ବୌଦ୍ଧ, ୩ ଜୁଲାଇ (ହି.ସ.)- ବାପାଙ୍କୁ ମୁଖାଗ୍ନି ଦେବାକୁ ଯାଉଥିବା ବେଳେ ଅଧାବାଟାରେ ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣାରେ ଚାଲିଗଲା ପୁଅ ବୋହୂଙ୍କ ଜୀବନ । ଏଭଳି ଦୁଃଖଦ ଘଟଣା ଘଟିଛି ବୌଦ୍ଧ ଜିଲ୍ଲାରେ । ବୌଦ୍ଧ ଜିଲ୍ଲା ଦେଇ ଯାଇଥିବା ୫୭ ନମ୍ବର ଜାତୀୟ ରାଜପଥ ବୌଦ୍ଧ ଥାନା ହରଭଙ୍ଗା ବ୍ଲକ ରାମ୍ଭୀକଟା ନିକଟରେ ନିର୍ମାଣାଧୀନଟୋଲଗେଟ ଠାରେ ରାସ୍ତା କଡରେ ଠିଆ ହୋଇଥିବା ଏକ ଟ୍ରକକୁ ଏକ କାର ଧକ୍କାଦେଲା । ଫଳରେ କାରରେ ବସିଥିବା ଦମ୍ପିତିଙ୍କ ମୃତ୍ୟୁ ଘଟିଛି । ମୃତ ଦମ୍ପତି ହେଲେ ନୟାଗଡ ଜିଲ୍ଲା ଗଣିଆ ସହର ତେଲିସାହିର ରାଜ କିଶୋର ସାହୁ(୫୫) ଓ ତାଙ୍କ ପତ୍ନୀ ମୀନାରାଣୀ ସାହୁ(୪୫) । ମୃତକ ରାଜକିଶୋର ଦୀର୍ଘ ୩୦ ବର୍ଷ ହେବ ନୂଆପଡା ଜିଲ୍ଲାରେ ଶିକ୍ଷକତା କରିଆସୁଥିଲେ । ସୂଚନା ମତେ, ନୟାଗଡ ଜିଲ୍ଲା ଗଣିଆ ସହର ତେଲିସାହିରେ ରହୁଥିବା ଅବସରପ୍ରାପ୍ତ ଶିକ୍ଷକ ବଲ୍ଲଭ ସାହୁଙ୍କ ବୁଧବାର ରାତି ପ୍ରାୟ ୧୦ଟା ସମୟରେ ପରଲୋକ ହୋଇଗଲା । ଏହି ଦୁଃଖଦ ଖବର ତାଙ୍କ ବଡ ପୁଅ ରାଜକିଶୋର ସାହୁଙ୍କୁ ଦେବା ପରେ ବାପାଙ୍କୁ ମୁଖାଗ୍ନି ଦେବାକୁ ସୁଦୁର ନୂଆପଡା ଜିଲ୍ଲାରୁ ପୁଅ ରାଜ କିଶୋର ଓ ପତ୍ନୀ ମୀନାରାଣୀ ରାତି ପ୍ରାୟ ୧୧ଟା ସମୟରେ ଏକ କାର ଯୋଗେ ନିଜ ଗ୍ରାମ ଗଣିଆକୁ ଆସୁଥିବା ସମୟରେ ବୌଦ୍ଧ ଥାନା ଅନ୍ତର୍ଗତ ରାମ୍ଭୀକଟା ଠାରେ ନିର୍ମାଣାଧିନ ଟୋଲଗେଟ ଠାରେ ପୂର୍ବରୁ ଠିଆ ହୋଇଥିବା ଏକ ଟ୍ରକରେ କାରଟି ମୁହାଁ ମୁହିଁ ପିଟି ହୋଇଥିଲା । ଫଳରେ କାରରେ ଥିବା ରାଜ କିଶୋର ଓ ପତ୍ନୀ ମୀନାରାଣୀ ଗୁରୁତର ହୋଇପଡିଥିଲେ । ସେମାନଙ୍କୁ ଉଦ୍ଧାର କରାଯାଇ ବୌଦ୍ଧ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତି କରାଯାଇଥିଲା । ସେଠାରେ ଡାକ୍ତର ଉଭୟ ସ୍ୱାମୀସ୍ତ୍ରୀଙ୍କୁ ମୃତ ଘୋଷଣା କରିଥିଲେ । ଖବର ପାଇ ବୌଦ୍ଧ ପୁଲିସ ଘଟଣା ସ୍ଥଳରେ ପହଂଚି ଶବକୁ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇ ଏକ ମାମଲା ରୁଜୁ କରି ତଦନ୍ତ ଚଳାଇଛି । ଶବ ବ୍ୟବଚ୍ଛେଦ ପରେ ଶବକୁ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇଛି । ରାଜ କିଶୋରଙ୍କର ଗୋଟିଏ ପୁଅ ଗୋଟିଏ ଝିଅ ଅଛନ୍ତି । ମୃତକ ରାଜକିଶୋର ଦୀର୍ଘ ୩୦ ବର୍ଷ ହେବ ନୂଆପଡା ଜିଲ୍ଲାରେ ଶିକ୍ଷକତା ଭାବରେ ଚାକିରୀ ଆରମ୍ଭ କରି ଜିଲ୍ଲାର ବିଭିନ୍ନ ବିଦ୍ୟାଳୟରେ ଶିକ୍ଷକତା କରୁଥିବା ବେଳେ ବର୍ତ୍ତମାନ ସେ କୁରୁମପୁରୀ ହାଇସ୍କୁଲରେ ପ୍ରଧାନ ଶିକ୍ଷକ ଭାବରେ କାର୍ଯ୍ୟ କରୁଥିଲେ । ସେ ଜଣେ ଛାତ୍ରବତ୍ସଳ ଶିକ୍ଷକ ଭାବରେ ଜିଲ୍ଲାରେ ବେଶ ପରିଚିତ ଥିଲେ । ତାଙ୍କର ବିୟୋଗରେ ଉଭୟ ଗଣିଆ ଓ ନୂଆପଡା ଜିଲ୍ଲାରେ ଶୋକର ଛାୟା ଖେଳିଯାଇଛି ।
ହିନ୍ଦୁସ୍ଥାନ ସମାଚାର / ସମ୍ମତ କୁମାର ଅଗ୍ରୱାଲା