କେନ୍ଦ୍ରାପଡ଼ା, ୩୦ ଜୁଲାଇ(ହି.ସ.) – କେନ୍ଦ୍ରାପଡ଼ା ଜିଲ୍ଲାରେ ଦ୍ୱିତୀୟ ବନ୍ୟା ପାଣି କେନ୍ଦ୍ରାପଡାକୁ ବେହାଲ କରିଛି । ବନ୍ୟା ପାଣିରେ ଉବୁଟୁବୁ ହେଉଥିବା ଘାଗରାଡିଆରେ ସ୍ୱାସ୍ଥ୍ୟ ବିଭାଗର ଏକ ଟିମ୍ ପହଂଚି ମେଡିସିନ, ବ୍ଲିଚିଂ ଓ ହଲୋଜିନ ବଟିକା ବଂଚାଯାଇଛି । ଚଳିତ ବର୍ଷ କେନ୍ଦ୍ରାପଡା ଜିଲ୍ଲାରେ ଦ୍ୱିତୀୟ ବନ୍ୟା ଜଳ ପ୍ରବେଶ କରିଛି, ବ୍ରାହ୍ମଣୀ, ବୈତରଣୀ,ଓ ମହାନଦୀ ରେ ବନ୍ୟା ଆସିବା ଦ୍ୱାରା କେନ୍ଦ୍ରାପଡା ଜିଲ୍ଲାର ବହୁ ଅଞ୍ଚଳ ବାହ୍ୟ ଜଗତରୁ ବିଚ୍ଛିନ୍ନ ହୋଇଛି । ବିଶେଷ କରି ବ୍ରାହ୍ମଣୀ ନଦୀରେ ଦ୍ୱିତୀୟ ବନ୍ୟା ପାଣି ଆସିବାଦ୍ୱାରା, କେନ୍ଦ୍ରାପଡା ବ୍ଲକର ଘାଗରା ପଂଚାୟତ, ପଟ୍ଟାମୁଣ୍ଡାଇ ବ୍ଲକର ସିଂହଗା, ଅଲପୁଆ, ଡାମରପୁର୍ତ, ବଲଭଦ୍ରପୂର୍ତ, ରାଜନଗର ବ୍ଲକର ବେଲପାଳ, ଓସ୍ତିଆ, ଆଦି ପଂଚାୟତ, ସମେତ ଆଳୀ, ରାଜକନିକା ବ୍ଲକର ବହୁ ଅଞ୍ଚଳବାସୀ ଜଳବନ୍ଦୀ ହୋଇରହିଛନ୍ତି । ପ୍ରଥମ ବନ୍ୟାରେ କୁମ୍ଭୀର ଭୟ ଲୋକଙ୍କ ମନରୁ ଯାଇନାହିଁ । ଦ୍ୱିତୀୟ ବନ୍ୟାପାଣି ପ୍ରବେଶ କରିଛି । ପ୍ରଥମ ବନ୍ୟା ପାଣି ବହୁ ଅଂଚଳରେ ଧାନ ବିଲରେ ରହିଥିବା ବେଳେ ଦ୍ୱିତୀୟ ବନ୍ୟା ପାଣି ଆସିବାରୁ ଏହା ଅଧିକ ପାଣି ହେବ ବୋଲି ଆଶା କରାଯାଉଛି । ବନ୍ୟାରେ ଆଗୁଆ ପଦକ୍ଷେପ ପାଇଁ କେନ୍ଦ୍ରାପଡାର ଘାଗରା ପଂଚାୟତରେ ସ୍ୱାସ୍ଥ୍ୟକର୍ମୀ ଏକାମ୍ର ବାସିନୀ ପରିଡ଼ା, ଭରତ ଚନ୍ଦ୍ର ମାରାଣ୍ଡି, ସୂପରଭାଇଜର ଭିକାରୀ ଚରଣ ଜେନା, ଆଶାକର୍ମୀ ଶାନ୍ତିଲତା ମଝି ଆଦି ବିଭିନ୍ନ ବନ୍ୟାଞ୍ଚଳ ଗାଁ ବୁଲି ସ୍ୱାସ୍ଥ୍ୟ ସେବା ଯୋଗାଇ ଦେଇଛନ୍ତି । ଏହି ବନ୍ୟା ସମୟରେ କେତେକ ସ୍ଥାନରେ ରନ୍ଧାଖାଦ୍ୟ ଗୋ ଖାଦ୍ୟ ଓ ମେଡିସିନ ଓ ଯାତାୟାତ ପାଇଁ ଡଙ୍ଗା ର ଆବଶ୍ୟକତା ରହିଛି । ଜିଲ୍ଲା ପ୍ରଶାସନ ପକ୍ଷରୁ ବିଭିନ୍ନ ସ୍ଥାନରେ ବନ୍ୟାଞ୍ଚଳ ବାସୀଙ୍କୁ ସହଯୋଗ ଆରମ୍ଭ ହୋଇଥିଲେ ବି ତାହା ପ୍ରଯ୍ୟାପ୍ତ ହେଉନାହିଁ ।
ହିନ୍ଦୁସ୍ଥାନ ସମାଚାର/ରବି/ବୀଣାପାଣି
.......................................
ହିନ୍ଦୁସ୍ଥାନ ସମାଚାର / ବୀଣାପାଣି