛି l ଆମର ଟିମ ପ୍ରଭାବିତ ଅଞ୍ଚଳ ପରିଦର୍ଶନ କରି ଲକ୍ଷଣ ଥିବା ରୋଗୀ ଙ୍କ କଫ ପରୀକ୍ଷା କରିବା ସହ ରୋଗୀ ଙ୍କ ଏକ୍ସ ରେ ମଧ୍ୟ କରୁଛନ୍ତି ଓ ରୋଗୀ ଙ୍କୁ ମାଗଣା ଔଷଧ ଦିଆ ଯାଉଛି l ରୋଗୀ ଚିହ୍ନଟ ହେବା ପରେ ପରିବାର ର ସବୁ ସଦସ୍ୟ ଙ୍କ ସହ ପଡୋଶୀ ଙ୍କ ଟିବି ପରୀକ୍ଷା କରାଯାଉଛି l ଏହା ସହ ଜଣେ ଟିବି ରୋଗୀ ଙ୍କୁ ପୁଷ୍ଟିକର ଖାଦ୍ୟ ର ଆବଶ୍ୟକ ଥିବାରୁ ରୋଗୀ ତଥା ତାଙ୍କ ପରିବାର ବର୍ଗ କୁ ପୌଷ୍ଟିକ ଆହାର ଯୋଗେଇବା ପାଇଁ ପ୍ରତ୍ୟେକ ମାସ ଫୁଡ ବାସ୍କେଟ ପ୍ରଦାନ କରାଯାଉଛି l ଏଥିରେ ଡାଲି, ମାଣ୍ଡିଆ, ଅଟା, ସୋୟାବିନ ବଡି, ମିଳକ ପାଉଡର ଆଦି ପ୍ରଦାନ କରାଯାଉଛି l ସ୍ଥାନୀୟ ଶିଳ୍ପ ଅନୁଷ୍ଠାନ ମାନଙ୍କ ସହାୟତା ରେ ଏହା ପ୍ରଦାନ କରାଯାଉଛି l ରୋଗୀ ଙ୍କୁ ପ୍ରତ୍ୟେକ ମାସ ଔଷଧ ସହ ୬ ହଜାର ଟଙ୍କା ପ୍ରଦାନ କରାଯାଉଛି ଓ ରୋଗୀ ଙ୍କୁ ଔଷଧ ଖୁଆଇବା ପାଇଁ ସ୍ଥାନୀୟ ଆଶା ଦିଦି ଙ୍କୁ ୧ ହଜାର ଟଙ୍କା ଦିଆ ଯାଉଛି l ଗୋଟିଏ ରୋଗୀଙ୍କୁ ଚିହ୍ନଟ କଲେ ଆଶା ଦିଦିଙ୍କୁ ୫ଶହ ଟଙ୍କା ପ୍ରଦାନ କରାଯାଉଛି l ଏହା ସହ ବିଭିନ୍ନ କାର୍ଯ୍ୟକ୍ରମ ମାଧ୍ୟମରେ ଲୋକଙ୍କୁ ସଚେତନତା କରାଯାଉଛି। ତଥାପି ଏବେ ଠାରୁ ଯକ୍ଷ୍ମାରୋଗୀଙ୍କ ପ୍ରତି ଅବହେଳା କରାଗଲେ ନେଡ଼ିଗୁଡ଼ କହୁଣୀକୁ ବହିଯିବା ସଦୃଶ୍ୟ ହୋଇପଡିବ ବୋଲି ସାଧାରଣରେ ଆଶଙ୍କା ପ୍ରକାଶ ପାଇଛି ।
---------------
ହିନ୍ଦୁସ୍ଥାନ ସମାଚାର / ଶୈଳେଶ